ମୋରଡ଼ା:  ସାଧାରଣତଃ ସାପ ନାଁ ଶୁଣିଲେ ଲୋକେ ଭୟରେ ଥରିଥାନ୍ତି, କିନ୍ତୁ ମୟୂରଭଞ୍ଜ ମୋରଡ଼ାରେ ଦେଖିବାକୁ ମିଳିଛି ଏକ ଭିନ୍ନ ଚିତ୍ର। ମାନସିକ ପୂରଣ ପାଇଁ ବେକରେ ବିଷଧର ନାଗ ସାପ ଗୁଡ଼ାଇ ପୂଜାର୍ଚ୍ଚନା କରୁଛନ୍ତି ଶ୍ରଦ୍ଧାଳୁ। ମା' ମନସା ଦେବୀଙ୍କ ଘଟ ଉତ୍ତୋଳନ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଛି ଏଭଳି ଦୁଃସାହସିକ ତଥା ଭକ୍ତିପୂତ ଦୃଶ୍ୟ।

ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ଚିକିଟାମାଟିଆ ପଞ୍ଚାୟତ ଅନ୍ତର୍ଗତ ଫୁଲଝରି ଗ୍ରାମ। ଏଠାରେ ପାରମ୍ପରିକ ରୀତିନୀତି ଅନୁଯାୟୀ ମା' ମନସା ଦେବୀଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ପ୍ରତ୍ୟେକ ବର୍ଷ ଡାକ ସଂକ୍ରାନ୍ତି ଦିନ ଏହି ପୂଜା ଅନୁଷ୍ଠିତ ହେଉଥିବା ବେଳେ ଏହାର ଏକ ବଡ଼ ବିଶେଷତ୍ଵ ରହିଛି। ମାନସିକଧାରୀ ଉଭୟ ମହିଳା ଓ ପୁରୁଷମାନେ ମୁଣ୍ଡରେ କଳସୀ ମୁଣ୍ଡାଇବା ସହିତ ବେକରେ ଜୀବନ୍ତ ବିଷଧର ସାପକୁ ଗୁଡ଼ାଇ ଗାଁ ପୋଖରୀ ତୁଠରୁ ପାଣି ଆଣିଥାନ୍ତି। ମା'ଙ୍କ ସ୍ତୁତି ଗାନ କରି ଭକ୍ତମାନେ ପୂଜା ମଣ୍ଡପରେ ପହଞ୍ଚିବା ପରେ ଆରମ୍ଭ ହୁଏ ବିଧିବଦ୍ଧ ପୂଜା।

Also Read: ୨୫ ହଜାରରୁ ଚାକିରି ଆରମ୍ଭ, ଏବେ ଚଢ଼ୁଛନ୍ତି ୧୪ଲକ୍ଷର ଗାଡ଼ି.. ଘରେ ଥାକ ମାରିଥିଲେ ୫ ଶହ ଟଙ୍କିଆ ବଣ୍ଡଲ୍

ନିଜ ନିଜର ମନସ୍କାମନା ପୂର୍ଣ୍ଣ କରିବା ଉଦ୍ଦେଶ୍ୟରେ ବହୁ ଦୂର ଦୂରାନ୍ତରୁ ଶ୍ରଦ୍ଧାଳୁମାନେ ଏଠାକୁ ଛୁଟି ଆସନ୍ତି। ମା'ଙ୍କ ଅଶେଷ କୃପାରୁ ଅନେକ ଭକ୍ତ ସଫଳତା ପାଇଥିବା ମଧ୍ୟ ଦୃଷ୍ଟାନ୍ତ ରହିଛି। ଚିକିଟାମାଟିଆ ସମିତି ସଭ୍ୟ ଉପେନ୍ଦ୍ର ମହାନ୍ତଙ୍କ ଦ୍ଵାରା ଆୟୋଜିତ ଏହି ପୂଜାରେ ସମସ୍ତ ଗ୍ରାମବାସୀ ପୂର୍ଣ୍ଣ ସହଯୋଗ କରିଥାନ୍ତି। ଭକ୍ତି ଓ ବିଶ୍ଵାସର ଏହି ଅପୂର୍ବ ସମନ୍ୱୟ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।ଚିକିଟାମାଟିଆ ସମିତି ସଭ୍ୟ ଉପେନ୍ଦ୍ର ମହାନ୍ତଙ୍କ ଆୟୋଜନରେ ହେଉଥିବା ଏହି ପୂଜାରେ ଗ୍ରାମବାସୀଙ୍କ ସହଯୋଗ ରହିଥାଏ। ପିଢ଼ି ପରେ ପିଢ଼ି ଚାଲିଆସୁଥିବା ଏହି ପରମ୍ପରା ଅଞ୍ଚଳର ଧାର୍ମିକ ଓ ସାଂସ୍କୃତିକ ଜୀବନ ସହ ଜଡ଼ିତ ।

ତେବେ ଧାର୍ମିକ ବିଶ୍ୱାସ ନିଜ ସ୍ଥାନରେ ଥିବାବେଳେ ଜୀବନ୍ତ ବିଷଧର ସାପ ସହ ଏଭଳି ଆଚରଣ ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ। ସାପ ବିଶେଷଜ୍ଞଙ୍କ ମତରେ, ସାପକୁ ନିୟନ୍ତ୍ରଣ କରିବା କିମ୍ବା ତାହା ସହ ନିକଟତର ହେବା ସୁରକ୍ଷିତ ନୁହେଁ। ସାପ କାମୁଡ଼ିଲେ ତୁରନ୍ତ ଚିକିତ୍ସା ଆବଶ୍ୟକ। ତେଣୁ ପରମ୍ପରା ପାଳନ ସହ ମଣିଷ ଓ ବନ୍ୟଜୀବଙ୍କ ସୁରକ୍ଷାକୁ ମଧ୍ୟ ଗୁରୁତ୍ୱ ଦେବା ଆବଶ୍ୟକ।