ତିରୁଅନନ୍ତପୁରମ: କେରଳରେ ଦୁଗ୍ଧ ମହଙ୍ଗା ହୋଇଛି। ଲିଟର ପିଛା ୪ ଟଙ୍କା ବୃଦ୍ଧି ଲାଗି ନିଷ୍ପତ୍ତିକୁ ରାଜ୍ୟର ନୂଆ କଂଗ୍ରେସ ସରକାର ମଞ୍ଜୁରୀ ଦେଇଛନ୍ତି। ଏହି ବର୍ଦ୍ଧିତ ମୂଲ୍ୟ ରାଜ୍ୟରେ ଜୁନ ୧ ତାରିଖରୁ ଲାଗୁ ହେବ। ରାଜ୍ୟ ସମବାୟ ଡାୟେରୀ ସଂସ୍ଥା ‘ମିଲ୍ମା’ ବୁଧବାର ଏହି ଘୋଷଣା କରିଛି। ମିଲ୍ମା ଚେୟାରମ୍ୟାନ କେ.ଏସ.ମଣି କହିଛନ୍ତି ଯେ ମୂଲ୍ୟବୃଦ୍ଧି ପ୍ରସ୍ତାବକୁ ପିଛିଲା ବାମପନ୍ଥୀ ସରକାର ମଞ୍ଜୁର କରିଥିଲେ। ତେବେ ରାଜ୍ୟରେ ନିର୍ବାଚନ ଆଚରଣ ବିଧି ଲାଗୁ ଥିବାରୁ ଦର ବୃଦ୍ଧି ନିଷ୍ପତ୍ତି କାର୍ଯ୍ୟକାରୀ ହୋଇ ପାରିନଥିଲା।

ଏବେ ନୂଆ ସରକାର ଗଢା ହେବା ପରେ ମୁଖ୍ୟମନ୍ତ୍ରୀ ଭି.ଡି.ସତୀଶନଙ୍କ ମଞ୍ଜୁରୀ ମିଳିବା ପରେ ଏବେ ଏହାକୁ ଲାଗୁ କରାଯାଇଛି। ମିଲ୍ମା ଅଧିକାରୀମାନେ କହିଛନ୍ତି ଯେ ଏହି ନିଷ୍ପତ୍ତି କେରଳ କୋ-ଅପରେଟିଭ ମିଲ୍କ ମାର୍କେଟିଂ ଫେଡେରେସନ (କେସିଏମଏମଏଫ) ନିର୍ଦ୍ଦେଶକ ମଣ୍ଡଳୀ ବୈଠକରେ ନିଆଯାଇଥିଲା। ଏହି ଫେଡେରେସନକୁ ରାଜ୍ୟରେ ମିଲ୍ମା ନାମରେ ଜଣାଯାଏ। ମିଲ୍ମା ଚେୟାରମ୍ୟାନ କେ.ଏସ.ମଣି ସାମ୍ବାଦିକଙ୍କୁ କହିଛନ୍ତି ଯେ ବର୍ଦ୍ଧିତ ମୂଲ୍ୟର ଏକ ବଡ ଭାଗ ରାଜ୍ୟର ଦୁଗ୍ଧ ଚାଷୀଙ୍କୁ ପ୍ରଦାନ କରାଯିବ।

ସେ କହିଛନ୍ତି ଯେ ଯେହେତୁ ମିଲ୍ମା ଦୁଗ୍ଧ ଚାଷୀଙ୍କ ଏକ ସମୂହ ଏଣୁ ନିଷ୍ପତ୍ତି ନିଆଯାଇଛି ଯେ ଏହି ମୂଲ୍ୟ ବୃଦ୍ଧିର ସିଂହ ଭାଗ ଚାଷୀଙ୍କୁ ଦିଆଯିବ। ଏଥିରେ ଚାଷୀ ଏବେ ପ୍ରତି ଲିଟର ଅଧିକ ୩ଟଙ୍କା ୭୫ ପଇସା ଚାଷୀ ପାଇବେ। ସେହିପରି କୋ-ଅପେରଟିଭ ସୋସାଇଟି ଓ ବିକ୍ରେତାଙ୍କୁ ମଧ୍ୟ ସେମାନଙ୍କ ଅଂଶ ମିଳିବ। ତେବେ ବର୍ଦ୍ଧିତ ମୂଲ୍ୟର ଏକ ସାମାନ୍ୟ ରାଶି ମିଲ୍ମା ନିଜ ପାଇଁ ରଖିବ ଓ ଚାଷୀଙ୍କୁ ମିଳିବାକୁ ଥିବା ପଇସାରୁ କୌଣସି କାଣ୍ଟଛାଣ୍ଟ ହେବନି।