ନୂଆଦିଲ୍ଲୀ: ବିମାନରେ ମାଡ଼ ହୋଇଗଲା ପକ୍ଷୀ । ଫଳରେ ବିମାନର ଅଗ୍ରଭାଗ ବା ନୋଜ୍‌ କ୍ଷତିଗ୍ରସ୍ତ ହୋଇଛି । ବିମାନଟି ଶନିବାର ଅପରାହ୍ଣ ୪ଟା ୨୫ରେ ଉଡ଼ାଣ ଭରିବାର ଥିଲା । କିନ୍ତୁ ସମ୍ଭାବ୍ୟ ବିପଦକୁ ନଜରରେ ରଖି ଉଡ଼ାଣ ସ୍ଥଗିତ ରଖାଯାଇଛି । ବିମାନକୁ ସଂପୂର୍ଣ୍ଣ ଯାଞ୍ଚ କରାଯିବା ପରେ ହିଁ, ଉଡ଼ାଣ ପାଇଁ ଅନୁମତି ମିଳିପାରେ । ଏହି ଘଟଣା ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଘଟିଛି ।

ଦିଲ୍ଲୀରୁ ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦର ଅଭିମୁଖେ ଯାତ୍ରା କରିବାକୁ ଥିବା ଏମିରେଟ୍ସ ବିମାନ EK 517ରେ ଏକ ପକ୍ଷୀ  ପିଟିହେବା କାରଣରୁ ଉଡ଼ାଣ ଭରିପାରି ନାହିଁ । ନିର୍ଦ୍ଧାରିତ ସୂଚୀ ଅନୁଯାୟୀ, ଏହି ବିମାନଟି ଅପରାହ୍ନ ୪:୨୫ରେ ଦିଲ୍ଲୀରୁ ଉଡ଼ାଣ ଭରିବାର ଥିଲା।

 ରନୱେରେ ଗତି କରୁଥିବା ସମୟରେ ବିମାନ ସହ ପକ୍ଷୀ ପି ଟିହୋଇଥିଲା । ଏହାପରେ ପାଇଲଟ୍‌ ସୁରକ୍ଷାକୁ ପ୍ରାଥମିକତା ଦେଇ ତୁରନ୍ତ ବିମାନ ଉଡ଼ାଣକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିଲେ। ପକ୍ଷୀ ମାଡ଼ ହେବା ଫଳରେ ବିମାନର ଇଞ୍ଜିନ୍, ଡେଣା କିମ୍ବା ସାମ୍ନା ଭାଗରେ ଯାନ୍ତ୍ରିକ କ୍ଷତି ପହଞ୍ଚିବାର ଆଶଙ୍କା ଥାଏ। ତେଣୁ ବିମାନବନ୍ଦରର ବୈଷୟିକ ଏବଂ ସୁରକ୍ଷା ସିଭିଲ୍ ଟିମ୍ ଦ୍ୱାରା ସମ୍ପୂର୍ଣ୍ଣ ଜରୁରୀକାଳୀନ ଯାଞ୍ଚ କରାଯାଉଛି।

ଏହି ସମସ୍ୟା ଯୋଗୁଁ ଦୁବାଇ ଯିବାକୁ ଥିବା ବହୁ ସଂଖ୍ୟାକ ଯାତ୍ରୀ ଦିଲ୍ଲୀ ବିମାନବନ୍ଦରର ଟର୍ମିନାଲ୍-୩ରେ ହଇରାଣ ହୋଇଥିଲେ। ବିମାନସେବା ସଂସ୍ଥା ଏମିରେଟ୍ସ ପକ୍ଷରୁ ଯାତ୍ରୀମାନଙ୍କୁ ଆବଶ୍ୟକୀୟ ଖାଦ୍ୟ, ପାନୀୟ ଏବଂ ଅନ୍ୟ ଏକ ବିମାନରେ ଉଡ଼ାଣ ସମୟ ସମ୍ପର୍କିତ ସୂଚନା ଦିଆଯାଇଛି। ବୈଷୟିକ ଟିମ୍‌ର କ୍ଲିୟରାନ୍ସ ମିଳିବା ପରେ ହିଁ ବିମାନଟି ଦୁବାଇ ଅଭିମୁଖେ ଯାତ୍ରା କରିବ। ତେବେ ବିମାନଟି ରନଓ୍ବେରେ ଥିବା ବେଳେ ଏହି ଅଘଟଣା ଘଟିଥିବାରୁ, କୌଣସି କ୍ଷୟକ୍ଷତି ଘଟିନାହିଁ ।