ରାୟପୁର: ଛତିଶଗଡ଼ର ଶହୀଦ ବୀର ନାରାୟଣ ସିଂ ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଆଜି ଦେଖିବାକୁ ମିଳିଛି ହାଇଭୋଲ୍ଟେଜ୍ ଲଢ଼େଇ । ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ମଧ୍ୟରେ ଚାଲିଥିବା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ୭ Wicket ହରାଇ ୧୬୬ ରନ ସଂଗ୍ରହ କରିଛି । ବେଙ୍ଗାଲୁରୁ ପାଇଁ ଏବେ ବିଜୟ ଲକ୍ଷ୍ୟ ୧୬୭ ରନ ରହିଛି ।

ଟପ୍ ଅର୍ଡର

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ମୁମ୍ବାଇର ଆରମ୍ଭ ବହୁତ ଖରାପ ରହିଥିଲା । ଦଳୀୟ ସ୍କୋର ମାତ୍ର ୪ ରନ ହୋଇଥିବା ବେଳେ ଓପନର ରାଇଲି ରିସେଲଟନ୍ ମାତ୍ର ୨ ରନ କରି ଆଉଟ୍ ହୋଇଥିଲେ । ଏହାପରେ ରୋହିତ ଶର୍ମା କିଛି ବିସ୍ଫୋରକ ସଟ୍ ଖେଳି (୨୨ ରନ, ୧୦ ବଲ୍, ୨ ଛକା) ଆଶା ଜଗାଇଥିଲେ ସତ, କିନ୍ତୁ ଅଭିଜ୍ଞ ଭୁବନେଶ୍ୱର କୁମାରଙ୍କ ଜାଲରେ ସେ ବି ଫସିଯାଇଥିଲେ । ସବୁଠାରୁ ବଡ଼ ଝଟକା ଲାଗିଥିଲା ଯେତେବେଳେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ 0 ରନରେ ପାଭିଲିୟନ ଫେରିଥିଲେ । ୨୮ ରନରେ ୩ଟି ମୂଲ୍ୟବାନ ଉଇକେଟ ହରାଇ ମୁମ୍ବାଇ ସଂଘର୍ଷ କରୁଥିଲା ।

ତିଲକ-ନମନଙ୍କ ପାରି

ବିପର୍ଯ୍ୟୟ ସମୟରେ ମୁମ୍ବାଇ ପାଇଁ ସାହାଜସାଜି ଥିଲେ ଯୁବ ବ୍ୟାଟର ତିଲକ ବର୍ମା ଏବଂ ନାମନ ଧୀର । ଉଭୟ ଧୈର୍ଯ୍ୟର ସହ ବ୍ୟାଟିଂ କରି ଦଳକୁ ବଡ଼ ସ୍କୋର ଆଡ଼କୁ ନେଇଥିଲେ ।

ତିଲକ ବର୍ମା:୪୨ ବଲରେ ୫୭ ରନ (୩ ଚୌକା, ୨ ଛକା)

ନମନ ଧୀର:୩୨ ବଲରେ ୪୭ ରନ (୫ ଚୌକା, ୨ ଛକା)

ଏହି ଦୁଇ ବ୍ୟାଟରଙ୍କ ମଧ୍ୟରେ ହୋଇଥିବା ୫୦ରୁ ଅଧିକ ରନର ପାର୍ଟନରସିପ୍ ଯୋଗୁଁ ମୁମ୍ବାଇ ଏକ ଲଢ଼ୁଆ ସ୍କୋର ଛିଡ଼ା କରିବାରେ ସଫଳ ହୋଇଛି । ଶେଷ ଭାଗରେ ରାଜ ବାୱା ୧୬ ରନର ସହଯୋଗ କରିଥିଲେ ।

ଭୁବନେଶ୍ୱରଙ୍କ 'ଘାତକ'ସ୍ପେଲ୍

ଆରସିବି (RCB) ପକ୍ଷରୁ ଅଭିଜ୍ଞ ସୁଇଂ ବୋଲର ଭୁବନେଶ୍ୱର କୁମାର ଆଜି ଶାଣିତ ବୋଲିଂ କରି ମୁମ୍ବାଇ ବ୍ୟାଟରଙ୍କୁ ନାକେଦମ୍ କରିଦେଇଥିଲେ । ସେ ନିଜର ୪ ଓଭର କୋଟାରେ ମାତ୍ର ୨୩ ରନ ଦେଇ ୪ଟି ଗୁରୁତ୍ୱପୂର୍ଣ୍ଣ ଉଇକେଟ୍ ଅକ୍ତିଆର କରିଛନ୍ତି । ଅନ୍ୟପଟେ ହେଜଲଉଡ୍, ରସିଖ ସାଲାମ ଓ ରୋମାରିଓ ଗୋଟିଏ ଲେଖାଏଁ ଉଇକେଟ୍ ନେଇଛନ୍ତି ।

ସଂକ୍ଷିପ୍ତ ସ୍କୋର:

ମୁମ୍ବାଇ ଇଣ୍ଡିଆନ୍ସ: ୧୬୬/୭ (୨୦ ଓଭର)

ମୁଖ୍ୟ ବ୍ୟାଟର: ତିଲକ ବର୍ମା (୫୭), ନାମନ ଧୀର (୪୭)

ମୁଖ୍ୟ ବୋଲର: ଭୁବନେଶ୍ୱର କୁମାର (୪/୨୩)

ଏବେ ଦେଖିବାକୁ ବାକି ରହିଲା କୋହଲିଙ୍କ ଆରସିବି ୧୬୭ ରନର ଏହି ଲକ୍ଷ୍ୟକୁ ସହଜରେ ହାସଲ କରିପାରୁଛି କି ମୁମ୍ବାଇ ବୋଲରମାନେ ପଲଟା ଆକ୍ରମଣ କରୁଛନ୍ତି ।