ଝାଡ଼ଗ୍ରାମ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପ୍ରଚାର ମଧ୍ୟରେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଅଲଗା ଓ ସହଜ ଭାବ ଝାଡ଼ଗ୍ରାମରେ ଦେଖିବାକୁ ମିଳିଛି। ନିର୍ବାଚନ ରାଲିକୁ ସମ୍ବୋଧିତ କରିବା ପରେ ଏସପିଜିର କଡ଼ା ସୁରକ୍ଷା ଭାଙ୍ଗି ପ୍ରୋଟକଲ ବାହାରକୁ ବାହାରି ପ୍ରଧାନମନ୍ତ୍ରୀ ଅଚାନକ ସଡ଼କ କଡ଼ରେ ଥିବା ଏକ ଝାଲମୁଢ଼ି ଦୋକାନରେ ଅଟକି ଯାଇଥିଲେ। ପ୍ରଧାନମନ୍ତ୍ରୀଙ୍କୁ ଝାଲମୁଢ଼ି ବେଶ୍ ପସନ୍ଦ ଏଣୁ ସେ ମୁଢ଼ି ପ୍ରସ୍ତୁତକର୍ତ୍ତାଙ୍କୁ ତୁରନ୍ତ ତାଙ୍କ ପାଇଁ ଝାଲମୁଢ଼ି ତିଆରି କରିବାକୁ କହିଥିଲେ ଓ ନିଜେ ମୁଢ଼ିର ସ୍ୱାଦ ନେବା ସହ ତାଙ୍କ ନିକଟରେ ଥିବା ପିଲା ଓ ମହିଳାଙ୍କୁ ମଧ୍ୟ ବାଣ୍ଟିଥିଲେ।

ଏହି ସମୟରେ ପ୍ରଧାନମନ୍ତ୍ରୀ ରାସ୍ତାକଡ଼ରେ ତାଙ୍କ ସହ ଥିବା ଲୋକଙ୍କ ସହ କଥାବାର୍ତ୍ତା ମଧ୍ୟ ହୋଇଥିଲେ। ପ୍ରଧାନମନ୍ତ୍ରୀ ଅଚାନକ ଅଟକି ଯିବା ତାଙ୍କ ସୁରକ୍ଷା ବ୍ୟବସ୍ଥାରେ ମୁତୟନ କର୍ମୀଙ୍କୁ ଆଚମ୍ବିତ କରିଥିଲା। ତେବେ ପ୍ରଧାନମନ୍ତ୍ରୀ ଲୋକଙ୍କ ଗହଣକୁ ଆସିବା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଶିହରଣ ଖେଳାଇ ଦେଇଥିଲା। ଲୋକେ ପ୍ରଧାନମନ୍ତ୍ରୀଙ୍କୁ ନିଜ ଗହଣରେ ପାଇ ବେଶ୍ ଉତ୍ସାହିତ ହୋଇ ଉଠିଥିଲେ। ପ୍ରଧାନମନ୍ତ୍ରୀ ଲୋକଙ୍କ ପାଖକୁ ପହଞ୍ଚି ସେମାନଙ୍କ ସହ ଦୁଃଖସୁଖ ହେବା ଲୋକଙ୍କୁ ବେଶ୍ ଆନନ୍ଦିତ କରିଛି।

ପ୍ରଧାନମନ୍ତ୍ରୀ ମୋଦି ରବିବାର ପଶ୍ଚିମବଙ୍ଗରେ କେତେକ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବାକୁ ପହଞ୍ଚିଥିଲେ। ଝାଡଗ୍ରାମ ସଭା ସମାପ୍ତ ହେବା ପରେ ସେ ହେଲିକପ୍ଟରକୁ ଯାଉଥିଲେ। ଏହି ସମୟରେ ସେ ରାସ୍ତାକଡ଼ରେ ଏକ ଝାଲମୁଢ଼ି ଦୋକାନ ଦେଖି ତାଙ୍କ ଗାଡି ଅଟକାଇ ଦେଇଥିଲେ ଓ ମୁଢ଼ି ଦୋକାନକୁ ଯାଇ ଝାଲମୁଢ଼ି ବରାଦ କରିଥିଲେ। ଏହି ସମୟରେ ଜନସଭାରୁ ଫେରୁଥିବା ଲୋକେ ପ୍ରଧାନମନ୍ତ୍ରୀଙ୍କୁ ରାସ୍ତାକଡ଼ରେ ଦେଖି ଜମା ହୋଇଯାଇଥିଲେ।

ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ପ୍ରଧାନମନ୍ତ୍ରୀ ବାହନରୁ ଓହ୍ଲାଇ ସିଧା ଦୋକାନକୁ ଯାଇଥିଲେ ଓ ଝାଲ ମୁଢ଼ିବାଲାକୁ ତିଆରି କରିବାକୁ କହିଥିଲେ। ଦୋକାନୀ ଚନାଚୁର, ମସଲା, ଲଙ୍କା, ତେଲ ଓ ଆଚାର ମିସାଇ ଝାଲମୁଢ଼ି ପ୍ରସ୍ତୁତ କରିଥିଲା। ପ୍ରଧାନମନ୍ତ୍ରୀ ମୁଢ଼ି ଠୁଙ୍ଗା ଆଣି ପ୍ରଥମେ ତାଙ୍କ ନିକଟରେ ଥିବା ପିଲାଙ୍କୁ ବାଣ୍ଟିଥିଲେ ଓ ନିଜେ ମଧ୍ୟ ଖାଇଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ଲୋକେ ଜୟଶ୍ରୀରାମ ଓ ପ୍ରଧାମନ୍ତ୍ରୀଙ୍କ ଜୟଜୟକାର କରିଥିଲେ। ଏହାର ଭିଡିଓ ମଧ୍ୟ ଏବେ ସାମ୍ନାକୁ ଆସିଛି, ଯେଉଁଥିରେ ପ୍ରଧାନମନ୍ତ୍ରୀଙ୍କୁ ଲୋକଙ୍କ ଗହଣରେ ବେଶ୍ ସହଜ ଭାବରେ ଦେଖାଯାଉଛି। ଭିଡିଓରେ ସେ ସ୍ଥାନୀୟ ମହିଳାଙ୍କ ସହ କଥାବାର୍ତ୍ତା ହେଉଥିବା ଓ ସେମାନଙ୍କ ହାଲଚାଲ ପଚାରି ବୁଝୁଥିବାର ମଧ୍ୟ ଦେଖା ଯାଇଛି।

କୁହାଯାଉଛି ପ୍ରଧାନମନ୍ତ୍ରୀ ଯେଉଁ ଝାଲମୁଢ଼ି ଦୋକାନରେ ଅଟକି ଥିଲେ ତାହା ବିହାର ଗୟା ଜିଲ୍ଲା ବିକ୍ରମ ଶାହଙ୍କର। ବିକ୍ରମ ଗତ ୧୨ ବର୍ଷ ହେଲା ଝାଡ଼ଗ୍ରାମରେ ମସଲାମୁଢ଼ି ଦୋକାନ ଚଳାଇ ଗୁଜୁରାଣ ମେଣ୍ଟାଉଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଆସିବେ ବୋଲି କୌଣସି ପୂର୍ବ ସୂଚନା ନଥିଲା। ଅଚାନକ ଗାଡ଼ି ଅଟକିଲା ଓ ସେ ଦୋକାନକୁ ଆସିଲେ। ବିକ୍ରମ ଶାହ କହିଛନ୍ତି ଯେ ଝାଲମୁଢ଼ି ଖାଇବା ପରେ ପ୍ରଧାନମନ୍ତ୍ରୀ ସ୍ୱାଦର ଖୁବ୍ ତାରିଫ କରିଛନ୍ତି। ସେତେବେଳେ ଦୋକାନରେ ଥିବା ଲୋକଙ୍କ ଲାଗି ଏହି କ୍ଷଣ ସ୍ମରଣୀୟ ହୋଇଯାଇଛି। ପ୍ରଧାନମନ୍ତ୍ରୀ ପରେ ସୋସିଆଲ ମିଡିଆରେ ଏହି କ୍ଷଣର ଭିଡିଓ ସେୟାର କରିଛନ୍ତି।

ନିର୍ବାଚନୀ ମାହୋଲରେ ପ୍ରଧାନମନ୍ତ୍ରୀଙ୍କ ଏପରି ଅନ୍ଦାଜ ଏବେ ରାଜନୀତି ସହିତ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ସ୍ଥାନୀୟ ଲୋକଙ୍କ ଅନୁସାରେ ଏତେ ବ୍ୟସ୍ତତା ମଧ୍ୟରେ ପ୍ରଧାନମନ୍ତ୍ରୀ ସାଧାରଣ ଲୋକଙ୍କ ଗହଣକୁ ପହଞ୍ଚିବା ସେମାନଙ୍କ ଲାଗି ଏକ ସୁଖଦ ଅନୁଭବ ଭଳି ହୋଇଛି। ପଶ୍ଚିମବଙ୍ଗରେ ରବିବାର ପ୍ରଧାନମନ୍ତ୍ରୀଙ୍କର ୪ଟି ନିର୍ବାଚନୀ ସଭା ଥିଲା।