ନୂଆଦିଲ୍ଲୀ: ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (MEA) ଦ୍ୱାରା ଲୋକସଭାରେ ପ୍ରଦାନ କରାଯାଇଥିବା ଏକ ତଥ୍ୟ ଚିନ୍ତା ବଢ଼ାଇଛି । ବିଦେଶରେ ଆତ୍ମହତ୍ୟା କରୁଥିବା ଭାରତୀୟଙ୍କ ସଂଖ୍ୟାକୁ ନେଇ ଏହି ତଥ୍ୟକୁ ନେଇ ଚର୍ଚ୍ଚା ଲାଗି ରହିଛି । ଏହି ତଥ୍ୟ ଅନୁସାରେ, ବିଦେଶରେ ଭାରତୀୟଙ୍କ ଆତ୍ମହତ୍ୟା ମାମଲା ମଧ୍ୟରୁ ୭୦ ପ୍ରତିଶତରୁ ଅଧିକ କେବଳ ଗଲ୍ଫ ବା ଉପସାଗରୀୟ ଦେଶଗୁଡ଼ିକରୁ ସାମ୍ନାକୁ ଆସୁଛି। ୨୦୨୩ ରୁ ୨୦୨୫ ମଧ୍ୟରେ ବିଦେଶରେ ମୋଟ ୧,୯୦୦ ରୁ ଅଧିକ ଭାରତୀୟ ନାଗରିକ ଆତ୍ମହତ୍ୟା କରିଛନ୍ତି। ଏଥିମଧ୍ୟରୁ ୧,୩୪୦ ଟି ମାମଲା କେବଳ ଗଲ୍ଫ କୋଅପରେସନ୍ କାଉନ୍ସିଲ୍ (GCC) ଅନ୍ତର୍ଗତ ୬ ଟି ଦେଶରୁ ରିପୋର୍ଟ ହୋଇଛି।

ଗଲ୍ଫ ଦେଶଗୁଡ଼ିକରେ ଆତ୍ମହତ୍ୟା ମାମଲାର ଦେଶୱାରୀ ସଂଖ୍ୟା:

ସଂଯୁକ୍ତ ଅରବ ଏମିରେଟ୍ସ (UAE): ୫୧୧

ସାଉଦି ଆରବ: ୩୫୪

କୁୱେତ: ୧୬୨

ଓମାନ: ୧୪୬

ବାହାରିନ୍: ୧୦୧

କତାର: ୬୬

ଗଲ୍ଫ ଦେଶଗୁଡ଼ିକ ବ୍ୟତୀତ ମଲେସିଆରେ ୧୩୧ ଜଣ, ଆମେରିକାରେ ୬୨ ଜଣ ଏବଂ ଇଟାଲୀ, କାନାଡା ଓ ବ୍ରିଟେନ୍ (UK) ପ୍ରତ୍ୟେକ ଦେଶରେ ୩୦ ରୁ ଅଧିକ ଭାରତୀୟ ନାଗରିକ ଆତ୍ମହତ୍ୟା କରିଛନ୍ତି। ବର୍ତ୍ତମାନ ଗଲ୍ଫ ଦେଶଗୁଡ଼ିକରେ ପ୍ରାୟ ୧ କୋଟି ଭାରତୀୟ ନାଗରିକ ଓ ଭାରତୀୟ ବଂଶୋଦ୍ଭବ ବାସ କରୁଛନ୍ତି। ଲୋକସଭାରେ କଂଗ୍ରେସ ସାଂସଦ ସତପାଲ ବ୍ରହ୍ମଚାରୀ ଏବଂ ଜୟ ପ୍ରକାଶଙ୍କ ପ୍ରଶ୍ନର ଉତ୍ତର ଦେଇ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂହ ଏହି ସୂଚନା ସଂସଦରେ ରଖିଛନ୍ତି।

ମୃତ୍ୟୁର ଅନ୍ୟାନ୍ୟ କାରଣ
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ତଥ୍ୟ ଦର୍ଶାଉଛି ଯେ, ଆତ୍ମହତ୍ୟା ବ୍ୟତୀତ ପ୍ରାକୃତିକ କାରଣ ଓ କର୍ମକ୍ଷେତ୍ରରେ ଦୁର୍ଘଟଣା ହେତୁ ମଧ୍ୟ ବହୁ ପ୍ରବାସୀ ଭାରତୀୟ ପ୍ରାଣ ହରାଉଛନ୍ତି। ଗଲ୍ଫ ଦେଶଗୁଡ଼ିକରେ ଭାରତୀୟଙ୍କ ମୃତ୍ୟୁର ସବୁଠାରୁ ବଡ଼ କାରଣ ହେଉଛି ସ୍ୱାଭାବିକ କିମ୍ବା ପ୍ରାକୃତିକ କାରଣ (ଯେପରିକି ହୃଦଘାତ, ରୋଗ ) ।

ସାଉଦି ଆରବ: ୬,୩୭୬

ୟୁଏଇ: ୫,୭୦୨

କୁୱେତ: ୧,୬୭୨

ଓମାନ: ୧,୦୯୨

କତାର: ୭୮୩

ବାହାରିନ୍: ୭୦୩

କର୍ମକ୍ଷେତ୍ରରେ ଦୁର୍ଘଟଣା । ବିଶେଷ କରି ନିର୍ମାଣ (Construction) ଓ ଅନ୍ୟାନ୍ୟ ଶ୍ରମଭିତ୍ତିକ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକମାନେ ଦୁର୍ଘଟଣାର ଶିକାର ହେଉଛନ୍ତି ।

ସାଉଦି ଆରବ: ୧୮୨

ୟୁଏଇ: ୧୨୮

କୁୱେତ: ୬୨

ଓମାନ: ୩୮

କାତାର: ୨୩

ବାହାରିନ୍: ୧୦

ପ୍ରବାସୀ ଶ୍ରମିକଙ୍କ ସୁରକ୍ଷା ଓ କଲ୍ୟାଣ ପାଇଁ କେନ୍ଦ୍ର ସରକାର ପ୍ରବାସୀ ଭାରତୀୟ ବୀମା ଯୋଜନା (PBBY) କାର୍ଯ୍ୟକାରୀ କରିଛନ୍ତି। ଏହି ଯୋଜନା ECR (Emigration Check Required) ବର୍ଗର ଶ୍ରମିକମାନଙ୍କ ପାଇଁ ବାଧ୍ୟତାମୂଳକ। ଦୁର୍ଘଟଣାଜନିତ ମୃତ୍ୟୁ କିମ୍ବା ସ୍ଥାୟୀ ଅକ୍ଷମତା କ୍ଷେତ୍ରରେ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ମିଳିଥାଏ। ୨ ବର୍ଷ ପାଇଁ ମାତ୍ର ୨୭୫ ଟଙ୍କା ଏବଂ ୩ ବର୍ଷ ପାଇଁ ୩୭୫ ଟଙ୍କା ପ୍ରିମିୟମ୍ ପ୍ରଦାନ କରିବାକୁ ପଡ଼ିଥାଏ। ୨୦୧୪ ରୁ ୨୦୨୨ ମଧ୍ୟରେ ବିଦେଶରେ ୪,୦୦୫ ଜଣ ଭାରତୀୟଙ୍କ ଆତ୍ମହତ୍ୟା ରିପୋର୍ଟ ହୋଇଥିବା ବେଳେ,  ହାରାହାରି ଆତ୍ମହତ୍ୟା ସଂଖ୍ୟାରେ  ବୃଦ୍ଧି ପରିଲକ୍ଷିତ ହୋଇଛି, ଯାହା ଶ୍ରମିକଙ୍କ ମାନସିକ ସ୍ୱାସ୍ଥ୍ୟ ଓ ଚାପ ପ୍ରତି ବିଶେଷ ଧ୍ୟାନ ଦେବାର ଆବଶ୍ୟକତାକୁ ଦର୍ଶାଉଛି।