ଭୁବନେଶ୍ଵର: ମଧ୍ୟପ୍ରାଚ୍ୟରେ ଦେଖାଦେଇଥିବା ଯୁଦ୍ଧ ଓ ଅଶାନ୍ତ ପରିସ୍ଥିତି ଯୋଗୁଁ ଓଡ଼ିଶାରୁ ସାମୁଦ୍ରିକ ଖାଦ୍ୟ ରପ୍ତାନି ବାଧାପ୍ରାପ୍ତ ହୋଇଛି। ବିଶେଷ କରି ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକୁ ହେଉଥିବା ମାଛ, ଚିଙ୍ଗୁଡ଼ି ଓ ଅନ୍ୟାନ୍ୟ ସାମୁଦ୍ରିକ ଖାଦ୍ୟ ରପ୍ତାନି କମିବାରୁ ରାଜ୍ୟର ରପ୍ତାନିକାରୀମାନେ ପ୍ରାୟ ୨୩.୪୦ କୋଟି ଟଙ୍କାର କ୍ଷତି ସହିଛନ୍ତି। ବିଧାନସଭାରେ ବିଜେଡି ବିଧାୟକ ପ୍ରତାପ କେଶରୀ ଦେବଙ୍କ ପ୍ରଶ୍ନର ଉତ୍ତର ଦେଇ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହି ସୂଚନା ଦେଇଛନ୍ତି।

ରପ୍ତାନି ମୂଲ୍ୟରେ ୧୪.୫୭% ହ୍ରାସ

ସେ ଗୃହରେ ତଥ୍ୟ ରଖି କହିଛନ୍ତି ଯେ, ୨୦୨୫-୨୬ ଆର୍ଥିକ ବର୍ଷରେ (ଏପ୍ରିଲରୁ ଅଗଷ୍ଟ) ଓଡ଼ିଶାରୁ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକୁ ସାମୁଦ୍ରିକ ଖାଦ୍ୟ ରପ୍ତାନି ମୂଲ୍ୟରେ ୧୪.୫୭% ହ୍ରାସ ଘଟିଛି। ଗତବର୍ଷ ଏହି ସମୟ ମଧ୍ୟରେ ୧୬୦.୫୭ କୋଟିର ସାମୁଦ୍ରିକ ଖାଦ୍ୟ ରପ୍ତାନି ହୋଇଥିବା ବେଳେ ଏଥର ତାହା କମି ୧୩୭.୧୭ କୋଟିରେ ପହଞ୍ଚିଛି।  ମଧ୍ୟପ୍ରାଚ୍ୟରେ ରପ୍ତାନି କମିଥିଲେ ସୁଦ୍ଧା, ସମଗ୍ର ବିଶ୍ୱ ସ୍ତରରେ ଓଡ଼ିଶାର ମୋଟ ସାମୁଦ୍ରିକ ଖାଦ୍ୟ ରପ୍ତାନିରେ ୧୬.୩୬% ବୃଦ୍ଧି ଘଟିଛି। ଗତବର୍ଷ ତୁଳନାରେ ଏହି ମୂଲ୍ୟ ୭୬୩.୯୪ କୋଟି ବୃଦ୍ଧି ପାଇଛି।  ୨୦୨୫-୨୬ ବର୍ଷରେ ଓଡ଼ିଶାରୁ ମୋଟ ୧,୦୦,୮୬୪ ମେଟ୍ରିକ୍ ଟନ୍ ସାମୁଦ୍ରିକ ଖାଦ୍ୟ ରପ୍ତାନି ହୋଇଛି, ଯାହାର ମୋଟ ମୂଲ୍ୟ ୫,୪୩୧.୯୫ କୋଟି ହେବ।

Also Read: ରାଜ୍ୟର ୭ ଜିଲ୍ଲାରେ ବଢ଼ିଛି ଧାନ ଚାଷ, ବିଧାନସଭାରେ ତଥ୍ୟ ରଖିଲେ ଉପମୁଖ୍ୟମନ୍ତ୍ରୀ

୫,୪୦୯.୯୨ କୋଟି ଟଙ୍କାର ଚିଙ୍ଗୁଡ଼ି ରପ୍ତାନି

ସରକାରୀ ତଥ୍ୟ ଅନୁସାରେ, ଓଡ଼ିଶାରୁ ରପ୍ତାନି ହେଉଥିବା ସାମୁଦ୍ରିକ ଖାଦ୍ୟ ମଧ୍ୟରେ ଫ୍ରୋଜନ୍ ଚିଙ୍ଗୁଡ଼ି (Frozen Shrimp) ର ଭାଗ ସବୁଠାରୁ ଅଧିକ। ୨୦୨୫-୨୬ରେ କେବଳ ୫,୪୦୯.୯୨ କୋଟି ଟଙ୍କାର ଚିଙ୍ଗୁଡ଼ି ରପ୍ତାନି କରାଯାଇଛି। ଏହା ବ୍ୟତୀତ ଫ୍ରୋଜନ୍ ମାଛ, କଟଲ୍ ଫିସ୍ ଓ ସୁଖୁଆ (Dried items) ମଧ୍ୟ ବିଦେଶକୁ ରପ୍ତାନି କରାଯାଉଥିବା ସୂଚନା ଦେଇଛନ୍ତି ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ।