ନୂଆଦିଲ୍ଲୀ: ଦେଶର ବିରୋଧୀ ଦଳଗୁଡ଼ିକ ପୁଣିଥରେ ଏକଜୁଟ ହେବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ବିରୋଧୀ  'ଇଣ୍ଡି' ମେଣ୍ଟ (INDIA Block) ପକ୍ଷରୁ ସୋମବାର ଦିନ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯାଇଛି। ଏହି ବୈଠକରେ ୨୩ଟି ରାଜନୈତିକ ଦଳ ସାମିଲ ହେବା ନେଇ ଆଲୋଚନା ହେଉଛି। ତେବେ ବୈଠକ ପୂର୍ବରୁ ହିଁ ମେଣ୍ଟ ମଧ୍ୟରେ ମତଭେଦ ବା 'ଫାଟ' ମଧ୍ୟ ସ୍ପଷ୍ଟ ଦେଖାଯାଇଛି। ଆମ ଆଦମୀ ପାର୍ଟି (AAP) ସମେତ କେତେକ ପ୍ରମୁଖ ଦଳ ଏହି ବୈଠକରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଛନ୍ତି।

କଂଗ୍ରେସ ସାଂସଦ ଜୟରାମ ରମେଶ ସୂଚନା ଦେଇଛନ୍ତି ଯେ, ଜୁନ୍ ୮ ତାରିଖରେ ଦିଲ୍ଲୀର କନଷ୍ଟିଚ୍ୟୁସନ କ୍ଲବରେ ହେବାକୁ ଥିବା ଏହି ବୈଠକରେ ଯୋଗଦେବା ପାଇଁ ୨୩ଟି ଦଳ ସେମାନଙ୍କର ସମ୍ମତି ପ୍ରକାଶ କରିଛନ୍ତି। ଏହା ସହିତ କିଛି ଦଳ ନିଜ ନିଜର ବ୍ୟକ୍ତିଗତ କାରଣ ଯୋଗୁଁ ଏଥିରେ ସାମିଲ ହୋଇପାରିବେ ନାହିଁ ବୋଲି ଜଣାଇଛନ୍ତି।

ଦିଲ୍ଲୀରେ ପହଞ୍ଚିଲେ ମମତା ବାନାର୍ଜୀ
ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଭାଗ ନେବା ପାଇଁ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (TMC) ସୁପ୍ରିମୋ ମମତା ବାନାର୍ଜୀ ଦିଲ୍ଲୀରେ ପହଞ୍ଚି ସାରିଛନ୍ତି। ବେଙ୍ଗଲ ବିଧାନସଭା ନିର୍ବାଚନରେ ପରାଜୟ ପରେ ମମତା ବାନାର୍ଜୀଙ୍କର ଏହା ପ୍ରଥମ ଦିଲ୍ଲୀ ଗସ୍ତ। ସୋମବାର ସେ 'ଇଣ୍ଡି' ମେଣ୍ଟର ବୈଠକରେ ଯୋଗଦେବେ। ଏହି ସମୟରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମମତା ବାନାର୍ଜୀଙ୍କୁ ସାକ୍ଷାତ କରିଛନ୍ତି। ଏହା ସହିତ ମମତା ବାନାର୍ଜୀ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ମଧ୍ୟ ଭେଟିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

କ’ଣ ରହିଛି ବିରୋଧୀ ବୈଠକର ଏଜେଣ୍ଡା ?
ସୋମବାର ମଧ୍ୟାହ୍ନ ୧୨ଟାରୁ 'ଇଣ୍ଡି' ମେଣ୍ଟର ଏହି ବୈଠକ ଆରମ୍ଭ ହେବ। ଏହି ବୈଠକରେ ଦେଶର କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଗୁଡ଼ିକର (ED, CBI) କଥିତ ଅପବ୍ୟବହାର, ଦେଶରେ କ୍ରମାଗତ ଭାବରେ ବଢ଼ୁଥିବା ମୂଲ୍ୟବୃଦ୍ଧି  ଏବଂ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ (Paper Leak) ପ୍ରସଙ୍ଗରେ ଆଲୋଚନା ହୋଇପାରେ ।

​​​​​​​

କଂଗ୍ରେସ ସାଂସଦ ଜୟରାମ ରମେଶ କହିଛନ୍ତି ଯେ, କେନ୍ଦ୍ର ସରକାର ତଦନ୍ତକାରୀ ସଂସ୍ଥା ଜରିଆରେ ବିରୋଧୀ ନେତାମାନଙ୍କୁ ଟାର୍ଗେଟ କରୁଛନ୍ତି। ଏହାସହ ବଢ଼ୁଥିବା ମହଙ୍ଗା ମାଡ଼ ଦେଶର କୋଟି କୋଟି ଜନସାଧାରଣଙ୍କ ଜୀବିକା ଓ ଘରୋଇ ବଜେଟ୍‌କୁ ବିଗାଡ଼ି ଦେଇଛି। ପ୍ରଶ୍ନ ପତ୍ର ଲିକ୍ ମାମଲା ଯୋଗୁଁ ଲକ୍ଷ ଲକ୍ଷ ଯୁବକଯୁବତୀଙ୍କ ଆଶା ଓ ବିଶ୍ୱାସ ସହ ପ୍ରତାରଣା କରାଯାଉଛି। ଏପରିକି ସରକାରଙ୍କ ବୈଦେଶିକ ନୀତି ଜାତୀୟ ସ୍ୱାର୍ଥ ସହ ସାଲିସ୍ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି।

ମେଣ୍ଟରୁ ଦୂରେଇ ରହିଲା ଆମ ଆଦମୀ ପାର୍ଟି
ଏହି ବୈଠକରୁ ଆମ ଆଦମୀ ପାର୍ଟି ନିଜକୁ ଦୂରେଇ ରଖିଛି। 'ଆପ୍' ନେତା ସୋମନାଥ ଭାରତୀ କଂଗ୍ରେସ ଉପରେ ଏକ ବଡ଼ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, କଂଗ୍ରେସ ଦେଶର ଆଞ୍ଚଳିକ ଏବଂ ଛୋଟ ଛୋଟ ରାଜନୈତିକ ଦଳଗୁଡ଼ିକୁ ଦୁର୍ବଳ କରିବା ପାଇଁ ଭିତରେ ଭିତରେ ବିଜେପି ସହିତ ମିଶି କାମ କରୁଛି, ଯେପରି ଭବିଷ୍ୟତରେ ବିଜେପି ଏବଂ କଂଗ୍ରେସ ପାଳି କରି ଦେଶକୁ ଶାସନ କରିପାରିବେ।