IPL 2026 MI vs PBKS: ପ୍ରଭସିମରନ ସିଂ ଓ ଅଧିନାୟକ ଶ୍ରେୟସ ଆୟରଙ୍କ ଦମଦାର ଅର୍ଦ୍ଧଶତକ। ବୃଥା ହେଲା ଡିକକଙ୍କ ଅପରାଜିତ ଶତକ। ଆଇପିଏଲ୍ ୨୦୨୬ର ୨୪ତମ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ ସହଜରେ ମୁମ୍ବାଇ ଇଣ୍ଡିଆନ୍ସକୁ ୭ ଓ୍ଵିକେଟରେ ପରାସ୍ତ କରିଛି। ମୁମ୍ବାଇ ଡିକକଙ୍କ ୧୧୨ ରନ ଓ ନମନ ଧୀରଙ୍କ ୫୦ ରନ ବଳରେ ୧୯୫ ରନ କରିଥିଲା। ଜବାବରେ ପ୍ରଭସିମରନ ସିଂଙ୍କ ଅପରାଜିତ ୮୦ ରନ ଓ ଶ୍ରେୟସ ଆୟରଙ୍କ ୬୬ ରନ ବଳରେ ପଞ୍ଜାବ ୧୬.୩ ଓଭରରେ ସହଜରେ ମ୍ୟାଚ୍ ଜିତି ନେଇଛି। ନିଜର ପଞ୍ଚମ ମ୍ୟାଚରୁ ୪ ବିଜୟ ସହ ଅଙ୍କ ତାଲିକାର ଶୀର୍ଷରେ ପହଞ୍ଚିଛି ପଞ୍ଜାବ କିଙ୍ଗ୍ସ। ଆଉ ମୁମ୍ବାଇ ଇଣ୍ଡିଆନ୍ସ କ୍ରମାଗତ ଚତୁର୍ଥ ପରାଜୟ ଭୋଗିଛି।

୧୯୬ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ପଞ୍ଜାବ କିଙ୍ଗ୍ସ ୨୭ ରନରେ ପ୍ରଥମ ଓ୍ଵିକେଟ୍ ହରାଇଥିଲା। ପ୍ରିୟାଂଶ ଆର୍ଯ୍ୟ ୧୫ ରନ କରି ଆଉଟ୍ ହୋଇଥିଲେ। କୁପର କନୋଲି ୧୭ ରନ କରିଥିଲେ। ଏହା ପରେ ପ୍ରଭସିମରନ ସିଂ ଓ ଅଧିନାୟକ ଶ୍ରେୟସ ଆୟର ଇନିଂସ ସମ୍ଭାଳିଥିଲେ। ଦୁହେଁ ମୁମ୍ବାଇ ବୋଲରଙ୍କୁ ପାଲଟା ଆକ୍ରମଣ କରି ମ୍ୟାଚରେ ପ୍ରଧ୍ୟାନ୍ୟ ବିସ୍ତାର କରିଥିଲେ।ଦୁହିଁଙ୍କ ଆଗରେ ମୁମ୍ବାଇ ବୋଲର ଅସହାୟ ନଜର ଆସିଥିଲେ।

Also Read: 'ଦୋସା, ଇଡଲି’ ଗୀତରୁ ମହାଭାରତ, RCB ବିରୋଧରେ CSKର ଅଭିଯୋଗ, ହେବ କାର୍ଯ୍ୟାନୁଷ୍ଠାନ !

ଦୁଇ ବ୍ୟାଟର ନିଜର ନିଜର ଅର୍ଦ୍ଧଶତକ ହାସଲ କରି ୩ୟ ଓ୍ଵିକେଟ୍ ପାଇଁ ୧୩୯ ରନ ଯୋଡ଼ି ମ୍ୟାଚକୁ ଏକତରଫା କରି ଦେଇଥିଲେ। ୧୮୪ ରନ ସ୍କୋରରେ ହିଁ ଆୟର ଆଉଟ୍ ହୋଇଥିଲେ। ସେ ୩୫ ବଲରୁ ୫ ଚୌକ ଓ ୪ ଛକା ସହ ୬୬ ରନ କରିଥିଲେ। ପ୍ରଭସିମରନ ୩୯ ବଲରୁ ୧୧ ଚୌକା ଓ ୨ ଛକା ସହ ୮୦ ରନ କରି ମ୍ୟାଚ୍ ଜିତାଇଥିଲେ। ପଞ୍ଜାବ ୧୬.୩ ଓଭରରେ ୧୯୬ ରନର ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ବୋଲିଂରେ ଆଲା ଗଜନଫରଙ୍କୁ ବାଦ୍ ଦେଲେ ବାକି ସବୁ ବୋଲର ନିର୍ଧୁମ ଛେଚା ଖାଇଛନ୍ତି। ଗଜନଫର ୩୧ ରନ ଦେଇ ୨ଟି ଓ୍ଵିକେଟ୍ ନେଇଥିଲେ।

MI ଇନିଂସ

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇର ଆରମ୍ଭ ନିରାଶଜନକ ଥିଲା। ରିୟାନ ରିକଲଟନ ୨ ରନ କରିଥିବା ବେଳେ ସୂର୍ଯ୍ୟକୁମାର ଯାଦବ ଖାତା ଖୋଲି ପାରି ନ ଥିଲେ। ଏହା ପରେ ଚଳିତ ସିଜିନରେ ପ୍ରଥମ ମ୍ୟାଚ୍ ଖେଳିଥିବା ଡିକକ୍ ଧୂଆଁଧାର ବ୍ୟାଟିଂ କରିଥିଲେ। ତାଙ୍କୁ ଉତ୍ତମ ସହଯୋଗ ଦେଇଥିଲେ ନମନ ଧୀର। ଦୁଇ ବ୍ୟାଟର ଦମଦାର ବ୍ୟାଟିଂ କରି ପଞ୍ଜାବ ବୋଲରଙ୍କୁ ପ୍ରହାର କରିଥିଲେ। ଦୁହେଁ ତୃତୀୟ ଓ୍ଵିକେଟ୍ ପାଇଁ ୧୨୨ ରନ ଯୋଡ଼ି ଦଳର ସ୍କୋରକୁ ୧୩୪ ରନରେ ପହଞ୍ଚାଇଥିଲେ। ନମନ ଧୀର ୩୧ ବଲରୁ ୩ ଚୌକା ଓ ୩ ଛକା ସହ ୫୦ ରନ କରି ଆଉଟ୍ ହୋଇଥିଲେ।

Also Read: ଲିଟି- ଚୋଖା ବି ଛାଡ଼ି ଦେଲେ, ବଡ଼ ବଡ଼ ଛକା ମାରିବା ପାଇଁ ଏହା ଖାଉଛନ୍ତି ବୈଭବ ସୂର୍ଯ୍ୟବଂଶୀ

ଏହା ପରେ ହାର୍ଦ୍ଦିକ ପାଣ୍ଡ୍ୟା(୧୪ ରନ) କିଛି ଖାସ୍ କରି ପାରି ନ ଥିଲେ। ଗୋଟିଏ ପଟେ ଡିକକ୍ ମୋର୍ଚ୍ଚା ସମ୍ଭାଳିଥିବା ବେଳେ ଅନ୍ୟପଟୁ ସହାୟତା ମିଳି ନ ଥିଲା । ଡିକକ୍ ଦମଦାର ଶତକ ହାସଲ କରିଥିଲେ। ହେଲେ ଶେଷ ୪ ଓଭରରେ ପଞ୍ଜାବ ବୋଲର ଘାତକ ବୋଲିଂ କରି ମୁମ୍ବାଇକୁ ୨୦୦ ରନ ବି କରି ପାରିବାକୁ ଦେଇ ନ ଥିଲେ। ତିଳକ ୩ ବଲରୁ ୮ ରନ କରି ରନଆଉଟ୍ ହୋଇଥିଲେ। ମୁମ୍ବାଇ ୬ ଓ୍ଵିକେଟ୍ ହରାଇ ୧୯୫ ରନ କରି ପାରିଛି। ଡିକକ୍ ୬୦ ବଲରୁ ୮ ଚୌକା ଓ ୭ ଛକା ସହ ୧୧୨ ରନରେ ଅପରାଜିତ ଥିଲେ।