ବାରଙ୍ଗ ୨୧।୦୫ : ନଦୀ ପଠାରେ ମହିଳାଙ୍କ ଅଧା ପୋତା ମୃତଦେହ। ମହିଳାଙ୍କୁ ମାରି ପୋତି ଦେଇଥିବା ସନ୍ଦେହ। କଟକ ବ୍ରାହ୍ମଣି ଗାଁ ନିକଟ କାଠଯୋଡ଼ି ନଦୀ ପଠାରେ ମହିଳାଙ୍କ ଅଧା ପୋତା ଅବସ୍ଥାରେ ମୃତଦେହ ଦେଖିବାକୁ ମିଳିଛି। ସେ ଗୋଲାପି ରଙ୍ଗର ବସ୍ତ୍ର ପିନ୍ଧିଥିବା ଜଣାପଡିଛି।

ଖବର ଅନୁଯାୟୀ, ସକାଳୁ ନିତ୍ୟକର୍ମ ପାଇଁ ନଦୀକୁ ଯାଇଥିବା ଲୋକେ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ। ଏହାପରେ ଘଟଣା ସ୍ଥଳରେ ବାରଙ୍ଗ ପୋଲିସ ପହଞ୍ଚି ତନାଘନା ଆରମ୍ଭ କରିଛି । ସ୍ପଟରେ ବାରଙ୍ଗ ଥାନା ଅଧିକାରୀ ଓ ଜୋନ ୪ ଏସିପି ପହଞ୍ଚିଛନ୍ତି। ତଦନ୍ତ ପାଇଁ ସାଇଣ୍ଟିଫିକ୍ ଟିମର ମଧ୍ୟ ସହାୟତା ନିଆଯାଇଛି। ତେବେ ମୃତ ମହିଳା କିଏ, ଏଠାକୁ କେମିତି ଆସିଲେ ?

Also Read:-Sex Racket Busted : ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ୍, କିଙ୍ଗପିନ୍ ସାଜିଥିଲେ ଜଣେ ବୃଦ୍ଧା

ସେପଟେ ବିଭିନ୍ନ ଦିଗକୁ ଅନୁଧ୍ୟାନ କରି ତଦନ୍ତ କରୁଛି ପୋଲିସ। ମୃତଦେହ ଅଧା ପୋତା ହୋଇଥିବା ନଦୀର ଆଖପାଖ ଅଞ୍ଚଳରେ ବହୁ ଇଟାଭାଟି ରହିଛି। ଇଟାଭାଟିରେ ବାହାର ଜିଲ୍ଲା ଓ ରାଜ୍ୟର ଶ୍ରମିକ କାମକରନ୍ତି। କୌଣସି ଦୂରାରୋଗ୍ୟରେ ମହିଳା ଜଣକ ମୃତ୍ୟବରଣ କରିବାପରେ ପରିବାର ନଦୀ ବାଲିରେ ପୋତି ଦେଇଥିବା ପୋଲିସ ଅନୁମାନ କରୁଛି। ହେଲେ ନଦୀ କୂଳରେ ରାତିହେଲେ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ଜମିଥାଏ। କେହି ତାଙ୍କୁ ମାରି ଫିଙ୍ଗି ଦେଇଛି କି ସେ ଦିଗକୁ ନେଇ ମଧ୍ୟ ପୋଲିସ ତଦନ୍ତ ଆଗକୁ ବଢ଼ାଉଛି। ତେଣୁ ତଦନ୍ତ ପରେ ଘଟଣାର ସତ୍ୟତା କଣ ଜଣାପଡ଼ିବ ବୋଲି ପୋଲିସ କହିଛି।