ଭୁବନେଶ୍ୱର,୨୭ /୦୩: ରୋଟାରୀ କ୍ଲବ୍ ଅଫ୍ ଭୁବନେଶ୍ୱର କଳିଙ୍ଗା ଏବଂ ଇଣ୍ଡିଆନ୍ ବ୍ୟାଙ୍କର ଅନନ୍ୟ ପଦକ୍ଷେପ । ଉଭୟଙ୍କ ସହଯୋଗରେ ବିଶେଷ ଭାବେ ପ୍ରସ୍ତୁତ ମୋବାଇଲ୍ ଆଇ ଟେଷ୍ଟିଂ ଭ୍ୟାନକୁ ଗୁରୁବାର ଜୟଦେବ ବିହାର ସ୍ଥିତ ଓଡିଶା ଜ୍ଞାନ କର୍ପୋରେସନ୍ ଲିମିଟେଡ୍ (OKCL) ପ୍ରାଙ୍ଗଣରେ ଶୁଭାରମ୍ଭ କରାଯାଇଛି।

ଏହି ଅବସରରେ ରୋଟାରିଆନ୍ ମନୋଜ କୁମାର ତ୍ରିପାଠୀ, ଡିଷ୍ଟ୍ରିକ୍ଟ ଗଭର୍ନର, ଆରଆଇ ଡିଷ୍ଟ୍ରିକ୍ଟ -3262 ଭ୍ୟାନକୁ ଔପଚାରିକ ଭାବେ ଶୁଭାରମ୍ଭ କରିଛନ୍ତି। ସେହିପରି ଇଣ୍ଡିଆନ୍ ବ୍ୟାଙ୍କର ଫିଲ୍ଡ ଜେନେରାଲ୍ ମ୍ୟାନେଜର ଶ୍ରୀମତୀ ଅରୁଣା ଏମ୍ ଏହି ଭ୍ୟାନକୁ କଟକରେ ଥିବା JPM ରୋଟାରୀ ଆଇ ହସ୍ପିଟାଲକୁ ଔପଚାରିକ ଭାବେ ହସ୍ତାନ୍ତର କରିଛନ୍ତି। ଏହି ହସ୍ପିଟାଲ ଭ୍ୟାନଟିକୁ ପରିଚାଳନା କରି ଓଡିଶାର ଦୂର୍ଗମ ଏବଂ ସେବାରୁ ବଞ୍ଚିତ ଅଞ୍ଚଳ ଗୁଡିକରେ ନିଶୁଳ୍କ ଆଖି ଚିକିତ୍ସା ସେବା ପ୍ରଦାନ କରିବ।

ରୋଟାରିଆନ୍ ଅଜିତ କୁମାର ମହାପାତ୍ର, “ପ୍ରୋଜେକ୍ଟ ରାଇଟ୍ ଟୁ ସାଇଟ୍” ର ଅଧ୍ୟକ୍ଷ ଭାବେ, ଏହି ପ୍ରକଳ୍ପର ସମନ୍ୱୟରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥିଲେ। ରୋଟାରିଆନ୍ ମନୋରଞ୍ଜନ ପୁଥାଳ ( ଅଧ୍ୟକ୍ଷ, ରୋଟାରୀ କ୍ଲବ୍ ଅଫ୍ ଭୁବନେଶ୍ୱର କଳିଙ୍ଗା) ଏବଂ ପ୍ରବନ୍ଧ ନିର୍ଦ୍ଦେଶକ, OKCL ଏହି ଅବସରରେ କହିଥିଲେ ଯେ "ଏହି ‘ରାଇଟ୍ ଟୁ ସାଇଟ୍’ ପଦକ୍ଷେପ ଚକ୍ଷୁ ଚିକିତ୍ସାରେ ଏକ ମାଇଲ ଷ୍ଟୋନ୍ ସାବ୍ୟସ୍ତ ହେବ। ମୋବାଇଲ୍ ଆଇ ଟେଷ୍ଟିଂ ଭ୍ୟାନ୍ ମଧ୍ୟରେ ଗୁଣାତ୍ମକ ଆଖି ସେବା ସିଧାସଳଖ ଭାବରେ ଅବହେଳିତ ଓ ଅସହାୟ ଲୋକମାନଙ୍କ ପାଖକୁ ପହଞ୍ଚିବ।

ସେହିପରି ଡିଷ୍ଟ୍ରିକ୍ଟ ଗଭର୍ନର ରୋଟାରିଆନ୍ ମନୋଜ କୁମାର ତ୍ରିପାଠୀ ମତ ପ୍ରକାଶ କରିଥିଲେ ଯେ, ଏପରି ପଦକ୍ଷେପ ସମାଜକୁ ଗୁଣାତ୍ମକ ସେବା ପହଞ୍ଚାଇବାରେ ଅତ୍ୟାବଶ୍ୟକ ଏବଂ ସେ ଏହି ପ୍ରକଳ୍ପର ସମସ୍ତ ସହଯୋଗୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଇଣ୍ଡିଆନ ବ୍ୟାଙ୍କର ସିଏସଆର ପଦକ୍ଷେପ ଏବଂ ଶ୍ରୀମତୀ ଅରୁଣା ଏମଙ୍କ ନେତୃତ୍ୱରେ ଏହି ଭ୍ୟାନ୍ ମାଧ୍ୟମରେ ସମ୍ପୂର୍ଣ୍ଣ ଆଖି ପରୀକ୍ଷା, ଚଷମା ବଣ୍ଟନ ଓ ଆବଶ୍ୟକ ଅପରେସନ ପାଇଁ ରିଫଲେକ୍ସ ସେବା ପ୍ରଦାନ କରାଯିବ। ଏଥିର ଆଧୁନିକ ଡାୟାଗ୍ନୋଷ୍ଟିକ୍ ସୁବିଧା ରହିଛି, ଯାହା ଦ୍ୱାରା ଘଟଣାସ୍ଥଳରେ ହିଁ ପରୀକ୍ଷା କରାଯାଇପାରିବ।

ଏହି କାର୍ଯ୍ୟକ୍ରମ ରୋଟାରୀ କ୍ଲବ୍, ଇଣ୍ଡିଆନ୍ ବ୍ୟାଙ୍କଏବଂ JPM ରୋଟାରୀ ଆଇ ହସ୍ପିଟାଲ୍ସ ମଧ୍ୟରେ ସଫଳ ସରକାରୀ-ବେସରକାରୀ-ସାମାଜିକ ସହଯୋଗର ଏକ ଉତ୍କୃଷ୍ଟ ଉଦାହରଣ ଭାବେ ପ୍ରତିପାଦିତ ହୋଇଛି।