ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଦମଦାର ପ୍ରଦର୍ଶନର ପୁରସ୍କାର ନ୍ୟୁଜିଲାଣ୍ଡର ଅନୁଭବୀ ବୋଲର ମ୍ୟାଟ୍ ହେନରୀଙ୍କୁ ମିଳିଛି । ଆଇସିସିର ସଦ୍ୟ ଟେଷ୍ଟ ରାଙ୍କିଂରେ ଛଅ ସ୍ଥାନ ଉପରକୁ ଉଠି ଭାରତୀୟ ଷ୍ଟାର ବୋଲର ବୁମରାଙ୍କ ସହ ମିଳିତ ଭାବେ ନମ୍ୱର-୧ ଟେଷ୍ଟ ବୋଲର ହୋଇଛନ୍ତି ।

୩୪ ବର୍ଷୀୟ ହେନରୀ ଲଣ୍ଡର କେନିଂଟନ ଓଭାଲରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚରେ ଇଂଲଣ୍ଡର ବ୍ୟାଟିଂ ଲାଇନ୍ଅପ୍‌କୁ ଧ୍ୱସ୍ତ କରି ୧୧ ୱିକେଟ୍ ନେଇଥିଲେ । ଏହି ପ୍ରଦର୍ଶନ ବଳରେ ଆଇସିସି ଟେଷ୍ଟ ରାଙ୍କିଂର ଶୀର୍ଷ ସ୍ଥାନରେ ପହଞ୍ଚିଛନ୍ତି ।

ଏହି ଉପଲବ୍ଧି ସହ ହେନରୀ ୩୬ ବର୍ଷ ପରେ ଟେଷ୍ଟ ବୋଲିଂ ରାଙ୍କିଂରେ ଏକ ନମ୍ୱର ସ୍ଥାନ ହାସଲ କରିବାରେ ପ୍ରଥମ ନ୍ୟୁଜିଲାଣ୍ଡ ବୋଲର ହୋଇଛନ୍ତି । ତାଙ୍କ ପୂର୍ବରୁ କେବଳ ଦୁଇ ଜଣ କିୱି ବୋଲର ଏହି ଉପଲବ୍ଧି ହାସଲ କରିଥିଲେ । ୧୯୪୭ରେ ଜ୍ୟାକ୍ କୋଭି ଟେଷ୍ଟ ରାଙ୍କିଂରେ ଟପ୍‌ରେ ପହଞ୍ଚିଥିଲେ, ତାଙ୍କ ପରେ କିମ୍ୱଦନ୍ତୀ ରିଚାର୍ଡ ହେଡଲୀ ୧୯୮୪ରୁ ୧୯୯୦ ଦୀର୍ଘ ବର୍ଷ ଯାଏଁ ଏକ ନମ୍ୱର ସ୍ଥାନ କବଜା କରି ରଖିଥିଲେ ।

ଆଇସିସିର ସଦ୍ୟତମ ରାଙ୍କିଂରେ ମ୍ୟାଟ୍ ହେନରୀ ଏବଂ ଯଶପ୍ରୀତ ବୁମରା ଉଭୟ ୮୭୦-୮୭୦ ରେଟିଂ ପଏଣ୍ଟରେ ଅଛନ୍ତି । ଅଷ୍ଟ୍ରେଲିଆର ମିଚେଲ୍ ଷ୍ଟାର୍କ ୮୩୮ ଅଙ୍କ ସହ ତୃତୀୟ ସ୍ଥାନରେ ରହିଛନ୍ତି । ହେନରୀଙ୍କ ପାଖରେ ବୁମରାଙ୍କୁ ପଛରେ ପକାଇବାର ସୁଯୋଗ ରହିଛି । ଇଂଲଣ୍ଡ ବିପକ୍ଷରେ ଟ୍ରେଣ୍ଟ ବ୍ରିଜରେ ଜୁନ୍ ୨୫ରେ ସିରିଜର ନିର୍ଣ୍ଣାୟକ ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରି ସେ ବୁମରାଙ୍କୁ ପଛରେ ପକାଇ ପାରନ୍ତି ।

ଅନ୍ୟପଟେ ବୁମରା ଗତ ବର୍ଷ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଘରୋଇ ଟେଷ୍ଟ ସିରିଜ ପରେ କୌଣସି ଟେଷ୍ଟ ଖେଳି ନାହାନ୍ତି । ନିକଟରେ ଖେଳାଯାଇଥିବା ଆଫଗାନିସ୍ତାନ ବିପକ୍ଷ ଏକମାତ୍ର ଟେଷ୍ଟରେ ତାଙ୍କୁ ବିଶ୍ରାମ ଦିଆଯାଇଥିଲା । ଭାରତୀୟ ଷ୍ଟାର୍ ବୋଲର ଅଗଷ୍ଟରେ ଶ୍ରୀଲଙ୍କା ଗସ୍ତରେ ହେବାକୁ ଥିବା ଟେଷ୍ଟ ସିରିଜ ସମୟରେ ପୁଣି ଲାଲ୍ ବଲ୍ କ୍ରିକେଟକୁ ଫେରିପାରନ୍ତି ।