ନୂଆଦିଲ୍ଲୀ: କକ୍ରୋଚ ଜନତାପାର୍ଟି (ସିଜେପି) ସଂସ୍ଥାପକ ଅଭିଜିତ ଦୀପକେଙ୍କୁ ଦିଲ୍ଲୀପୋଲିସ ଶନିବାର ସ୍ପେଶାଲ ଏକଜ୍ୟୁକୁଟିଭ ମାଜିଷ୍ଟ୍ରେଟ୍ (ଏସଇଏମ)ଙ୍କ କୋର୍ଟରେ ହାଜର କରିଥିଲା। କୋର୍ଟ ତାଙ୍କୁ ସଶର୍ତ୍ତ ଜାମିନ ମଞ୍ଜୁର କରିଛନ୍ତି, ପିସ୍ ବଣ୍ଡରେ ସାଇନ କରିବାକୁ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଶୁକ୍ରବାର ସନ୍ଧ୍ୟାରେ ଅଟକ ଅଭିଜିତ ଦୀପକେଙ୍କୁ ପୋଲିସ ଶନିବାର ସକାଳେ ଗିରଫ କରିଥିଲା। ପୋଲିସ ତାଙ୍କ ବିରୋଧରେ ଶାନ୍ତି ଭଙ୍ଗ କରିବା ଧାରା ୧୨୬/୧୭୦ରେ ମୋକଦ୍ଦମା ରୁଜୁ କରିଛି। ମନ୍ଦିର ମାର୍ଗସ୍ଥିତ ଏସଇଏମ କୋର୍ଟରେ ତାଙ୍କୁ ମଧ୍ୟାହ୍ନରେ ହାଜର କରାଯାଇଥିଲା।

କୋର୍ଟରେ ଉଭୟ ପକ୍ଷରୁ ଦୀର୍ଘ ତର୍କପରେ କୋର୍ଟ ଦୀପକେଙ୍କୁ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି। ଏଥର ଜାମିନ ମଞ୍ଜୁର କରିବା ପାଇଁ କୋର୍ଟ ଅନେକ ଗୁଡିଏ ସର୍ତ୍ତ ରଖିଛନ୍ତି । ଏହା ପରେ ଯଦି ସେ ଶାନ୍ତି ଭଙ୍ଗ ଲାଗି ଦୀପକେ ଉଦ୍ୟମ କରନ୍ତି ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ପୋଲିସ ତାଙ୍କୁ ଦିଲ୍ଲୀ କନ୍ନଟ ପ୍ଲେସ୍ ରେ ପ୍ରସ୍ତାବିତ ‘ଲହରା ଦୋ ତିରଙ୍ଗା’ କାର୍ଯ୍ୟକ୍ରମ ପୂର୍ବରୁ ଅଟକ କରିଥିଲା। ଏହା ପୂର୍ବରୁ ଦିଲ୍ଲୀ ପୋଲିସ ତାଙ୍କୁ ନୋଟିସ୍ ଜାରି କରି ସେଣ୍ଟ୍ରାଲ ପାର୍କ ଅଞ୍ଚଳରେ କୌଣସି ପ୍ରକାରର ସଭା ଶୋଭାଯାତ୍ରା ଆୟୋଜନ ନକରିବାକୁ ସତର୍କ କରିଥିଲା।