ବାରିପଦା ୦୭।୦୪ : ସାବାଡ଼ ହେବେ ମାଫିଆ । ବେଆଇନ୍ ଗୋଚାଳାଣରେ ଲାଗିବ ରୋକ । ଗୋ-ମାଫିଆଙ୍କ ବିରୋଧରେ ପୋଲିସର ଜବରଦସ୍ତ ଆକ୍ସନ । ଭଦ୍ରକ ପରେ ମୟୁରଭଞ୍ଜର ବିଭିନ୍ନ ସ୍ଥାନରେ ଚାଲିଛି ଚଢାଉ । ଭଦ୍ରକ ପୋଲିସ ପକ୍ଷରୁ ଏକକାଳୀନ ୮ଟି ସ୍ଥାନରେ ଚଢାଉ ଚାଲିଥିବା ବେଳେ ମୟୁରଭଞ୍ଜ ପୋଲିସ ପକ୍ଷରୁ ଜିଲ୍ଲାର ୧୫ଟି ଜାଗାରେ ଚାଲିଛି ରେଡ୍ । ଏହି ଚଢାଉରେ ବ୍ୟାପକ ସୁରକ୍ଷାକର୍ମୀଙ୍କ ସହ ସ୍ଥାନୀୟ ପୋଲିସ ମଧ୍ୟ ନିୟୋଜିତ ହୋଇଛନ୍ତି ।

Also Read:-ଗୋ-ମାଫିଆଙ୍କ ବିରୋଧରେ ଆକ୍ସନ, ୮ଟି ସ୍ଥାନରେ ଚାଲିଛି ଚଢାଉ, ଘରୁ ଠାବ ହେଲା ସିକ୍ରେଟ୍ ରୁମ୍

ଖବର ଅନୁଯାୟୀ, ଗୋ-ମାଫିଆଙ୍କୁ ସାବାଡ଼ କରିବାକୁ ଓ ବେଆଇନ ଗୋ-ଚାଲାଣ ଉପରେ ରୋକ ଲଗାଇବାକୁ ପୋଲିସ ପକ୍ଷରୁ ହୋଇଛି ବଡ଼ଧରଣର ଚଢାଉ । ମୟୁରଭଞ୍ଜ ଏସପି ବରୁଣ ଗୁଣ୍ଟୁପଲ୍ଲୀଙ୍କ ନିର୍ଦ୍ଦେଶକ୍ରମେ ଏକକାଳୀନ ୧୫ଟି ସ୍ଥାନରେ ଚାଲିଛି ଚଢାଉ । ତେବେ ଚଢାଉ ହେଉଥିବା ସ୍ଥାନ ମଧ୍ୟରେ ରାଇରଙ୍ଗପୁର, ବାରିପଦା, ଝାରପୋଖରିଆ, ବାଙ୍ଗିରିପୋଷୀ, ବୈଶିଙ୍ଗା ଆଦି ଅନେକ ସ୍ଥାନ ରହିଛି। ଏସପିଙ୍କ ନେତୃତ୍ୱରେ ଆଡିସନାଲ ଏସପି, ଡିଏସପି, ଇନ୍ସପେକ୍ଟଟରମାନେ ଚଢାଉ ହେଉଥିବା ୧୫ଟି ସ୍ଥାନରେ ସାମିଲ ହୋଇଛନ୍ତି । ଅନେକ ସ୍ଥାନରେ ମାଜିଷ୍ଟ୍ରେଟ୍ ମଧ୍ୟ ଉପସ୍ଥିତ ଅଛନ୍ତି ।

ତେବେ ବର୍ତ୍ତମାନ ଯାଏଁ ଏହି ଚଢାଉରେ ନଗଦ ୧୧ ଲକ୍ଷରୁ ଅଧିକ ଟଙ୍କା, ୧୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର, ୬ଟି ୪ ଚକିଆ ଗାଡ଼ି, ୫ଟି ମୋଟର ସାଇକେଲ ଜବତ କରିଛି ପୋଲିସ । ଚଢାଉ ଶେଷ ପରେ ପୋଲିସ ସବିଶେଷ ତଥ୍ୟ ଦେବ ବୋଲି ଜଣାପଡିଛି ।