କଟକ ୨୪।୨: କଟକ ଶୈଳବାଳା ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦାବି ପ୍ରସଙ୍ଗରେ କଠୋର ହେଲେ କଲେଜ କର୍ତ୍ତୃପକ୍ଷ । ଜିଲ୍ଲା ପ୍ରଶାସନର ତାଗିଦ ପରେ ମଙ୍ଗଳବାର କଲେଜ ଭିତରକୁ ଗଣମାଧ୍ୟମ ପ୍ରବେଶକୁ ବାରଣ କରାଯାଇଛି । କଲେଜ ମୁଖ୍ୟ ଫାଟକ ସମ୍ମୁଖରେ ପୋଲିସ ବାରିକେଡିଂ ସହ ପୋଲିସ ମୁତୟନ କରାଯାଇଛି । ମଙ୍ଗଳବାର ଜିଲ୍ଲା ପ୍ରଶାସନ ଏବଂ ଆନ୍ଦୋଳନରତ ଛାତ୍ରୀଙ୍କ ମଧ୍ୟରେ ଆଲୋଚନା ପ୍ରସ୍ତାବ ରହିଛି । ବିଶ୍ଵବିଦ୍ୟାଳୟ ମାନ୍ୟତା ଦାବିରେ ୩୩ ଦିନ ହେଲା ଆନ୍ଦୋଳନ ଚାଲିଛି ।

ଏ ଖବର ବି ପଢ଼ନ୍ତୁ:- ୬ ଲକ୍ଷ ଲିଟର ପାଣିରେ ଲିଭିଲାନି ସୁପର ମାର୍ଟ ନିଆଁ, ଭୁଶୁଡ଼ିପାରେ ପୁରା ବିଲ୍ଡିଂ, ବାହାରକୁ ଆସିଗଲେ ଆଗ୍ନିକ

ସେପଟେ, ଆନ୍ଦୋଳନକୁ ପ୍ରଶାସନ ଚପାଇ ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି । ଜିଲ୍ଲା ପ୍ରଶାସନ ତରଫରୁ ଏନେଇ ମହାବିଦ୍ୟାଳୟ ପ୍ରିନ୍ସିପାଲଙ୍କ ଉପରେ ଚାପ ପକାଉଥିବା ଅଭିଯୋଗ ହୋଇଛି । ଖୋଦ୍ ପ୍ରିନ୍ସିପାଲ ଏ ନେଇ ମୁହଁ ଖୋଲିଛନ୍ତି । ପ୍ରିନ୍ସିପାଲ କହିଛନ୍ତି, ଆନ୍ଦୋଳନରତ ଛାତ୍ରୀ ମାନଙ୍କୁ ସମର୍ଥନ ଦେଉଥିବା କିଛି ସଙ୍ଗଠନର ସଦସ୍ୟ ଓ ପୁରାତନ ଛାତ୍ରୀ ସଙ୍ଗଠନର ସଦସ୍ୟ ମାନେ ମହାବିଦ୍ୟାଳୟ ପରିସରକୁ ପ୍ରବେଶ କରିବା ନେଇ ଜିଲ୍ଲା ପ୍ରଶାସନ ପ୍ରିନ୍ସିପାଲଙ୍କୁ ତାଗିଦ କରିଛି । ଯଦି ବାହାର ଲୋକ କ୍ୟାମ୍ପସରେ ପ୍ରବେଶ କରିବା କାରଣରୁ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୁଏ, ତେବେ ଏଥିପାଇଁ ପ୍ରିନ୍ସିପାଲ ସମ୍ପୂର୍ଣ୍ଣ ଦାୟୀ ରହିବେ ବୋଲି ଜିଲ୍ଲା ପ୍ରଶାସନ ଚେତାବନୀ ଦେଇଥିବା ଅଭିଯୋଗ ହୋଇଛି । ସେପଟେ ଆନ୍ଦୋଳନକୁ ସମର୍ଥନ ଜଣାଉଥିବା ମଧୁ ସ୍ମୃତି ସୁରକ୍ଷା ସମିତି କହିଛି, ଏଭଳି ତାଗିଦ କରି ପ୍ରଶାସନ ପୁରା ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ଚାହୁଁଛି ।

ଏ ଖବର ବି ପଢ଼ନ୍ତୁ:- ଛାତ ଫଟାଇ ବାହାରିଲାଣି ଧୁଆଁ, ଏବେ ବି ହୁତୁ ହୁତୁ ହୋଇ ଜଳୁଛି ସୁପର ମାର୍ଟ

ସୂଚନାଯୋଗ୍ୟ ଯେ, ୧୯୧୩ ମସିହାରେ ପ୍ରତିଷ୍ଠା ହୋଇଥିବା ଶୈଳବାଳା ସ୍ଵୟଂଶାସିତ ମହିଳା ମହାବିଦ୍ୟାଳୟ ରାଜ୍ୟର ପ୍ରଥମ ମହିଳା ମହାବିଦ୍ୟାଳୟ । ଏହାସହ ଭାରତର ପାଞ୍ଚୋଟି ସର୍ବପ୍ରାଚୀନ ମହିଳା ମହାବିଦ୍ୟାଳୟ ମଧ୍ୟରେ ଶୈଳବାଳା ଅନ୍ୟତମ । ଏହି ମହିଳା ମହାବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟ ମାନ୍ୟତା ଦାବିରେ ଗତ ୨୮ ଦିନ ହେଲା ଛାତ୍ରୀ ମାନେ ଆନ୍ଦୋଳନ କରିଆସୁଛନ୍ତି । ତେବେ ଏଭଳି ଐତିହ୍ୟ ସମ୍ପନ୍ନ ଶତାୟୁ ମହିଳା ମହାବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟ ମାନ୍ୟତା ଦାବିକୁ ଉପେକ୍ଷା କରି ରାଜ୍ୟ ସରକାର ଅନ୍ୟ ଜିଲ୍ଲାରେ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ନିଷ୍ପତ୍ତିକୁ ବିରୋଧ କରି ଛାତ୍ରୀମାନେ ମହାବିଦ୍ୟାଳୟ ଫାଟକରେ ତାଲା ପକାଇ ଶ୍ରେଣୀ ବର୍ଜନ କରିଥିଲେ । ସରକାର ଅସ୍ମିତା କଥା କହି କ୍ଷମତାକୁ ଆସିଥିଲେ । ଆଉ ଶୈଳବାଳା ମହାବିଦ୍ୟାଳୟର ଛାତ୍ରୀ ମାନଙ୍କର ଦାବିକୁ ଉପେକ୍ଷା କରିବା ଅର୍ଥ ହେଉଛି ଓଡ଼ିଆ ଅସ୍ମିତାକୁ ଉପେକ୍ଷ କରିବା ବୋଲି ଛାତ୍ରୀମାନେ କହିଥିଲେ । ସେହିପରି ବିଭିନ୍ନ ସଙ୍ଗଠନ ମଧ୍ୟ ଶୈଳବାଳାକୁ ଉପେକ୍ଷା କଟକକୁ ଉପେକ୍ଷା କରିବା ସହ ସମାନ ଛାତ୍ରୀମାନେ କହିଥିଲେ ।