ଲକ୍ଷ୍ନୌ: ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ଅଯୋଧ୍ୟା ଶ୍ରୀ ରାମ ମନ୍ଦିରରେ ଦାନ ଗଣୁଥିବା ୨୩ ଜଣ କର୍ମଚାରୀ ଶୁକ୍ରବାର ଏକ ସଙ୍ଗରେ ଇସ୍ତଫା ଦେଇଛନ୍ତି। ସେମାନେ ଇସ୍ତଫା ବାବଦେ ଯେଉଁ କାରଣ ଦର୍ଶାଇଛନ୍ତି ସେଥିରେ ମନ୍ଦିର ଦାନ ଗଣନା ପ୍ରକ୍ରିୟା ଏବେ ଅଧିକ ସମୟସାପେକ୍ଷ ଓ କଠିନ ହେଉଥିବା କହିଛନ୍ତି। କାରଣ ଦାନ ଚୋରି ଅଭିଯୋଗ ଉଠିବା ପରେ ମନ୍ଦିରଦାନ ବାକ୍ସରୁ ଏବେ ୧୦ ଓ ୨୦ ଟଙ୍କା ନୋଟ ଅଧିକ ବାହାରୁଛି। ସୂତ୍ର ଅନୁସାରେ ପୂର୍ବରୁ କର୍ମଚାରୀ ପ୍ରଥମେ ୭୦ରୁ ୮୦ ବଣ୍ଡଲ ୫୦୦ ଟଙ୍କା ନୋଟ ପ୍ରସ୍ତୁତ କରୁଥିଲେ। ଏଣୁ ଦାନ ଗଣିବା ସହଜ ହେଉଥିଲା। ଏବେ ଅତି କଷ୍ଟରେ ୫୦୦ ଟଙ୍କା ନୋଟ୍ ର ୧୫ଟି ବଣ୍ଡଲ ହୋଇ ପାରୁଛି।

ଏହା ପୂର୍ବରୁ ମନ୍ଦିର ଦାନ ଗଣନା କାମ ସିଫ୍ଟରେ କରାଯାଉଥିଲା। ହେଲେ ଏବେ ସିଷ୍ଟମ ବଦଳାଇ ପୂର୍ବାହ୍ନ ୯ଟାରୁ ଅପରାହ୍ନ ୬ଟା ଗୋଟିଏ ସିଫ୍ଟରେ କାମ କରାଯାଉଛି। କର୍ମଚାରୀଙ୍କ କାର୍ଯ୍ୟ ଘଣ୍ଟା ବଢିଥିଲେ ବି ବେତନରେ କୌଣସି ପରିବର୍ତ୍ତନ ହୋଇ ନାହିଁ। ଏଣୁ ଦାନ ଗଣନା କରୁଥିବା ୨୩ ଜଣ କର୍ମଚାରୀ ସାମୂହିକ ଇସ୍ତଫା ଦେଇଛନ୍ତି। ଫଳରେ ଏବେ ମନ୍ଦିର ଦାନ ଗଣନା କାର୍ଯ୍ୟ ଭାରତୀୟ ଷ୍ଟେଟବ୍ୟାଙ୍କ (ଏସବିଆଇ) ଦ୍ୱାରା ନିଯୁକ୍ତ ୧୩ ଜଣ କର୍ମଚାରୀ କରୁଛନ୍ତି। ମନ୍ଦିର ଦାନ ରାଶି ଚୋରି ଅଭିଯୋଗ ଯାଞ୍ଚ ମଧ୍ୟରେ ମନ୍ଦିର ନିର୍ମାଣ କମିଟି ମୁଖ୍ୟ ନୃପେନ୍ଦ୍ର ମିଶ୍ର ଶୁକ୍ରବାର ଅଯୋଧ୍ୟା ପହଞ୍ଚିଛନ୍ତି।

ରାମ ନଗରୀ ଅଯୋଧ୍ୟାକୁ ନୃପେନ୍ଦ୍ର ମିଶ୍ରଙ୍କ ଏହା ତୃତୀୟ ଯାତ୍ରା। ସୂତ୍ର ଅନୁସାରେ ମିଶ୍ର ରାମ ଲଲା ଦର୍ଶନ ପରେ ମନ୍ଦିର ପରିସରରେ ଚାଲୁଥିବା ନିର୍ମାଣ କାର୍ଯ୍ୟ ସମୀକ୍ଷା କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ରାମ ମନ୍ଦିର ଚାନ୍ଦା ଚୋରି ମାମଲାର ସୁପ୍ରିମକୋର୍ଟରେ ଶୁଣାଣି ଜୁଲାଇ ୧୩ ତାରିଖରେ ହେବ। ପ୍ରଧାନ ବିଚାରପତି (ସିଜେଆଇ) ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ୩ ବିଚାରପତିଙ୍କ ପୀଠ ଏହି ମାମଲାର ଶୁଣାଣି କରିବେ। ଏଥି ପାଇଁ ମୋଟ ୩ଟି ପିଟିସନ ସୂଚୀବଦ୍ଧ ହୋଇଛି। ଏଥିରେ ଅନ୍ୟ ଦାବିକୁ ବାଦ ଦେଲେ ସିବିଆଇ ତଦନ୍ତ, ଏକ ସ୍ୱତନ୍ତ୍ର ଏସଆଇଟି ଗଠନ ଓ ମନ୍ଦିରରେ ଦାନ ପ୍ରବନ୍ଧନର ବିଭିନ୍ନ ଦିଗ ସମୀକ୍ଷା ଲାଗି ବିଶେଷଜ୍ଞ କମିଟି ଗଠନ ଦାବି କରାଯାଇଛି।