କଟକ ୨୫।୧୦: ଆସନ୍ତା ୨୮ ତାରିଖରେ ସ୍ଥଳଭାଗ ଛୁଇଁବ ଅତି ଭୀଷଣ ସମ୍ଭାବ୍ୟ ବାତ୍ୟା । ଆନ୍ଧ୍ରର ବପାଟଲା ଓ ବିଶାଖାପଟନମ୍ ମଧ୍ୟରେ ସ୍ଥଳଭାଗ ଛୁଇଁବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ସ୍ଥଳଭାଗ ଛୁଇଁଲା ବେଳେ ଏହା ଅତି ଭୀଷଣ ବାତ୍ୟା ରୂପରେ ଅତିକ୍ରମ କରିବ । ସେ ସମୟରେ ପବନର ବେଗ ୧୧୫ରୁ ୧୨୫ କି.ମି. ଓ ଝଟକା ପବନ ୧୪୦ କି.ମି. ପ୍ରତି ଘଣ୍ଟା ବହିବା ଥିବା କହିଛି ପାଣିପାଗ ବିଭାଗ ।

ବର୍ତ୍ତମାନ ଏହା ପୂର୍ବକେନ୍ଦ୍ର ବଙ୍ଗୋପସାଗର ଓ ସଲଗ୍ନ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଠାରେ ଅବପାତ ସ୍ଥିତିରେ ରହିଛି । ଏହା ରବିବାର ଗଭୀର ଅବପାତର ରୂପ ନେବ । ୨୬ ତାରିଖ ସକାଳ ସୁଦ୍ଧା ବାତ୍ୟାର ରୂପ ନେଇ ପଶ୍ଚିମ ଉତ୍ତର ପଶ୍ଚିମ ଦିଗ ଆଡ଼କୁ ଗତି କରିବ । ଏବେ ଏହା ଗତ ୬ ଘଣ୍ଟାରେ ଏହା ଘଣ୍ଟା ପ୍ରତି ୫ କିଲୋମିଟର ବେଗରେ ଗତି କରୁଛି । ସୋମବାର ସକାଳ ସୁଦ୍ଧା ଏହା ବାତ୍ୟାର ପରିଣତ ହେବ । ୨୭ ତାରିଖ ସକାଳ ସୁଦ୍ଧା ଭୀଷଣ ବତ୍ୟାର ରୂପ ନେବ । ୨୮ ତାରିଖ ମଧ୍ୟାହ୍ନ ସୁଦ୍ଧା ଆନ୍ଧ୍ରପ୍ରଦେଶ ୟାନମ୍ ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି । ଏହି ସମୟରେ ପବନର ବେଗ ରହିବ ୧୧୫ରୁ ୧୨୫ କି.ମି. । ଝଟ୍କା ପବନ ବେଗ ୧୪୦ କି.ମି. ଛୁଇଁପାରେ ।

ସୋଆ ପାଣିପାଗ କେନ୍ଦ୍ରର ମୁଖ୍ୟ ଶରତ ସାହୁଙ୍କ ଆକଳନ କହୁଛି, ବିଶାଖାପାଟଣା ଦକ୍ଷିଣରେ ବାତ୍ୟା ସ୍ଥଳଭାଗରେ ପ୍ରବେଶ କରିବ । କିନ୍ତୁ ପରେ ଗତିପଥ ବଦଳାଇ ଉତ୍ତର ଦିଗକୁ ଅର୍ଥାତ୍ କୋରାପୁଟ ଆଡ଼କୁ ମୁହାଁଇବ । ଦକ୍ଷିଣ ଓଡ଼ିଶା ଠାରୁ ଆରମ୍ଭ କରି ଉପକୂଳ ପଶ୍ଚିମ ଓଡ଼ିଶା ପର୍ଯ୍ୟନ୍ତ ଭୀଷଣ ପ୍ରଭାବ ପକାଇବ । ୭୫ରୁ ୧୦୦ କି.ମି. ବେଗର ପବନ ସାଙ୍ଗକୁ ଅତି ପ୍ରବଳ ବର୍ଷା ହେବ ।

ଓଡ଼ିଶାରେ ସମ୍ଭାବ୍ୟ ବାତ୍ୟାର ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଏବଂ ପଦକ୍ଷେପ ଜୋର । କଟକ ମୁଣ୍ଡଳୀ ସ୍ଥିତ ଏନଡିଆରଏଫ ପକ୍ଷରୁ ୪ଟି ସ୍ୱତନ୍ତ୍ର ଟିମ୍ ରାଜ୍ୟର ବାତ୍ୟାପ୍ରବଣ ଅଞ୍ଚଳକୁ ଯାଇଛନ୍ତି । ଏହି ଟିମ୍ ଗୁଡ଼ିକୁ କୋରାପୁଟ, ମାଲକାନଗିରି, ଗଜପତି ଓ ରାୟଗଡ଼ା ଜିଲ୍ଲାକୁ ପଠାଯାଇଛି । ଗୋଟିଏ ଟିମ୍‌ରେ ୩୫ ଜଣ ଯବାନଙ୍କ ସହ ବିଭିନ୍ନ ଉଦ୍ଧାରକାରୀ ମେସିନ ମଧ୍ୟ ରହିଛି ।

Also Read:- ଭୟଙ୍କର ରୂପ ନେଲାଣି ବାତ୍ୟା ଅର୍ଣ୍ଣବ : ଓଡ଼ିଶାରେ ଏକ୍ସଟ୍ରିମ୍ ସିଭିୟର ବର୍ଷା, ୧୦୦ ପାଖାପାଖି ରହିବ ପବନ !

ଏହି ଟିମ୍ ଚ୍ୟାଲେଞ୍ଜପୂର୍ଣ୍ଣ ବାତ୍ୟା, ବନ୍ୟା ଏବଂ ପ୍ରାକୃତିକ ବିପର୍ଯ୍ୟୟ ପରିସ୍ଥିତିରେ ଉଦ୍ଧାର ତଥା ସହାୟତା କାର୍ଯ୍ୟ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଟିମ୍ ଗୁଡ଼ିକ ନିକଟରେ ମେଡିକାଲ ଫାଷ୍ଟ ରେସପଣ୍ଡର କିଟ୍, ବିଭିନ୍ନ କଟର, ଉଦ୍ଧାର ଉପକରଣ ଏବଂ ବିଭିନ୍ନ ପ୍ରକାରର ଜରୁରୀକାଳୀନ ପରିସ୍ଥିତିକୁ ସାମ୍ନା କରିବା ପାଇଁ ଆବଶ୍ୟକ ସମସ୍ତ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ରହିଛି ।

Watch Video: