ଛତିଶଗଡ଼: ରାୟପୁରରେ ବିବାହର ବାହାନା କରି ଜଣେ ବୃଦ୍ଧଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟିନେଲା ଠକ । ଏକ ଠକ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ରାୟପୁର ପୋଲିସ ଏବଂ ଓଡ଼ିଶାର ବଲାଙ୍ଗୀର ଓ ସମ୍ବଲପୁର ଜିଲ୍ଲାରୁ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ରାୟପୁର ଆଣିଛି।

ରାୟପୁରରେ ଜଣେ ବୃଦ୍ଧ ଆଜାଦ୍ ଚୌକ୍ ଥାନାରେ ଏକ ମାମଲା ରୁଜୁ କରିଥିଲେ। ସେ ଜଣାଇଥିଲେ ଯେ, ଦିଲ୍ଲୀର ଏକ ମ୍ୟାରେଜ୍ ବ୍ୟୁରୋ ମାଧ୍ୟମରେ ତାଙ୍କର ପରିଚୟ 'ରଜନୀ ଶର୍ମା' ସହ ହୋଇଥିଲା। ସେହି ମହିଳା ନିଜକୁ କୋରବାର ଜଣେ ଅବସରପ୍ରାପ୍ତ ରେଳବାଇ ଇଞ୍ଜିନିୟର ବୋଲି ପରିଚୟ ଦେଇଥିଲେ।

 ବିବାହର ପ୍ରଲୋଭନ ଦେଖାଇ ମହିଳା ଜଣକ ୧୫ ଜୁନ୍ ୨୦୨୫ରୁ ୯ ଜାନୁଆରୀ ୨୦୨୬ ମଧ୍ୟରେ ବିଭିନ୍ନ ବାହାନାରେ ଯେପରିକି ପାରିବାରିକ କାର୍ଯ୍ୟକ୍ରମ, ଦୁର୍ଘଟଣା, ଚିକିତ୍ସାକୁ ନେଇ ପ୍ରାୟ ସାଢ଼େ ୯ ଲକ୍ଷ ଟଙ୍କା ବୃଦ୍ଧଙ୍କଠାରୁ ନିଜ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଇଥିଲେ। ଟଙ୍କା ପାଇବା ପରେ ସେ ତାଙ୍କ ମୋବାଇଲ୍ ବନ୍ଦ କରିଦେଇଥିଲେ।

ପୋଲିସ ବ୍ୟାଙ୍କ ଟ୍ରାନ୍ସଫର ତଥ୍ୟକୁ ଆଧାର କରି ଟେକ୍ନିକାଲ୍ ଏବଂ ଡିଜିଟାଲ୍ ବିଶ୍ଳେଷଣ କରିଥିଲା। ସାକ୍ଷ୍ୟ ପ୍ରମାଣ ଆଧାରରେ ଅଭିଯୁକ୍ତମାନଙ୍କ ଲୋକେସନ୍ ଓଡ଼ିଶାରେ ଥିବା ଜଣାପଡ଼ିଥିଲା। ଏହା ପରେ ରାୟପୁର ପୋଲିସର ଏକ ଟିମ୍ ବଲାଙ୍ଗୀରରେ ପହଞ୍ଚି ପ୍ରଥମେ ଅଭିଯୁକ୍ତ ଜସୱନ୍ତ ଡୁଣ୍ଡିକୁ ହେପାଜତକୁ ନେଇଥିଲା। ତା'ର ସୂଚନା ଆଧାରରେ ଅନ୍ୟ ଦୁଇ ଅଭିଯୁକ୍ତ ମନୋଜ ରାଣା ଓ ଯଶ ନାୟକଙ୍କୁ ମଧ୍ୟ କାବୁ କରାଯାଇଥିଲା। ତେବେ ପୋଲିସ ଅଭିଯୁକ୍ତମାନଙ୍କଠାରୁ ୩ଟି ମୋବାଇଲ୍ ଫୋନ୍ ଜବତ କରିଛି।

ଏବେ ପୋଲିସ ଏହି ଗ୍ୟାଙ୍ଗ ସହ ସମ୍ପୃକ୍ତ ଥିବା ଅନ୍ୟ ଫେରାର ଅଭିଯୁକ୍ତମାନଙ୍କୁ ଖୋଜିବା ପାଇଁ ଅଧିକ ତଦନ୍ତ ଜାରି ରଖିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ହୋଇଛି।