ବେଜିଂ, ୦୫/୦୫: ଚାଇନାରେ ଭୟଙ୍କର ବିସ୍ଫୋରଣ । ଚୀନର ହୁନାନ ପ୍ରାନ୍ତରେ ଥିବା ଏକ ବାଣ ଫ୍ୟାକ୍ଟ୍ରିରେ ବିସ୍ପୋରଣ ହୋଇଛି । ଏଥିରେ ୨୬ ଜଣ ପ୍ରାଣ ହରାଇଥିବା ଜଣାପଡିଛି । ବିସ୍ଫୋରଣର ଭୟାବହତା ଏତେ ଭୟଙ୍କର ଥିଲା ଯେ ଖୁବ୍ ଦୂର ଯାଏଁ ଏହାର ଶବ୍ଦ ଶୁଣିବାକୁ ମିଳିଥିଲା । ଏପରିକି ପ୍ରାୟ ୨୦୦ ମିଟର ଯାଏଁ ଫ୍ୟାକ୍ଟ୍ରିର ଅଂଶ ଛିଟକି ପଡିଥିଲା ।

ରିପୋର୍ଟ ଅନୁସାରେ, ସୋମବାର ରାତିରେ ଏହି ଅଘଟଣ ଘଟିଛି । ହୁନାନ ପ୍ରାନ୍ତରେ ଥିବା ଚାଙ୍ଗସା ଲିୟୁୟାଙ୍ଗ୍ ହାଉସେଙ୍ଗ୍ ବାଣ ଫାକ୍ଟ୍ରିରେ ହଠାତ ବିସ୍ଫୋରଣ ହୋଇଥିଲେ । ପ୍ରଥମେ କେହି କିଛି ବୁଝିପାରିନଥିଲେ । କିଛି ସେକେଣ୍ଡରେ ସବୁ କିଛି ଛାରଖାର ହୋଇଯାଇଥିଲା ।

Also Read :- Gold Silver Rate Today: ଇରାନ ଆକ୍ରମଣ ଆରମ୍ଭ, ଏପଟେ କମିଗଲା ସୁନା ଓ ରୁପା ଦର

ଅଘଟଣ ପରେ ତୁରନ୍ତ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଁଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲା । ହେଲେ ସେତେବେଳକୁ ୨୬ ଜଣ ପ୍ରାଣ ହରାଇ ସାରିଥିଲେ । ଆହୁରି ଅନେକ କର୍ମଚାରୀ ଆହତ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ତଦନ୍ତ ନିର୍ଦ୍ଦେଶ ଦେଲେ ରାଷ୍ଟ୍ରପତି

ଘଟଣାକୁ ନେଇ ରାଷ୍ଟ୍ରପତି ସି ଜିନପିଙ୍ଗ୍ ଉଦବେଗ ପ୍ରକାଶ କରିଛନ୍ତି । ଏହାସହ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଆହୁରି ମଧ୍ୟ ଉଦ୍ଧାରକାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ସେ କହିଛନ୍ତି । ସମାନ ଘଟଣାର ଯେପରି ଅନ୍ୟ କେଉଁଠି ପୁନରାବୃତ୍ତି ନଘଟେ ସେଦିଗରେ ଧ୍ୟାନ ଦେବାକୁ ରାଷ୍ଟ୍ରପତି କହିଛନ୍ତି ।

ଏତତ୍ ବ୍ୟତୀତ ଘଟଣାରେ ପୋଲିସ ବାଣ ଫ୍ୟାକ୍ଟ୍ରିର କିଛି ବରିଷ୍ଠ ଅଧିକାରୀଙ୍କୁ ଅଟକ ରଖିଛି । ତେବେ ଏହି ଘଟଣା ପୂର୍ବରୁ ଗତ ତିନି ମାସ ତଳେ ସମାନ ଅଘଟଣ ସାମ୍ନାକୁ ଆସିଥିଲା । ଦେଶର ହୁଏଇ ପ୍ରାନ୍ତରେ ଥିବା ଏକ ବାଣ ଦୋକାନରେ ବିସ୍ଫୋରଣ ଘଟି ୧୨ ଜଣ ପ୍ରାଣ ହରାଇଥିଲେ ।