ନୂଆଦିଲ୍ଲୀ: କିଛିଦିନ ତଳେ ଏକ ଭିଡିଓ ସୋସିଆଲ୍ ମିଡିଆ ମାଧ୍ୟମରେ ସାମ୍ନାକୁ ଆସିଥିଲା। ଯେଉଁଥିରେ ଟ୍ରମ୍ପ କହିଥିଲେ ଯେ ସେ ମୋଦୀଙ୍କ ରାଜନୈତିକ କ୍ୟରିୟର ନଷ୍ଟ କରିବାକୁ ଚାହୁଁ ନାହାନ୍ତି। ବର୍ତ୍ତମାନ ଏହି ଭିଡିଓକୁ ନେଇ ଭାରତ ସରକାରଙ୍କ ପକ୍ଷରୁ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏ ନେଇ କଡ଼ା ପ୍ରତିକ୍ରିୟା ଦେଇଛି। ମନ୍ତ୍ରଣାଳୟ ପ୍ରବକ୍ତା ରଣଧୀର ଜୈୟସ୍ୱାଲ କହିଛନ୍ତି ଏହା ସତ ହେଉ କି ମିଛ ଆମେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ।

ଅକ୍ଟୋବର ମାସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୁଦ୍ଧରେ ଏଭଳି ଅଜବ ମନ୍ତବ୍ୟ ଦେଇଥିଲେ। ଏହାପରେ ତୁରନ୍ତ ତାଙ୍କୁ ସଫେଇ ଦେବାକୁ ପଡ଼ିଥିଲା। ହ୍ୱାଇଟ୍ ହାଉସରେ ସାମ୍ବାଦିକଙ୍କ ସହ ଆଲୋଚନା କରି ଟ୍ରମ୍ପ କହିଥିଲେ ଯେ ସେ(ପିଏମ ମୋଦୀ) ଟ୍ରମ୍ପଙ୍କୁ ଭଲପାଆନ୍ତି। ଏହାପରେ ତୁରନ୍ତ ଏଥିରେ ସଂଶୋଧନ କରି କହିଥିଲେ ଯେ ଭଲପାଇବା ୱାର୍ଡକୁ ଅଲଗା ଅର୍ଥରେ ନିଅନ୍ତୁ ନାହିଁ। କାରଣ ସେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ରାଜନୈତିକ କ୍ୟରିୟର ଧ୍ୱଂଶ କରିବାକୁ ଚାହାନ୍ତି ନାହିଁ।

ଟ୍ରମ୍ପ କହିଥିଲେ “ମୋଦୀ ଜଣେ ମହାନ ବ୍ୟକ୍ତି, ସେ ଟ୍ରମ୍ପଙ୍କୁ ଭଲପାଆନ୍ତି।” ଭଲପାଇବା ଶବ୍ଦ ଉପରେ ଟ୍ରମ୍ପ ତୁରନ୍ତ ସ୍ପଷ୍ଟୀକରଣ ରଖି ସାମ୍ବାଦିକଙ୍କୁ କହିଥିଲେ “ମୁଁ ଚାହୁଁନି ଯେ ଭଲପାଇବା ଶବ୍ଦକୁ ଆପଣ ଅଲଗା ଅର୍ଥରେ ନିଅନ୍ତୁ। କାରଣ ମୁଁ ତାଙ୍କ ରାଜନୈତିକ କ୍ୟାରିୟର ଧ୍ୱଂଶ କରିବାକୁ ଚାହୁଁନି।” ଏହାପରେ ଟ୍ରମ୍ପ କହିଥିଲେ ଯେ ଭାରତ ଏକ ଅବିଶ୍ୱସନୀୟ ଦେଶ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ଜଣେ ସମୟ ପରୀକ୍ଷିତ ନେତା। ଆଉ ଏହି ମନ୍ତବ୍ୟକୁ ନେଇ ଭାରତ ଗୁରୁବାର ପ୍ରତିକ୍ରିୟା ଦେଇଛି।

ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ଡିଲ୍ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିବାକୁ ଥିବା ବେଳେ ଭାରତ ପକ୍ଷରୁ ପୁରୁଣା ଭିଡିଓକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି। ଭାରତ ସରକାର କହିଛନ୍ତି ଯେ ସେ ଏଭଳି ପ୍ରସଙ୍ଗ ବିଷୟରେ ଅବଗତ ନାହାନ୍ତି। ତେବେ ଏହା ସତ ହେଉ କି ମିଛ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।