ଝାରସୁଗୁଡ଼ା ୨୧।୫: ଝାରସୁଗୁଡା ଜିଲ୍ଲାରେ ପୁଣି ଲଜ୍ଜା । ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ l ମୁଖ୍ୟ ଅଭିଯୁକ୍ତ ସହ ଜଣେ ଯୁବକ ଓ ଯୁବତୀଙ୍କୁ ଗିରଫ କରିଛି ଏୟାରପୋର୍ଟ ଥାନା ପୋଲିସ । ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ସମ୍ପର୍କୀୟଙ୍କ ଚିକିତ୍ସା ପାଇଁ ସହଯୋଗୀ ଭାବେ ଆସିଥିବା ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏୟାରପୋର୍ଟ ଥାନା ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ସୂଚନାଯୋଗ୍ୟ ଯେ, ଜଣେ ନାବାଳିକା ନିଜ ସମ୍ପର୍କୀୟଙ୍କ ଚିକିତ୍ସା ପାଇଁ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ । ନାବାଳିକା ଜଣକ ଏକାକୀ ବୁଲାବୁଲି କରୁଥିବା ଦେଖି ବୁରୋମାଲ ଗଉନ୍ତିଆପଡ଼ା ଅଞ୍ଚଳର ରାଜା ବେସନ ନାମକ ଜଣେ ଯୁବକ ତାଙ୍କୁ ଜୋର ଜବରଦସ୍ତ ଟେକି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏଥିପାଇଁ ରାଜାଙ୍କୁ ସ୍ଥାନୀୟ ଅଞ୍ଚଳର ଆକାଶ ପ୍ରଧାନ ଏବଂ ତୃପ୍ତି ନାଏକ ନାମକ ଜଣେ ଯୁବତୀ ସହଯୋଗ କରିଥିଲେ ।

Also Read:- ନଦୀ ପଠାରୁ ମିଳିଲା ଅଧାପୋତା ମୃତଦେହ : ମୃତ ମହିଳା କିଏ, ଏଠାକୁ କେମିତି ଆସିଲେ ?

ଘଟଣା ସମ୍ପର୍କରେ ଅଭିଯୋଗ ପାଇବା ମାତ୍ରେ ଏୟାରପୋର୍ଟ ଥାନା ପୋଲିସ ଏକ ପୋକ୍ସୋ ମାମଲା ରୁଜୁ କରି ତଦନ୍ତ କରିବା ସହିତ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା । ପ୍ରଥମେ ଆକାଶ ପ୍ରଧାନ ଓ ତୃପ୍ତି ନାଏକଙ୍କୁ ବୁରୋମାଲ ଅଞ୍ଚଳରୁ ଗିରଫ କରିଥିଲା । ଏହାପରେ ତଦନ୍ତ କରି ଫେରାର ହେବାକୁ ଚେଷ୍ଟା କରୁଥିବା ମୁଖ୍ୟ ଅଭିଯୁକ୍ତ ରାଜା ବେସନକୁ ମଧ୍ୟ ପୋଲିସ କାବୁ କରିଥିଲା । ଏହି ଘଟଣାରେ ପୀଡ଼ିତାଙ୍କ ଡାକ୍ତରୀ ମାଇନା କରିବା ପରେ ଅଭିଯୁକ୍ତ ତିନି ଜଣକୁ କୋର୍ଟ ଚାଲାଣ କରାଯାଇଛି ।