ଭୁବନେଶ୍ୱର: ଆଜି ପାଳନ ହେଉଛି ଖଡି ଛୁଆଁ ଓ ପ୍ରବେଶ ଉତ୍ସବ । ଶିଶୁ ବାଟିକା ପିଲାଙ୍କ ଖଡି ଛୁଆଁ । ଭୁବନେଶ୍ବର ରାଜଭବନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆୟୋଜିତ ହୋଇଛି କାର୍ଯ୍ୟକ୍ରମ । ସ୍କୁଲ ପ୍ରବେଶ ଅବସରରେ କୁନି କୁନି ପିଲାଙ୍କୁ ଖଡ଼ି ଛୁଆଁଇଲେ ମୁଖ୍ୟମନ୍ତ୍ରୀ । ରାଜଭବନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ହୋଇଥିଲା ।

‘ଶିକ୍ଷା ସଚେତନତା ରଥ' ବୁଲିବ:

ଏହି ଅବସରରେ କୁନି କୁନି ପିଲାଙ୍କ ସହ ଭାବ ବିନିମୟ ପରେ ଖଡ଼ି ଛୁଆଁଇଥିଲେ ସିଏମ୍ । କୋମଳମତି ଶିଶୁଙ୍କ ଶିକ୍ଷା କ୍ଷେତ୍ରରେ ନୂଆ ପରିକଳ୍ପନା ଆଣିବା ପାଇଁ ଏଭଲି ଏକ ନିଷ୍ପତ୍ତି ନିଆଯାଇଥିଲା ।  ପୂର୍ବ ବର୍ଷ ମଧ୍ୟ ଏଭଳି ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଚଳିତ ବର୍ଷ ପିଲାମାନଙ୍କ ସହ ଅଭିଭାବକ ମାନେ ମଧ୍ୟ ସାମିଲ ହେବେ । ଏହା ସହ ଶିକ୍ଷା ସଚେତନତା ରଥ ମଧ୍ୟ ଜିଲ୍ଲାରୁ ଜିଲ୍ଲା ଗଡିବ। ୬ ତାରିଖରୁ ୧୦ ତାରିଖ ଯାଏ ଗଡିବ ଶିକ୍ଷା ରଥ । ଆମ ରାଷ୍ଟ୍ରର ସୂଶ୍ଚିମ ଭବିଷ୍ୟତ ଗଠନ ଦିଗରେ କୁନି କୁନି ପିଲାମାନେ ଶିକ୍ଷାର ପ୍ରଥମ ସୋପାନରେ ପାଦ ରଖିଛନ୍ତି । 

କେବେଠୁ କେବେ ଉତ୍ସବ?

ଏହି ଉତ୍ସବକୁ ସମସ୍ତ ଜିଲ୍ଲାରେ ୬ ରୁ ୮ ଏପ୍ରିଲ ଯାଏଁ ପାଳନ କରାଯିବ । ଏହି ଉତ୍ସବରେ ଛାତ୍ରଛାତ୍ରୀ, ଅଭିଭାବକ, ନିର୍ବାଚିତ ପ୍ରତିନିଧ, ବରିଷ୍ଠ ଅଧିକାରୀ, ନାଗରିକ ସମାଜ ଭାଗ ନେବେ । ଏଥିନିମନ୍ତେ ମାର୍ଚ ୧୭ ତାରିଖରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ଥିବା ନିମନ୍ତ୍ରଣ ପତ୍ର ସମଗ୍ର ରାଜ୍ୟରେ ଶିଶୁ ବାଟିକା ଓ ପ୍ରଥମ ଶ୍ରେଣୀରେ ନାମ ଲେଖାଇବା ନିମନ୍ତେ ଥିବା ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରାଯାଇଛି ।ଚଳିତ ବର୍ଷ ଜନ ସଚେତନତା ବୃଦ୍ଧି ନିମନ୍ତେ ରାଜ୍ୟ ମୁଖ୍ୟାଳୟରୁ ‘ଶିକ୍ଷା ସଚେତନତା ରଥ' ଆରମ୍ଭ କରାଯିବ । ଏହି ସଚେତନତା ରଥ ଜିଲ୍ଲା ଓ ବ୍ଲକ୍‌ରେ ମଧ୍ୟ ବୁଲିବ ।

Also Read...ଆରମ୍ଭ ହେଲା ସକାଳୁଆ ସ୍କୁଲ, ଖରାଛୁଟି ପର୍ଯ୍ୟନ୍ତ ସକାଳୁ ପାଠପଢା

ଯାଦୁ ପେଡ଼ିକୁ ପ୍ରାଧାନ୍ୟ:

କାର୍ଯ୍ୟକ୍ରମର ସଫଳ କାର୍ଯ୍ୟାନ୍ଵୟନ ନିଶ୍ଚିତ କରିବା ପାଇଁ, ଜିଲ୍ଲା ଏବଂ ବ୍ଲକ୍‌ରେ କାର୍ଯ୍ୟକଳାପ ଆୟୋଜନ କରାଯିବ । ଛାତ୍ରଛାତ୍ରୀଙ୍କ ସହଭାଗିତା ଏବଂ ଅଂଶଗ୍ରହଣ ଉପରେ ଧାନ କେନ୍ଦ୍ରିତ କରିବା ନିମନ୍ତେ ବିଦ୍ୟାଳୟଗୁଡ଼ିକରେ ବିଷୟବସ୍ତୁ ସମ୍ବନ୍ଧୀୟ କାର୍ଯ୍ୟକଳାପ କ୍ଷେତ୍ର, ଯଥା- ଗପ ରାଇଜ, ରଙ୍ଗର ଦୁନିଆ ଓ ଖେଳଘରର ସ୍ଥାନ ପାଇବ...ଶିଶୁ ବାଟିକାରେ ନାମ ଲେଖାଉଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା 'ଯାଦୁଇ ପିଟାରା' ବା ଯାଦୁ ପେଡ଼ିକୁ ପ୍ରାଧାନ୍ୟ ଦିଆଯାଇଛି ।

ପିଲାଙ୍କ ପାଇଁ ସ୍ପେଶାଲ କିଟ୍:

ଆମ ରାଜ୍ୟରେ ପ୍ରତ୍ୟେକ DIET ଦ୍ବାରା ଯାଦୁ ପେଡ଼ି ସାମଗ୍ରୀ ବିକଶିତ ଏବଂ ପ୍ରାସଙ୍ଗିକ କରାଯାଇଛି । ପେଡ଼ିରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଖେଳନା, ପଢିଲ୍, କବିତା ପୋଷ୍ଟର, ଗପ କାର୍ଡ଼, ଚିତ୍ର କାର୍ଡ଼, ଶିକ୍ଷକ ତାରା, ଅଭିଭାବକ ତାରା ସଂଖ୍ୟାଜ୍ଞାନ ପାଇଁ ଶିକ୍ଷଣ ସାମଗ୍ରୀ କିଟ୍ ଇତ୍ୟାଦି ରହିଛି । ପ୍ରତ୍ୟେକ ବିଦ୍ୟାଳୟରେ ଶିଶୁ ବାଟିକାଠାରୁ ଆରମ୍ଭ କରି ପଞ୍ଚମ ଶ୍ରେଣୀ ପିଲାମାନଙ୍କ ପାଇଁ ଯାଦୁ ପେଡ଼ି ରହିବ । ଏହାକୁ ଉଭୟ ଶିକ୍ଷକ ଓ ଅଭିଭାବକ, ଛାତ୍ରଛାତ୍ରୀ ବ୍ୟବହାର କରିବେ ।