ଇମ୍ପାଲ, ୧୦|୦୨ :କିଛି ଦିନର ନିରବତା ପରେ ଅଶାନ୍ତ ମଣିପୁର । ରାଜ୍ୟରେ ପୁଣି ହିଂସା ଦେଖିବାକୁ ମିଳିଛି । ଉଖରୁଲରେ ହିଂସା ଏବଂ ଦଙ୍ଗା ଘଟଣା ସାମ୍ନାକୁ ଆସିଛି .। ଏଠାରେ ଥିବା ସାରେଇଖୋଙ୍ଗ୍ ଗ୍ରାମରେ କିଛି ସଶସ୍ତ୍ର ବ୍ୟକ୍ତି ଲୋକଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି । ଏହାକୁ ନେଇ ପରିସ୍ଥିତି ଅଧିକ ଭୟଙ୍କର ହେବା ନେଇ ଆଶଙ୍କା ଦେଖାଦେଇଛି । ଯାହାର ପ୍ରତିକାର ସ୍ୱରୂପ ଜିଲ୍ଲାରେ କର୍ଫ୍ୟୁ ଲାଗୁ ହୋଇଛି । ଏହାସହ ୫ ଦିନ ପାଇଁ ଇଣ୍ଟରନେଟ୍ ସେବାକୁ ବାତିଲ କରାଯାଇଛି ।

ଅଧିକାରୀଙ୍କ କହିବାନୁସାରେ, କିଛି ଦୁର୍ବୃତ୍ତ ଗାଁ ମଧ୍ୟରେ ପ୍ରବେଶ କରିଥିଲେ । ପ୍ରଥମେ ସେମାନେ ଫାଙ୍କା ଗୁଳି ଚାଳନା କରିଥିଲେ । ପରେ କିଛି ଘରକୁ ଜାଳି ଦେଇଥିଲେ । ଘଟଣା ପରେ ଅନେକ ଗ୍ରାମବାସୀ ପଡୋଶୀ କାଙ୍ଗପୋକପି ଗ୍ରାମକୁ ଆସବାବପତ୍ର ନେଇ ଚାଲିଯାଇଛନ୍ତି । ତାଙ୍ଗଖୁଲ ଗ୍ରାମର କିଛି ବ୍ୟକ୍ତି ମଧ୍ୟ ସୁରକ୍ଷିତ ଜାଗାକୁ ପଳାୟନ କରିଛନ୍ତି ।

ବିଗୁଡୁଥିବା ଆଇନଶୃଙ୍ଖଳା ପରିସ୍ଥିତିକୁ ନଜରେର ରଖି ମଣିପୁର ଡିଜି ସାରା ଜିଲ୍ଲାରେ କର୍ଫ୍ୟୁ ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଅସ୍ଥାୟୀ ଭାବେ ଇଣ୍ଟରନେଟ୍ ସେବାକୁ ବନ୍ଦ କରିଦିଆଯାଇଛି । ଏବେ ଇଣ୍ଟରନେଟ୍ ଅଧିକ ହିଂସା ବ୍ୟାପିବାର ମାଧ୍ୟମ ହୋଇପାରେ । ଯାହା ଜନତାଙ୍କ ସୁରକ୍ଷା ଏବଂ ଶାନ୍ତି ପାଇଁ ବିପଦ । ନିର୍ଦ୍ଦେଶରେ ଆହୁରି କୁହାଯାଇଛି ଯେ, କେହି ଫେକ୍ ନ୍ୟୁଜ କିମ୍ବା ଭିଡିଓ ସେୟାର କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସୂଚନାଯୋଗ୍ୟ, ଶନିବାର ଉଖରୁଲର ଲିଟନ୍ ଗାଁରେ ନାଗା ସମୁଦାୟର ଜଣେ ବ୍ୟକ୍ତିଙ୍କୁ ମାରପିଟ୍ କରିଥିଲେ । ରବିବାର ଉଭୟ ପକ୍ଷ ମଧ୍ୟରେ ଆପୋଷ ବୁଝାମଣା ହୋଇଥାନ୍ତା । କିନ୍ତୁ ଏହା ସମ୍ଭବ ହୋଇପାରିନଥିଲା । ସୋମବାର ବିଳମ୍ବିତ ରାତ୍ରରେ କିଛି ଦୁର୍ବୃତ୍ତ ସାରେଇଖୋଙ୍ଗରେ ଥିବା ନାଗା ସମୁଦାୟଙ୍କ ଘରକୁ ଜାଳି ଦେଇଥିଲେ । ଏହାପରେ ଅନ୍ୟ ସମୁଦାୟ ମଧ୍ୟ ନାଗାଙ୍କ ଘରକୁ ଟାର୍ଗେଟ୍ କରିଛନ୍ତି । ଯାହାକୁ ନେଇ ହିଂସା ବ୍ୟାପିଛି ।