ବେଙ୍ଗାଲୁରୁ: କର୍ଣ୍ଣାଟକ ସରକାରଙ୍କ ମନ୍ତ୍ରୀ ତଥା କଂଗ୍ରେସ ନେତା ବି. ନାଗେନ୍ଦ୍ର (B Nagendra) ରାଜ୍ୟ ମନ୍ତ୍ରୀମଣ୍ଡଳ ଏବଂ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। 'କର୍ଣ୍ଣାଟକ ମହର୍ଷି ବାଲ୍ମୀକି ଅନୁସୂଚିତ ଜନଜାତି ଉନ୍ନୟନ ନିଗମ' ରେ ହୋଇଥିବା ଆର୍ଥିକ ଅନିୟମିତତା ଓ ଦୁର୍ନୀତି ଅଭିଯୋଗକୁ ନେଇ ସେ ଏହି ନିଷ୍ପତ୍ତି ନେଇଛନ୍ତି।

ଏକ ସାମ୍ବାଦିକ ସମ୍ମିଳନୀରେ ନାଗେନ୍ଦ୍ର କହିଛନ୍ତି ଯେ, ନିଜ ଦଳ (କଂଗ୍ରେସ) କୁ କୌଣସି ପ୍ରକାରର ଅସୁବିଧା କିମ୍ବା ଲଜ୍ଜାଜନକ ସ୍ଥିତିରୁ ରକ୍ଷା କରିବା ପାଇଁ ସେ ‘ସ୍ୱେଚ୍ଛାକୃତ ଭାବରେ’ ନିଜ ପଦବୀରୁ ଓହରିଯିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ନିଜକୁ ବିଜେପିର ‘ମନୁବାଦୀ ରାଜନୀତି’ ର ଶିକାର ବୋଲି ଅଭିଯୋଗ କରିଛନ୍ତି ଏବଂ ବିରୋଧୀ ଦଳ ତାଙ୍କୁ ଚକ୍ରାନ୍ତ କରି ଫସାଇବାକୁ ଚେଷ୍ଟା କରୁଛି ବୋଲି ଦାବି କରିଛନ୍ତି। ଏହା ସହ ସେ ସାମ୍ବାଦିକ ସମ୍ମିଳନୀରେ କାନ୍ଦୁଥିବା ମଧ୍ୟ ଦେଖିବାକୁ ମିଳିଛି ।

ବାଲ୍ମୀକି ଉନ୍ନୟନ ନିଗମର ବ୍ୟାଙ୍କ ଆକାଉଣ୍ଟରୁ ପ୍ରାୟ ୮୯ କୋଟିରୁ ଅଧିକ ଟଙ୍କା ଗାଏବ ଏବଂ ବେଆଇନ ଭାବେ ବିଭିନ୍ନ  ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଥିବା ଅଭିଯୋଗ ହୋଇଥିଲା। ୨୦୨୪ ମସିହାରେ ନିଗମର ଜଣେ ଅଧିକାରୀ ଚନ୍ଦ୍ରଶେଖରନ୍ ଆତ୍ମହତ୍ୟା କରିବା ଏବଂ ତାଙ୍କ ସୁଇସାଇଡ୍ ନୋଟ୍‌ରେ ଆର୍ଥିକ ଅନିୟମିତତା କଥା ଉଲ୍ଲେଖ କରିବା ପରେ ଏହି ଦୁର୍ନୀତି ସାମ୍ନାକୁ ଆସିଥିଲା।

ବିଜେପି ଏବଂ ଜେଡିଏସ୍ ନାଗେନ୍ଦ୍ରଙ୍କ ଇସ୍ତଫା ଦାବିରେ ବିଧାନସଭା ଭିତରେ ଓ ବାହାରେ ଆନ୍ଦୋଳନ ଜାରି ରଖିଥିଲେ।
ବିରୋଧୀଙ୍କ ଦାବି ଏବଂ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ତଦନ୍ତ ମଧ୍ୟରେ ସରକାରଙ୍କ ଉପରେ ଚାପ ବୃଦ୍ଧି ପାଇବାରୁ ସେ ଇସ୍ତଫା ଦେବାକୁ ବାଧ୍ୟ ହୋଇଛନ୍ତି। ସୂଚନାଯୋଗ୍ୟ, ସିଦ୍ଦରମୈୟାଙ୍କ କ୍ୟାବିନେଟରେ ମଧ୍ୟ ଜନଜାତି ଉନ୍ନୟନ ମନ୍ତ୍ରୀ ଥିଲେ ନାଗେନ୍ଦ୍ର । ଏହି ସମାନ ବିବାଦ କାରଣରୁ ସେ ଜୁନ୍‌ ୨୦୨୪ରେ ନିଜ ପଦରୁ ଇସ୍ତଫା ଦେଇଥିଲେ । ଏହା ପରେ ଶିବକୁମାର ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କୁ ପୁଣି ଥରେ ମନ୍ତ୍ରୀ ପଦ ମିଳିଥିଲା ।