ନ୍ୟୁୟର୍କ: ଗୋଟିଏ ଟି-୨୦ ମ୍ୟାଚରେ ୫୩୭ ରନ୍, ୫୧ଟି ଛକା, ୩ଟି ଶତକ ସହ ଟି-୨୦ ଇତିହାସର ସବୁଠାରୁ ବଡ଼ ରନ୍ ଚେଜ୍, ବୋଧହୁଏ ଏହି କଥା ବିଶ୍ୱାସ କରିବା କଷ୍ଟକର । କିନ୍ତୁ ଏମଏଲସି ୨୦୨୬ର ଏଲିମିନେଟର ମ୍ୟାଚରେ ଏହା ବାସ୍ତବ ହୋଇଛି ।

ପ୍ରଥମେ ବ୍ୟାଟିଂ କରି MI ନ୍ୟୁୟର୍କ ୨୦ ଓଭରରେ ୯ ୱିକେଟ୍ ହରାଇ ୨୬୬ ରନର ଏକ ବିଶାଳ ସ୍କୋର ଛିଡ଼ା କରିଥିଲା । ଜବାବରେ ଓ୍ୱାଶିଂଟନ ଫ୍ରିଡମ୍ ମାତ୍ର ୧୮.୪ ଓଭରରେ ୪ ୱିକେଟ୍ ହରାଇ ୨୭୦ ରନ୍ ସଂଗ୍ରହ କରି ୬ ୱିକେଟ୍ରେ ମ୍ୟାଚ୍ ଜିତି ନେଇଥିଲା । ମ୍ୟାଚରେ ଦୁଇଟି ଯାକ ଦଳ ମିଶି ୫୩୭ ରନ୍ କରିବା ସହ ୫୧ଟି ଛକା ମାରିଥିଲେ । ଏହା ଟି-୨୦ କ୍ରିକେଟ୍ ଇତିହାସର ସବୁଠୁ ସଫଳ ରନ୍ ଚେଜ୍ ଅଟେ । ଏହାପୂର୍ବରୁ ଏହି ରେକର୍ଡ ପଞ୍ଜାବ କିଙ୍ଗ୍ସ ନାଁରେ ଥିଲା । ଆଇପିଏଲ୍ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ୨୬୫ ରନର ସଫଳ ରନ୍ ଚେଜ୍ କରିଥିଲା ।

୨୬୬ ରନ୍ କରି ମଧ୍ୟ ପରାଜୟ

ସାଧାରଣତଃ ଟି-୨୦ରେ ୨୦୦ ରନର ସ୍କୋରକୁ ମ୍ୟାଚ୍ ବିଜୟୀ ସ୍କୋର ବୋଲି ଧରାଯାଏ । ୨୨୦-୨୩୦ ରନ୍ ହେଲେ ମ୍ୟାଚ୍ ଏକପାଖିଆ ହୋଇଯାଏ, କିନ୍ତୁ ଏଠାରେ ୨୬୬ ରନ୍ ମଧ୍ୟ ବିଜୟର ଗ୍ୟାରେଣ୍ଟି ଦେଇପାରିଲାନି । ବିସ୍ଫୋରକ ବ୍ୟାଟର ନିକୋଲାସ ପୂରନ ମାତ୍ର ୩୧ ବଲରେ ଶତକ ହାସଲ କରି MLC ଇତିହାସର ଦ୍ରୁତତମ ଶତକ ରେକର୍ଡ କରିଛନ୍ତି । ସେ ୧୦୬ ରନର ବିସ୍ଫୋରକ ପାଳି ଖେଳିଥିଲେ । ତାଙ୍କ ସହିତ ପୋଲାର୍ଡ ୨୫ ବଲରେ ୬୪ ରନ୍ କରିଥିଲେ । ୧୩ ଓଭର ସୁଦ୍ଧା ଏମଆଇ ନ୍ୟୁୟର୍କର ସ୍କୋର ୩ ୱିକେଟ୍ ହରାଇ ୨୧୧ ରନ୍ ଥିଲା । ଲାଗୁଥିଲା ଦଳ ୩୦୦ ରନ୍ ପାର୍ କରିଯିବ । କିନ୍ତୁ ଓ୍ୱାଶିଂଟନ ଫ୍ରିଡମର ରଚିନ୍ ରବୀନ୍ଦ୍ର ଶେଷ ଓଭରଗୁଡ଼ିକରେ ୪ଟି ୱିକେଟ୍ ନେଇ ସ୍କୋରକୁ ୨୬୬ ରନରେ ସୀମିତ ରଖିଥିଲେ ।

୨୬୭ ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା ଓ୍ୱାଶିଂଟନ ଫ୍ରିଡମର ଆରମ୍ଭ ଖରାପ ରହିଥିଲା । ମାତ୍ର ୧୦ ରନରେ ପ୍ରଥମ ୨ଟି ୱିକେଟ୍ ପଡ଼ିଯାଇଥିଲା । ଶାକିବ ଅଲ ହସନ ଉଭୟ ଓପନର ବ୍ୟାଟରଙ୍କୁ ଆଉଟ୍ କରିଥିଲେ । କିନ୍ତୁ ଏହାପରେ ଲେଖା ଯାଇଥିଲା ଇତିହାସ । ଏଣ୍ଡ୍ରିସ୍ ଗସ୍ ଏବଂ ଅଧିନାୟକ ଷ୍ଟିଭ୍ ସ୍ମିଥ୍ ତୃତୀୟ ୱିକେଟ୍ ପାଇଁ ମାତ୍ର ୮୯ ବଲ୍ରେ ୨୪୧ ରନର ବିଶାଳ ପାର୍ଟନରଶିପ କରିଥିଲେ । ଗସ୍ ୫୬ ବଲ୍ରେ ୧୩୨ ରନ୍ କରିଥିବା ବେଳେ ସ୍ମିଥ୍ ୪୯ ବଲ୍ରେ ୧୧୦ ରନ୍ କରି ଅପରାଜିତ ରହିଥିଲେ ।

ଗୋଟିଏ ମ୍ୟାଚ୍... ତିନୋଟି ଶତକ

ପୁରୁଷ ଟି-୨୦ କ୍ରିକେଟ୍ ଇତିହାସରେ ପ୍ରଥମ ଥର ପାଇଁ ଗୋଟିଏ ମ୍ୟାଚରେ ତିନିଜଣ ବ୍ୟାଟର ଶତକ ହାସଲ କରିଛନ୍ତି ।

ନିକୋଲାସ ପୁରନ – ୧୦୬ ରନ୍

ଏଣ୍ଡ୍ରିସ୍ ଗସ୍ – ୧୩୨ ରନ୍

ଷ୍ଟିଭ୍ ସ୍ମିଥ୍ – ୧୧୦* ରନ୍