ବାରିପଦା: ରାଜଧାନୀ ଭୁବନେଶ୍ୱରରୁ ବାରିପଦା ଅଭିମୁଖେ ଆସୁଥିବା ଏକ ଘରୋଇ ଯାତ୍ରୀବାହୀ ବସରେ ପୁଣି ସକ୍ରିୟ ହୋଇଛି ନିଶା କାରବାର ଗ୍ୟାଙ୍ଗ। ଜଣେ ଅସୁସ୍ଥ ଯାତ୍ରୀଙ୍କୁ ଖାଦ୍ୟରେ ନିଶା ଦେଇ ଲୁଟ କରିବା ସହ ତାଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଛାଡ଼ି ପଳାଇଛି ଦୁର୍ବୃତ୍ତ। ଦୁର୍ବୃତ୍ତ ଜଣକ ଖାଦ୍ୟ ଓ ପାନୀୟରେ ନିଶା ଦେଇ ଯୁବକଙ୍କ ଠାରୁ ସୁନା ମୁଦି, ମୋବାଇଲ ଓ ଟଙ୍କା ଲୁଟି ନେଇଥିବା ବେଳେ ଯୁବକ ଜଣକ ଏବେ ଗୁରୁତର ଅବସ୍ଥାରେ ଡାକ୍ତରଖାନାର ଆଇସିୟୁରେ ଜୀବନ ସହ ସଂଗ୍ରାମ କରୁଛନ୍ତି।

ସୂଚନା ଅନୁଯାୟୀ, ଶୁକ୍ରବାର ରାତି ପ୍ରାୟ ୯ଟା ୩୫ ମିନିଟରେ ଭୁବନେଶ୍ୱରରୁ ସଂକଳ୍ପ ନାମକ ବସରେ ଉକ୍ତ ଯାତ୍ରୀ ଜଣକ ସୋର ଯିବା ପାଇଁ ବସିଥିଲେ। ସେ ପୂର୍ବରୁ ଜଣ୍ଡିସ ରୋଗରେ ଆକ୍ରାନ୍ତ ଥିବାରୁ ଶାରୀରିକ ଭାବେ ଦୁର୍ବଳ ଥିଲେ। ହେଲେ ଏହି ସମୟରେ ବସ୍‌ରେ ଜଣେ ଯୁବକ ତାଙ୍କ ସହ ବନ୍ଧୁତା କରିଥିଲା। ଆଉ ନିଜକୁ ମଧ୍ୟପ୍ରଦେଶର ବୋଲି କହିବା ସହ ଦୀଘାର ଏକ ହୋଟେଲରେ କାମ କରୁଥିବା କହି ବିଶ୍ୱାସ ଜନ୍ମାଇଥିଲା ।

ତେବେ ଯାତ୍ରା ସମୟରେ ଉକ୍ତ ଯୁବକ ଲିଙ୍କରୋଡ ନିକଟରେ ବସରୁ ଓହ୍ଲାଇ ଅମୂଲ କୁଲ ଓ ସୁଗରଫ୍ରୀ ବିସ୍କୁଟ କିଣି ଆଣି ଅସୁସ୍ଥ ଯାତ୍ରୀଙ୍କୁ ଖାଇବାକୁ ଦେଇଥିଲା। ଖାଦ୍ୟ ଖାଇବାର କିଛି ସମୟ ପରେ, ମଙ୍ଗୁଳି ନିକଟରେ ସେ ସମ୍ପୂର୍ଣ୍ଣ ଚେତାଶୂନ୍ୟ ହୋଇପଡ଼ିଥିଲେ। ଅନ୍ୟପଟେ ତାଙ୍କୁ ରାତି ପ୍ରାୟ ଗୋଟାଏରୁ ଦୁଇଟା ମଧ୍ୟରେ ସୋରରେ ଓହ୍ଲାଇବାର ଥିଲା, କିନ୍ତୁ ଅଚେତ ଅବସ୍ଥା ଦେଖି ନିଶାଗ୍ରସ୍ତ ମନେକରି ବସ କର୍ମଚାରୀ ତାଙ୍କୁ ସାରସକଣା ପର୍ଯ୍ୟନ୍ତ ନେଇଯାଇଥିଲେ ଏବଂ ଫେରିବା ବାଟରେ ବାରିପଦାରେ ଛାଡ଼ି ଦେଇଥିଲେ।

Also Read: ଦାଦାବଟି ପାଇଁ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର​​​​​​​

ପରବର୍ତ୍ତୀ ସମୟରେ ଅଚେତ ଅବସ୍ଥାରେ ସେ ଜଣେ ଅଟୋ ଚାଳକଙ୍କ ସହାୟତାରେ ନିଜ ସମ୍ପର୍କୀୟଙ୍କ ଘରେ ପହଞ୍ଚିଥିଲେ। ପରିବାର ଲୋକେ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଦୁର୍ବୃତ୍ତମାନେ ତାଙ୍କଠାରୁ ନଗଦ ୨୦ରୁ ୨୫ ହଜାର ଟଙ୍କା, ମୋବାଇଲ ଫୋନ ଓ ସୁନା ମୁଦି ଲୁଟି ନେଇଥିବା ଜଣାପଡ଼ିଛି। ଡାକ୍ତରଙ୍କ କହିବାନୁଯାୟୀ, ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ୨୪ ଘଣ୍ଟା ନିରୀକ୍ଷଣରେ ରଖାଯାଇଛି ଏବଂ ଆବଶ୍ୟକ ପଡ଼ିଲେ କଟକ ସ୍ଥାନାନ୍ତର କରାଯାଇପାରେ।