ମେରଠ: ମୋତେ ଡର ଲାଗୁଛି... ମୋ ପତ୍ନୀ ଓ ତା ପ୍ରେମିକ ମିଶି ମୋତେ ମାରି ଦେବେ। ପୋଲିସ ନିକଟରେ ଏମିତି ଗୁହାରି କରିଛନ୍ତି ମେରଠର ଜଣେ ଯୁବକ। ସଂପ୍ରତି ଦେଶରେ ପ୍ରେମିକ ସହ ମିଶି ସ୍ଵାମୀକୁ ହତ୍ୟା କରିବା ପ୍ରଚଳନ ବଢିବାରେ ଲାଗିଛି। ଏହି କ୍ରମରେ ମେରଠରୁ ଏମିତି ଏକ ରୋଚକ ଖବର ସାମ୍ନାକୁ ଆସିଛି। ଯୁବକ ଜଣକ ଅଭିଯୋଗ କରିଛନ୍ତି ଯେ, ତାଙ୍କ ପତ୍ନୀଙ୍କ ଅନ୍ୟ ଜଣେ ଯୁବକଙ୍କ ସହ ପ୍ରେମ ସଂପର୍କ ରହିଛି। ଦୁହେଁ ମିଶି ତାଙ୍କୁ ହତ୍ୟା କରିବାକୁ ଯୋଜନା କରୁଛନ୍ତି।
ଲଭ୍ ମ୍ୟାରେଜ୍ ପରେ ଆରମ୍ଭ ହେଲା ବିବାଦ
ମିରଟର ସୂର୍ଯ୍ୟୋଦୟ କୋଲୋନୀରେ ରହୁଥିବା ଏହି ଯୁବକ ଜଣକ ଜଣେ ଫୁଡ୍ ଡେଲିଭରୀ ବୟ ଭାବେ କାମ କରନ୍ତି। ୨୦୨୫ ଜୁନ୍ ୨୨ରେ ସେ ମେଡିକାଲ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରେମ ବିବାହ କରିଥିଲେ। ତେବେ ବିବାହର କିଛି ଦିନ ପରେ ଦମ୍ପତିଙ୍କ ମଧ୍ୟରେ ମନୋମାଳିନ୍ୟ ଆରମ୍ଭ ହୋଇଥିଲା। ଯୁବକଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ସ୍ତ୍ରୀଙ୍କର ଅନ୍ୟ ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ରହିଛି। ଏହି ସମ୍ପର୍କରେ ବାଧକ ସାଜୁଥିବାରୁ ସ୍ତ୍ରୀ ଓ ତାଙ୍କ ପ୍ରେମିକ ମିଶି ତାଙ୍କୁ ରାସ୍ତାରୁ ହଟାଇବାକୁ ଚକ୍ରାନ୍ତ କରୁଛନ୍ତି।
Also Read: ସ୍ଵାମୀକୁ ନେଇ ପଞ୍ଚାୟତର ବିଚିତ୍ର ନିଷ୍ପତ୍ତି: ସପ୍ତାହରେ ୩ ଦିନ ପ୍ରଥମ, ୩ ଦିନ ଦ୍ୱିତୀୟ ସ୍ତ୍ରୀ ପାଖରେ ରୁହ
ଜେଲ୍ ପଠାଇବାକୁ ଚେଷ୍ଟା ଓ ମାଡ଼ପିଟ୍ ଅଭିଯୋଗ
ପୀଡ଼ିତ ସ୍ୱାମୀ ଆହୁରି ଦାବି କରିଛନ୍ତି ଯେ, ସ୍ତ୍ରୀ ନିଜେ ବିଷାକ୍ତ ଦ୍ରବ୍ୟ ପିଇ ତାଙ୍କ ପରିବାରକୁ ମିଥ୍ୟା କେସ୍ରେ ଫସାଇବାକୁ ଚେଷ୍ଟା କରିଥିଲେ ଏବଂ ତାଙ୍କ ନାଁରେ ଯୌତୁକ ନିର୍ଯାତନା ମାମଲା ବି ରୁଜୁ କରିଛନ୍ତି। ଗତ ଜୁଲାଇ ୧୪ ତାରିଖରେ ସ୍ତ୍ରୀ ଏବଂ ତାଙ୍କ କଥିତ ପ୍ରେମିକ ମିଶି ତାଙ୍କୁ ପ୍ରଚୁର ମାଡ଼ ମାରିଥିବା ସେ ପୋଲିସ ଆଗରେ କହିଛନ୍ତି। ସମ୍ପ୍ରତି ଦେଶସାରା ସ୍ୱାମୀଙ୍କୁ ହତ୍ୟା କରାଯାଉଥିବା ଘଟଣାକୁ ଦେଖି ସେ ପ୍ରବଳ ଭୟଭୀତ ଅଛନ୍ତି ଏବଂ ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସୁରକ୍ଷା ମାଗିଛନ୍ତି।
ତଦନ୍ତ ଜାରି ରଖିଛି ପୋଲିସ
ଏହି ସମ୍ବେଦନଶୀଳ ଘଟଣାକୁ ନେଇ ମିରଟ ସିଓ ସିଭିଲ୍ ଲାଇନ୍ସ ବିଶ୍ୱଜ୍ୟୋତି ରାୟ କହିଛନ୍ତି ଯେ, ଯୁବକଙ୍କଠାରୁ ଏକ ଲିଖିତ ଅଭିଯୋଗ ପତ୍ର ମିଳିଛି। ସ୍ତ୍ରୀ ତାଙ୍କୁ ମାଡ଼ପିଟ୍ କରୁଥିବା ଏବଂ ହତ୍ୟା କରିବାକୁ ଧମକ ଦେଉଥିବା ଅଭିଯୋଗ ହୋଇଛି। ମେଡିକାଲ ଥାନା ପୋଲିସକୁ ଏହାର ପୂରା ତଦନ୍ତ ଭାର ଦିଆଯାଇଛି। ଉଭୟ ପକ୍ଷଙ୍କୁ ପଚରାଉଚୁରା କରାଯାଉଛି ଏବଂ ତଥ୍ୟ ଆଧାରରେ ଆଗାମୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
