ନୂଆଦିଲ୍ଲୀ-; ଭାରତରେ ରାଜନୈତିକ ମହାସଂଘର୍ଷ। ‘ରିଜିମ୍ ଚେଞ୍ଜ’ ଅର୍ଥାତ୍ ସରକାର ପରିବର୍ତ୍ତନ ନେଇ ଚାଲିଥିବା ବିବାଦ ଏବେ ତୀବ୍ର ରୂପ ନେଇଛି। ବାଂଲାଦେଶର ଆନ୍ଦୋଳନକୁ ଉଦାହରଣ ଦେଇ ଭାରତରେ ସରକାର ପରିବର୍ତ୍ତନର କଥା କହୁଥିବା ଲୋକଙ୍କୁ କେନ୍ଦ୍ରମନ୍ତ୍ରୀ କିରେନ୍ ରିଜିଜୁ କଡ଼ା ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଭାରତ ଏକ ଗଣତାନ୍ତ୍ରିକ ଦେଶ ଏବଂ ଏଠାରେ ବାଂଲାଦେଶ ଭଳି ପରିସ୍ଥିତି ସୃଷ୍ଟି କରିବାର ଚେଷ୍ଟା ଗ୍ରହଣୀୟ ନୁହେଁ।

ତେବେ କାହିଁକି ଏଭଳି କହିଲେ କିରେନ ?ପ୍ରସଙ୍ଗଟି ଉଠିଛି ଅଲ ଇଣ୍ଡିଆ ସ୍ଟୁଡ଼େଣ୍ଟ ଆସୋସିଏସନର ଅଧକ୍ଷା ନେହା ବୋରା ଓ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ‘ରିଜିମ୍ ଚେଞ୍ଜ’ ସମ୍ପର୍କିତ ମନ୍ତବ୍ୟକୁ ନେଇ। ନେହା ବୋରା ବାଂଲାଦେଶର ଯୁବ ଆନ୍ଦୋଳନକୁ ଉଲ୍ଲେଖ କରିଥିବା ବେଳେ, ପ୍ରଶାନ୍ତ ଭୂଷଣ ସରକାର ପରିବର୍ତ୍ତନକୁ ଗଣତାନ୍ତ୍ରିକ ଅଧିକାର ବୋଲି ମତ ରଖିଥିଲେ। ଏହି ବୟାନକୁ ନେଇ ଶାସକ ଦଳ ଓ ବିରୋଧୀଙ୍କ ମଧ୍ୟରେ ଆରମ୍ଭ ହୋଇଛି ତୀବ୍ର ରାଜନୈତିକ ବାକ୍ଯୁଦ୍ଧ।

ALSO READ- ଅଭିଜିତ ଦୀପକେଙ୍କୁ ମିଳିଲା ଜାମିନ, ସର୍ତ୍ତ ରଖିଛନ୍ତି କୋର୍ଟ

ଅନ୍ୟପଟେ, ଏହି ବିବାଦକୁ ନେଇ ବିଜେପି ନେତାମାନେ ବିରୋଧୀଙ୍କ ଉପରେ ତୀବ୍ର ଆକ୍ରମଣ କରିଛନ୍ତି। ସେମାନଙ୍କ ଅଭିଯୋଗ, ଗଣତନ୍ତ୍ର ଓ ନିର୍ବାଚନୀ ପ୍ରକ୍ରିୟାକୁ ନେଇ ଆନ୍ଦୋଳନ କରିବା ଆଳରେ ସରକାରକୁ ଅସ୍ଥିର କରିବାର ଉଦ୍ୟମ ହେଉଛି। ତେବେ ବିରୋଧୀ ପକ୍ଷର ମତ, ଗଣତନ୍ତ୍ରରେ ସରକାରଙ୍କୁ ବିରୋଧ କରିବା ଏବଂ ନିର୍ବାଚନ ମାଧ୍ୟମରେ ସରକାର ପରିବର୍ତ୍ତନ ଦାବି କରିବା ନାଗରିକଙ୍କ ଅଧିକାର। ଏହି ବିବାଦ ଏବେ କେବଳ ଗୋଟିଏ ବୟାନରେ ସୀମିତ ନାହିଁ। ନିର୍ବାଚନୀ ସ୍ୱଚ୍ଛତା, ଗଣତାନ୍ତ୍ରିକ ଅଧିକାର ଏବଂ ରାଜନୈତିକ ଆନ୍ଦୋଳନର ସୀମାକୁ ନେଇ ଦେଶରେ ଚର୍ଚ୍ଚା ଜୋର୍ ଧରିଛି। ଏହାରି ମଧ୍ୟରେ କିରେନ୍ ରିଜିଜୁଙ୍କ ଚେତାବନୀ ରାଜନୈତିକ ମାହୋଲକୁ ଆହୁରି ଉଷ୍ମ କରିଛି।