ନୂଆଦିଲ୍ଲୀ: ଦୁନିଆରେ ଏମିତି କିଛି ସ୍ଥାନ ଅଛି ଯେଉଁଠାକୁ ଯିବା ସହଜ ନୁହେଁ । 'ମାର୍ଘେରିଟା ହଟ୍' ସେହିପରି ଏକ ଆଶ୍ଚର୍ଯ୍ୟଜନକ ସ୍ଥାନ, ଯାହାକୁ ବିଶ୍ୱର ସବୁଠାରୁ ବିପଦପୂର୍ଣ୍ଣ ଗନ୍ତବ୍ୟସ୍ଥଳ ବୋଲି କୁହାଯାଏ । ଇଟାଲୀରେ ରହିଛି ଏହି ଅନନ୍ୟ 'ମାଉଣ୍ଟେନ୍ ରିଫ୍ୟୁଜ୍' (Mountain Refuge) ବା ପାର୍ବତ୍ୟ ରହିବା ସ୍ଥଳ । 

ଏହି ସ୍ଥାନର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି, ସେଠାକୁ ଯିବା ପାଇଁ କୌଣସି ରାସ୍ତା ନାହିଁ କିମ୍ବା ବସ୍-କାର୍ ଭଳି କୌଣସି ଗାଡ଼ି ଯାଇପାରେ ନାହିଁ। ଏଠାରେ ପହଞ୍ଚିବାକୁ ହେଲେ ପର୍ଯ୍ୟଟକ ଓ ପର୍ବତାରୋହୀଙ୍କୁ ପ୍ରାୟ ୫ ଘଣ୍ଟାର କଠିନ ଟ୍ରେକିଂ କରିବାକୁ ପଡ଼ିଥାଏ। ମାର୍ଘେରିଟା ହଟ୍ ଇଟାଲୀର 'ଆଲ୍ପସ୍' (Alps) ପର୍ବତମାଳାରେ ସମୁଦ୍ର ପତ୍ତନଠାରୁ ପ୍ରାୟ ୧୫,୦୦୦ ଫୁଟ ଉଚ୍ଚତାରେ ଅବସ୍ଥିତ। ଏହା ଇଟାଲୀ ଏବଂ ସ୍ୱିଜରଲ୍ୟାଣ୍ଡର ସୀମା ନିକଟରେ ରହିଛି । ଅତି ଅଧିକ ଉଚ୍ଚତା ହେତୁ ଏଠାକାର ପରିବେଶ ଓ ପାଣିପାଗ ସାଧାରଣ ପର୍ଯ୍ୟଟନ ସ୍ଥଳଠାରୁ ସମ୍ପୂର୍ଣ୍ଣ ଭିନ୍ନ।

ଇଟାଲୀର ମହାରାଣୀଙ୍କ ସହ ସମ୍ପର୍କ
ଏହି ସ୍ଥାନର ନାମକରଣ ଇଟାଲୀର ମହାରାଣୀ 'ମାର୍ଘେରିଟା ଅଫ୍ ସାଭୋୟ'ଙ୍କ ନାମାନୁସାରେ କରାଯାଇଛି। ୧୮୯୩ ମସିହାରେ ମହାରାଣୀ ନିଜେ ଏହି ପାର୍ବତ୍ୟ କୁଟୀର ଗସ୍ତ କରିଥିଲେ। ଆଜି ଏହା ବିଶ୍ୱର ଆଡଭେଞ୍ଚର ପ୍ରେମୀଙ୍କ ପାଇଁ ଏକ ପ୍ରସିଦ୍ଧ ଆକର୍ଷଣ ପାଲଟିଛି। ଏଠାରେ ପହଞ୍ଚିବା ପାଇଁ ପର୍ଯ୍ୟଟକଙ୍କୁ ନିଫେଟି  ଏବଂ ଲିସ୍  ଭଳି ବିପଜ୍ଜନକ ଗ୍ଲେସିଅର୍ ଅତିକ୍ରମ କରିବାକୁ ପଡ଼େ।

​​​​​​​

ସାଧାରଣ ଭ୍ରମଣକାରୀଙ୍କ ଅପେକ୍ଷା କେବଳ ଉତ୍ତମ ଶାରୀରିକ ଦକ୍ଷତା ଏବଂ ପାହାଡ଼ ଚଢ଼ାର ଅଭିଜ୍ଞତା ଥିବା ବ୍ୟକ୍ତିହିଁ ଏହି ଯାତ୍ରା ସମ୍ପୂର୍ଣ୍ଣ କରିପାରନ୍ତି। ଅଧିକ ଉଚ୍ଚତାରେ ଅମ୍ଳଜାନର ପରିମାଣ କମ୍ ଥାଏ। ସିଧାସଳଖ ୧୫,୦୦୦ ଫୁଟକୁ ଗଲେ ଶରୀର ଅସୁସ୍ଥ ହେବାର ଭୟ ଥାଏ। ସେଥିପାଇଁ ପର୍ବତାରୋହୀ ଗ୍ରେସେନିରୁ ଯାତ୍ରା ଆରମ୍ଭ କରିବା ପରେ, ଶେଷ ଚଢ଼େଇ ପୂର୍ବରୁ କମ୍ ଉଚ୍ଚତାରେ ଥିବା ଅନ୍ୟ କୌଣସି ପାର୍ବତ୍ୟ କୁଟୀରରେ ରାତି ବିତାନ୍ତି। ଏହାଦ୍ୱାରା ଶରୀର କମ୍ ଅମ୍ଳଜାନ ଓ କମ୍ ତାପମାତ୍ରା ସହ ନିଜକୁ ଖାପଖୁଆଇବାରେ ସମୟ ପାଏ।