ଚେନ୍ନାଇ: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମକେ ସଭାପତି ଏମକେ ଷ୍ଟାଲିନ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ନେତୃତ୍ୱରେ ଗଠିତ ନୂଆ ଟିଭିକେ ସରକାର ତିନି ମାସ ମଧ୍ୟ ଚାଲିବା ମୁସ୍କିଲ । ପ୍ରାୟ ୬ ଦଶନ୍ଧି ପରେ ରାଜ୍ୟରେ ଗଠିତ ହୋଇଥିବା ଏହି ଅଣ-ଦ୍ରାବିଡ ସରକାର ଏବେ ସବୁଆଡୁ ସମାଲୋଚନାର ଶିକାର ହେଉଛି । ଏହା ସହ ରାଜ୍ୟରେ ଏକ ନୂଆ ରାଜନୈତିକ ସମୀକରଣ ତିଆରି ହେବାର ସମ୍ଭାବନା ଦେଖାଦେଇଛି ।

ତାମିଲନାଡୁ ରାଜନୀତିରେ ଚଳିତ ବର୍ଷ ମେ ମାସରେ ଏକ ବଡ଼ ଏବଂ ଐତିହାସିକ ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ଅଭିନେତାରୁ ନେତା ସାଜିଥିବା ସି. ଜୋସେଫ ବିଜୟ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଗତ ୬୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଡିଏମକେ କିମ୍ବା ଏଆଇଏଡିଏମକେ ବ୍ୟତୀତ କୌଣସି ତୃତୀୟ ଦଳ ରାଜ୍ୟରେ ସରକାର ଗଠନ କରିଛି । ରାଜନୈତିକ ବିଶ୍ଳେଷକମାନେ ଏହାକୁ ଏକ ନୂଆ ଯୁଗର ଆରମ୍ଭ ବୋଲି ଭାବୁଥିବା ବେଳେ ବିରୋଧୀ ଦଳର ଚିନ୍ତାଧାରା ଏହାଠାରୁ ସମ୍ପୂର୍ଣ୍ଣ ଭିନ୍ନ ରହିଛି ।

ଚେନ୍ନାଇରେ ଆୟୋଜିତ ଏକ ରାଜନୈତିକ କାର୍ଯ୍ୟକ୍ରମରେ ଏମକେ ଷ୍ଟାଲିନ ବର୍ତ୍ତମାନର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । ମିଶ୍ରଣ ପର୍ବରେ ନେତାମାନଙ୍କୁ ଦଳକୁ ସ୍ୱାଗତ କରି ଷ୍ଟାଲିନ କହିଥିଲେ, "ଯେତେବେଳେ ଏହି ସରକାର କ୍ଷମତାକୁ ଆସିଲା, ମୁଁ କହିଥିଲି ଯେ ୬ ମାସ ପର୍ଯ୍ୟନ୍ତ ମୁଁ ଏହାର କୌଣସି ସମାଲୋଚନା କରିବି ନାହିଁ । କିନ୍ତୁ ଏବେ ପରିସ୍ଥିତି ଖୁବଶୀଘ୍ର ବଦଳିଯାଉଛି । ବର୍ତ୍ତମାନ ଏଭଳି ଆଶଙ୍କା ଦେଖାଦେଇଛି ଯେ ମୋତେ ନିର୍ଦ୍ଧାରିତ ସମୟ ପୂର୍ବରୁ ହିଁ ମୁହଁ ଖୋଲିବାକୁ ପଡ଼ିବ।"

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜନସାଧାରଣଙ୍କ ମଧ୍ୟରେ ଏହି ସରକାରକୁ ନେଇ ପ୍ରବଳ ଅସନ୍ତୋଷ ରହିଛି ଏବଂ ସମାଲୋଚନା ବଢ଼ିବାରେ ଲାଗିଛି । ଏବେ ପ୍ରଶ୍ନ ୬, ୫ କିମ୍ବା ୪ ମାସର ନୁହେଁ; ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, କଣ ଏହି ସରକାର ୩ ମାସ ବି ତିଷ୍ଠି ପାରିବ ?

ଏହି ତୀବ୍ର ରାଜନୈତିକ ଆକ୍ରମଣ ମଧ୍ୟରେ ଷ୍ଟାଲିନ ତାଙ୍କ ଦଳର ନୂଆ କର୍ମୀମାନଙ୍କୁ ଶୃଙ୍ଖଳିତ ରହିବାକୁ ପରାମର୍ଶ ଦେଇଛନ୍ତି । ଅନ୍ୟ ଦଳରୁ ଆସିଥିବା ନେତାମାନଙ୍କୁ ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ସେମାନେ ନିଜର ପୁରୁଣା ଦଳ ବିଷୟରେ କୌଣସି ଖରାପ କଥା କହିବେ ନାହିଁ ।