ମୁମ୍ବାଇ: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇକୁ ପୁଣିଥରେ ବୋମାରେ ଉଡ଼ାଇଦେବାକୁ ଧମକ ମିଳିଛି । ଏକ ଇମେଲ୍ ଜରିଆରେ ଆସିଥିବା ଏହି ଧମକପୂର୍ଣ୍ଣ ବାର୍ତ୍ତାରେ ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ପ୍ରସିଦ୍ଧ ବଙ୍ଗଳା 'ଜଲସା', ମୁମ୍ବାଇ ମେୟରଙ୍କ କାର୍ଯ୍ୟାଳୟ, ବିମାନବନ୍ଦର ସମେତ ସହରର ଏକାଧିକ ବ୍ୟାଙ୍କ ଏବଂ କୋର୍ଟକୁ ଟାର୍ଗେଟ୍ କରାଯାଇଛି। ଘଟଣା ଜଣାପଡ଼ିବା ପରେ ସମଗ୍ର ମୁମ୍ବାଇ ସହରରେ ହଇଚଇ ସୃଷ୍ଟି ହୋଇଛି।

ମିଳିଥିବା ସୂଚନା ଅନୁସାରେ, ଏକ ଅଜଣା ସୂତ୍ରରୁ ଆସିଥିବା ଇମେଲ୍ ମାଧ୍ୟମରେ ଏହି ଚେତାବନୀ ଦିଆଯାଇଛି। ଧମକ ଦେଇଥିବା ବ୍ୟକ୍ତି ଜଣକ ମୁମ୍ବାଇର ଅନେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ବିସ୍ଫୋରକ ରଖାଯାଇଥିବା ଦାବି କରିଛି। ବଲିଉଡ ଅଭିନେତା ଅମିତାଭ ବଚ୍ଚନଙ୍କ ବାସଭବନ 'ଜଲସା' ସମେତ ମୁମ୍ବାଇର ମୁଖ୍ୟ ବିମାନବନ୍ଦର ଏବଂ ମେୟରଙ୍କ କାର୍ଯ୍ୟାଳୟ ଭଳି ଅତି ସମ୍ବେଦନଶୀଳ ସ୍ଥାନଗୁଡ଼ିକୁ ଏହି ଧମକପୂର୍ଣ୍ଣ ତାଲିକାରେ ରଖାଯାଇଛି। କେବଳ ସେତିକି ନୁହେଁ, ସହରର କିଛି ପ୍ରମୁଖ ବ୍ୟାଙ୍କ ଏବଂ କୋର୍ଟ ପରିସରକୁ ମଧ୍ୟ ବୋମାରେ ଉଡ଼ାଇ ଦେବାକୁ ଷଡ଼ଯନ୍ତ୍ର କରାଯାଉଥିବା ଇମେଲ୍ରେ ଉଲ୍ଲେଖ ରହିଛି।

ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ତେବେ ଏହି ଧମକ ପରେ ମୁମ୍ବାଇ ପୋଲିସ ଏବଂ ସୁରକ୍ଷା ଏଜେନ୍ସିଗୁଡ଼ିକ ହାଇଆଲର୍ଟରେ ଅଛନ୍ତି । ତୁରନ୍ତ ଆକ୍ସନ ନେଇ ଏହି ସବୁ ସ୍ଥାନଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ ଅତି କଡ଼ାକଡ଼ି କରାଯାଇଛି। ଅମିତାଭ ବଚ୍ଚନଙ୍କ ବଙ୍ଗଳା ବାହାରେ ଏବଂ ବିମାନବନ୍ଦର ପରିସରରେ ପୋଲିସ ମୁତୟନ କରାଯାଇଛି। ବୋମା ନିଷ୍କ୍ରିୟକାରୀ ଦଳ ଏବଂ ସ୍ୱେଚ୍ଛାସେବୀ ବାହିନୀ ଦ୍ୱାରା ସନ୍ଦିଗ୍ଧ ସ୍ଥାନଗୁଡ଼ିକରେ ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି। ସେପଟେ ସାଇବର୍ ସେଲ୍ ଇମେଲ୍ କେଉଁଠାରୁ ଏବଂ କିଏ ପଠାଇଛି ? ସେ ସମ୍ପର୍କରେ ଟ୍ରେସ୍ କରିବା ପାଇଁ ତଦନ୍ତ ଜାରି ରଖିଛି।

Also Read: ୭ କୋଟି ଦିଅ ନଚେତ୍ ମାରି ଦେବୁ; କେଜ୍ରିଓ୍ଵାଲ ଓ ତାଙ୍କ ଝିଅକୁ ମିଳିଲା ହତ୍ୟା ଧମକ

ପୋଲିସ ପ୍ରଶାସନ ପକ୍ଷରୁ ସାଧାରଣ ଜନତାଙ୍କୁ ସତକର ରହିବାକୁ ଏବଂ କୌଣସି ଅଚିହ୍ନା ବସ୍ତୁ ଦେଖିଲେ ତୁରନ୍ତ ଖବର ଦେବାକୁ ଅନୁରୋଧ କରାଯାଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।