ଭୁବନେଶ୍ୱର, ୧୪।୧୧ : ଧାନ ପାଚିଲାଣି। ଦିନ କେଇଗରେ ଅମଳ ହେବ। ଏହି ସମୟରେ ଡରାଇଲଣି ବାତ୍ୟା । ଚାଷୀ ମନରେ ପବନ ଓ ଲଗାଣ ବର୍ଷାର ଭୟ। ଯଦି ଆସିଲା, ସବୁ ଉଜାଡ଼ି ଦେବ। ଦାଉ ସାଧୁଛି ଉପରବାଲା। ପିଛା ଛାଡୁନି ବର୍ଷା, ବାତ୍ୟା ବିପତ୍ତି । ଅର୍ଣ୍ଣବ ବାତ୍ୟା ଓ ତା' ପରବର୍ତ୍ତୀ ବନ୍ୟା ଏବଂ ଭୂସ୍ଖଳନ ଦୁଃଖ ସରିନି। ପୁଣି ସମୁଦ୍ର ଭିତରେ ମୁଣ୍ଡ ଟେକିଲାଣି ଆଉ ଗୋଟିଏ ବାତ୍ୟା ।

ଗତିପଥ ଓ ତୀବ୍ରତା ଏଯାଏଁ ଅସ୍ପଷ୍ଟ। ତଥାପି ଅଧିକାଂଶ ମଡେଲର ଆକଳନ- ଏଥର ବି ବାତ୍ୟା ଆନ୍ଧ୍ରକୁ ଯାଇପାରେ। ସିଧା ମାଡ଼ ନ ହେଲେ ବି ସମ୍ଭାବ୍ୟ ବିପଦ ବଳୟରୁ ସମ୍ପୂର୍ଣ ମୁକ୍ତ ହୋଇନପାରେ ଓଡ଼ିଶା। ବିଶେଷ କରି ଦକ୍ଷିଣ ଓଡ଼ିଶା ଏବଂ ଉପକୂଳ ଅଞ୍ଚଳ ପ୍ରଭାବିତ ହୋଇପାରେ। ଅଳ୍ପ ବର୍ଷାରେ କ୍ଷେତରେ ବଡ଼ କ୍ଷତି ହୋଇପାରେ। ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ସ୍ଥିତି ଉପରେ ନଜର ରଖିବା ଲାଗି ଆସନ୍ତା ଦୁଇଦିନ ଏସଆରସିଙ୍କ କାର୍ଯ୍ୟାଳୟ ଖୋଲା ରହିବ।

ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଶୁକ୍ରବାର ଲଘୁଚାପ ସୃଷ୍ଟି ହୋଇଛି। ଏହା ଉତ୍ତର-ପଶ୍ଚିମରେ ଗତି କରି ଆସନ୍ତା ୨୪ ଘଣ୍ଟା ଭିତରେ ଅଧିକ ସ୍ପଷ୍ଟ ଚିହ୍ନିତ ଲଘୁଚାପ ହୋଇପାରେ। ୧୫ରେ ଅବପାତ ହେବା ପରେ ଏହାର ଗତି ଉତ୍ତର-ଉତ୍ତର ପଶ୍ଚିମ ରହିପାରେ। ଆଗକୁ ବଙ୍ଗୋପସାଗରରେ ବାତ୍ୟା ଦାନା ବାନ୍ଧୁଥିବା ନେଇ ସ୍ପଷ୍ଟ କରିଛି ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି)। ପ୍ରାଥମିକ ପୂର୍ବାନୁମାନ ଅନୁସାରେ ୧୬ ତାରିଖ ସନ୍ଧ୍ୟାବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହୋଇପାରେ। ବର୍ତ୍ତମାନ ଏତିକି ପୂର୍ବାନୁମାନରେ ଅଟକିଛି ଆଇଏମଡି। ଏହି ବାତ୍ୟାର ନାଁ ରହିବ ‘ଅକଭାନ’। ଏହା ଏକ ଇରାନୀ ନାମ, ଯାହାର ଅର୍ଥ ମନ୍ଦ ବୁଦ୍ଧି (ଇଭିଲ ମାଇଣ୍ଡ )।

ଭୁବନେଶ୍ଵର ପାଣିପାଗ କେନ୍ଦ୍ର ତା'ର ତାଜା ବୁଲେଟିନରେ ଦେଖାଇଛି, ୧୮ରୁ ଓଡ଼ିଶାରେ ବର୍ଷା ସମ୍ଭାବନା ଅଛି। ପ୍ରଥମେ ଉତ୍ତର ଉପକୂଳ, ସଂଲଗ୍ନ ଜିଲ୍ଲା, ଦକ୍ଷିଣ ଉପକୂଳ, ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ଅଛି। ୧/୨ଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ୧୯ରେ ଗଞ୍ଜାମରୁ ବାଲେଶ୍ଵର ପର୍ଯ୍ୟନ୍ତ ଉପକୂଳ ଜିଲ୍ଲା ଓ କେତେକ ସଂଲଗ୍ନ ଅଞ୍ଚଳରେ ବର୍ଷା ସମ୍ଭାବନା ଅଛି। ଗଞ୍ଜାମ, ଗଜପତି, ପୁରୀ, ରାୟଗଡ଼ାରେ ପ୍ରବଳ ବର୍ଷା ହୋଇପାରେ। କେତେକ ଜିଲ୍ଲାରେ ୩୦-୪୦ କିମି ବେଗରେ ପବନ ଆଶଙ୍କା ଅଛି। ଏହା ପରେ ବି ରାଜ୍ୟରେ ବର୍ଷା ସମ୍ଭାବନା ଅଛି।

କିନ୍ତୁ, ବିଭିନ୍ନ ମଡେଲ୍ ଆକଳନ କରିଛନ୍ତି, ଆନ୍ଧ୍ର ଉପକୂଳରେ ଆଉ ଗୋଟିଏ ବାତ୍ୟା ମାଡ଼ ହେବା ସମ୍ଭାବନା ଅଧିକ। ବିଶେଷଜ୍ଞ କହିଛନ୍ତି, ଯଦି ଦକ୍ଷିଣ ଆନ୍ଧ୍ର ଉପକୂଳକୁ ଯାଏ, ଓଡ଼ିଶାରେ ପ୍ରଭାବ କମ୍ ରହିବ। କିନ୍ତୁ, ଉତ୍ତର ଆନ୍ଧ୍ର ଉପକୂଳକୁ ମୁହାଁଇଲେ ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାରେ ଅଧିକ ପ୍ରଭାବ ପଡ଼ି ପାରେ। ସାଧାରଣତଃ ଲ୍ୟାଣ୍ଡଫଲର ଡାହାଣ ପାର୍ଶ୍ଵ ଅଞ୍ଚଳରେ ଅଧିକ ବର୍ଷା ରହେ । ଏମିତି ହେଲେ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ। ଏହାକୁ ନେଇ ଚାଷୀକୂଳ ଚିନ୍ତାରେ।

Also Read :- Horoscope Today : ନଭେମ୍ବର ୧୪ ତାରିଖ, ଶନିବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

ଅଧିକାଂଶ ଜିଲ୍ଲାରେ କ୍ଷେତରେ ଧାନ ପାଚିଲାଣି। ଏଭଳି ସମୟରେ ପବନ କିମ୍ବା ଲଗାଣ ବର୍ଷା ହେଲେ ପାଚିଲା ଧାନ ଝଡ଼ିଯିବ। କ୍ଷେତରେ ଗଛ ଶୋଇ ପଡ଼ିଲେ ପୂରା ଫସଲ ବରବାଦ ହୋଇଯିବ। କେବଳ ଧାନ ନୁହେଁ, ପନିପରିବା ଚାଷକୁ ବି ଡର ଘାରିଲାଣି।

ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର (ସିଇସି) ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ କହିବାନୁସାରେ କେତେକ ମଡେଲ୍ ଅନୁସାରେ ୧୬ରେ ବାତ୍ୟା ସୃଷ୍ଟି ହୋଇପାରେ। ଆଉ କିଛି ମଡେଲରେ ୧୮ରେ ବାତ୍ୟା ସୃଷ୍ଟି ହେବା ସମ୍ଭାବନା ଦେଖାଉଛନ୍ତି । ସମ୍ଭାବ୍ୟ ବାତ୍ୟା ଆନ୍ଧ୍ରକୁ ଯିବା ସମ୍ଭାବନା ଅଧିକ। ଏହା ମଛଲିପଟ୍ଟନମ ନିକଟରେ ସ୍ଥଳଭାଗ ଛୁଇଁପାରେ। ଏମିତି ହେଲେ ବାତ୍ୟା ଅଧିକ ଶକ୍ତିଶାଳୀ ହେବା ସମ୍ଭାବନା କମ୍ । ଏହାର ବିଶେଷ ପ୍ରଭାବ ଓଡ଼ିଶାରେ ପଡ଼ି ନପାରେ। କେବଳ ପାଗ ମେଘୁଆ ରହିବା ସହ ଦକ୍ଷିଣରେ ଅଳ୍ପ କିଛି ବର୍ଷା ହୋଇପାରେ। ମାତ୍ର ବାତ୍ୟା ଯଦି ବିଶାଖାପଟ୍ଟନମ ପାଖରେ ସ୍ଥଳଭାଗକୁ ପ୍ରବେଶ କରିବ, ତେବେ ଓଡ଼ିଶାରେ ପ୍ରଭାବ ବଢ଼ିପାରେ।

ବିଭିନ୍ନ ମଡେଲକୁ ବିଶ୍ଳେଷଣ କରି କୃଷି ପାଣିପାଗ ବିଶାରଦ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ୧୭-୧୮ ତାରିଖ ବେଳକୁ ଉତ୍ତର ଆନ୍ଧ୍ର-ଦକ୍ଷିଣ ଓଡ଼ିଶା ଉପକୂଳ (ବିଶାଖାପାଟଣାରୁ ଗୋପାଳପୁର ମଧ୍ୟରେ) ଏହା ଉପକୂଳ ଛୁଇଁପାରେ। ଉପକୂଳ ନିକଟବର୍ତ୍ତୀ ହେଲାବେଳକୁ ଏହା ସାମାନ୍ୟ ଦୁର୍ବଳ ହୋଇପାରେ। ୧୭ରୁ ୧୯ ମଧ୍ୟରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଏହାର ପ୍ରଭାବ ପଡ଼ିପାରେ। ଗଜପତି, ଗଞ୍ଜାମ, ରାୟଗଡ଼ା ଓ କୋରାପୁଟରେ ସ୍ବଳ୍ପରୁ ମଧ୍ୟମ ଏବଂ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଉପକୂଳରେ ୩୫ –୪୫ ବେଗରେ ପବନ, ଝଟକା ୫୫ କିମି ରହିପାରେ। ପାଣିପାଗ ବୈଜ୍ଞାନିକ ବିଶ୍ୱଜିତ ସାହୁ ମଧ୍ୟ କହିଛନ୍ତି, ବିଭିନ୍ନ ମଡେଲର ପ୍ରାକ୍ ଆକଳନ ଅନୁସାରେ ସମ୍ଭାବ୍ୟ ବାତ୍ୟା ଆନ୍ଧ୍ର ଉପକୂଳକୁ ଯାଇପାରେ । ମାତ୍ର ୧୫ ତାରିଖ ପରେ ଏହାର ତୀବ୍ରତା ଓ ଗତିପଥ ସ୍ପଷ୍ଟ ହୋଇପାରେ ।