ନୂଆଦିଲ୍ଲୀ: ଭାରତର ପୂର୍ବତନ ମୁଖ୍ୟ ବିଚାରପତି (ସିଜେଆଇ) ବି.ଆର.ଗଭଈ ଓ ଅନ୍ୟ ରିଟାୟାର୍ଡ ଜଜ୍ ମାନେ ସୋମବାର ନିର୍ବାଚନ କମିଶନଙ୍କ ଉପରେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଉଜ୍ଜ୍ୱଳ ଭୂୟାଁଙ୍କ ଟିପ୍ପଣୀକୁ ସମାଲୋଚନା କରିଛନ୍ତି। ଗଭଈ କହିଛନ୍ତି ଯେ ଜଣେ ବର୍ତ୍ତମାନର ବିଚାରପତିଙ୍କୁ ଭୋଟର ଲିଷ୍ଟର ‘ସ୍ପେଶାଲ ଇଣ୍ଟେନସିଭ ରିଭିଜନ’ (ଏସଆଇଆର) ଉପରେ ଜାରି ବିବାଦରେ ଏପରି ଟିପ୍ପଣୀ କରିବାର ନଥିଲା, କାରଣ ଏହି ମାମଲା ଏବେ ସୁପ୍ରିମକୋର୍ଟଙ୍କ ବିଚାରାଧୀନ ରହିଛ।

ପ୍ରସଙ୍ଗରେ ଗଭଈ ଗଣମାଧ୍ୟମକୁ କହିଛନ୍ତି ଯେ ‘ନ୍ୟାୟିକ ମର୍ଯ୍ୟଦା ତାଙ୍କୁ ଏପରି ମାମଲାରେ କୌଣସି ଟିପ୍ପଣୀ କରିବାକୁ ଅନୁମତି ଦିଏନି, ଯାହା କୋର୍ଟରେ ବିଚାରାଧୀନ ରହିଛି’। ସେହିପରି ଦିଲ୍ଲୀ ହାଇକୋର୍ଟର ରିଟାୟାର୍ଡ ଜଜ୍ ଏସ୍.ଏନ.ଢିଙ୍ଗରା ଓ ଆର.ଏସ୍.ସୋଢୀ ମଧ୍ୟ ଜଷ୍ଟିସ୍ ଭୂୟାଁଙ୍କ ଏପରି ଟିପ୍ପଣୀ ଉପରେ ପ୍ରଶ୍ନ ଉଠାଇଛନ୍ତି। ଜଷ୍ଟିସ୍ ଢିଙ୍ଗରା କହିଛନ୍ତି ଯେ ଜଷ୍ଟିସ୍ ଭୂୟାଁଙ୍କ ବୟାନ ସୁପ୍ରିମକୋର୍ଟର ବର୍ତ୍ତମାନର ଜଜ୍ ଙ୍କ ସୀମା ଅପେକ୍ଷା ଅନେକ ଅଧିକ ଓ ଏପରି କମେଣ୍ଟ କୌଣସି ସାର୍ବଜନିକ କାର୍ଯ୍ୟକ୍ରମରେ କରାଯିବା ଉଚିତ ନୁହେଁ, ଯେତେବେଳେ ସେହି ପ୍ରସଙ୍ଗ ସୁପ୍ରିମକୋର୍ଟରେ ଲମ୍ବିତ ରହିଛି।

ଢିଙ୍ଗରା କହିଛନ୍ତି ଯେ ଏପରି ବୟାନ ଦେବା ପୂର୍ବରୁ ତାଙ୍କୁ ହଜାର ବାର ଭାବିବାର ଥିଲା ଓ ସେ କହିଛନ୍ତି ଯେ ହୁଏତ ଜଷ୍ଟିସ୍ ଭୂୟାଁଙ୍କୁ ପ୍ରସଙ୍ଗରେ ଅଧିକ କିଛି ଜଣା ନାହିଁ। ସେହିପରି ଜଷ୍ଟିସ୍ ଆର.ଏସ୍.ସୋଢୀ ମଧ୍ୟ ଏସଆଇଆର ପ୍ରକ୍ରିୟାକୁ ‘ଭୋଟ ଅଧିକାର’ରୁ ବଞ୍ଚିତ କରିବା କହିବା ଲାଗି ଜଷ୍ଟିସ୍ ଭୂୟାଁଙ୍କୁ ସମାଲୋଚନା କରିଛନ୍ତି ଓ କହିଛନ୍ତି ଯେ ଭୋଟ ଅଧିକାର ଆଇନ ଢାଞ୍ଚାରେ ନିର୍ଦ୍ଧାରିତ ହୋଇଥାଏ। ଆପଣ ଭୋଟ ଦେଇ ପାରିବେ କି ନା ତାହା ଆଇନରେ ନିର୍ଦ୍ଧାରିତ ହୁଏ। ଯଦି ଆପଣ ଆଇନ ପରିସରରେ ଅଛନ୍ତି ତେବେ ଆପଣଙ୍କର ଭୋଟ ଦେବା ଅଧିକାର ସୁନିଶ୍ଚିତ।

ଜଷ୍ଟିସ୍ ସୋଢୀ କହିଛନ୍ତି ଯେ ଯଦି ଆପଣ ଆଇନ ପରିସରରେ ଆସୁ ନାହାନ୍ତି ତେବେ ଆପଣଙ୍କ ଭୋଟ ଦାନର ଅଧିକାର ନାହିଁ। ସୋଢୀ କହିଛନ୍ତି ମୋର କହିବା କଥା ହେଉଛି ଏପରି କଟ୍ଟର ବିଚାର ଓ କଟ୍ଟର ବୟାନ ମୋ ହିସାବରେ କୌଣସି ଜିନିଷକୁ ଦେଖିବାର ବହୁତ ବିଚାରଯୋଗ୍ୟ ଉପାୟ ନୁହେଁ, ଖାସ କରି ସେତେବେଳେ ଯେତେବେଳେ ଆପଣ ଏପରି କ୍ଷେତ୍ରରେ ରହନ୍ତି ଯେଉଁଠି ଆପଣଙ୍କଠୁ ତର୍କ ସଙ୍ଗତ ବିଚାର ଆଶା କରାଯାଏ।

କଣ କହିଥିଲେ ଜଷ୍ଟିସ୍ ଭୂୟାଁ?
ଏହି ସବୁ କଥା ଜଷ୍ଟିସ୍ ଭୂୟାଁଙ୍କ ସେହି ବୟାନର ଦିନକ ପରେ ଆସିଛି ଯେଉଁଥିରେ ସେ କହିଥିଲେ ଯେ ‘ଏପରି କୌଣସି ପ୍ରକ୍ରିୟା ଯାହା ଲକ୍ଷଲକ୍ଷ ଭାରତୀୟ ନାଗରିକଙ୍କୁ ‘ଭୋଟ ଦେବାର ଅଧିକାର’ରୁ ବଞ୍ଚିତ କରେ, ତାହା ମୂଳତଃ ସ୍ୱେଚ୍ଛାଚାର ଓ ସାମ୍ବିଧାନିକ ବ୍ୟବସ୍ଥାକୁ ‘ଅସ୍ୱୀକାର’ କରିବା ଭଳି ’। ରବିବାର ହାଇଦ୍ରାବାଦର NALSAR ୟୁନିଭର୍ସିଟି ଅଫ ଲ ରେ ୧୯ତମ ଜଷ୍ଟିସ୍ ବି.ଆର. ସାହାଣୀ ମେମୋରିୟାଲ ମୁଟ କୋର୍ଟ ପ୍ରତିଯୋଗୀତା ସମାପନ ଉତ୍ସବକୁ ସମ୍ବୋଧିତ କରି ଜଷ୍ଟିସ୍ ଭୂୟାଁ କହିଥିଲେ ଯେ ‘ସମ୍ବିଧାନ ନାଗରିକଙ୍କ ଦୁଇ ବର୍ଗ କରେ ନାହିଁ ଗୋଟିଏ ଯେଉଁ ମାନେ ଭୋଟ ଦେଇ ପାରିବେ ଓ ଅନ୍ୟଟି ଯେଉଁମାନଙ୍କ ଅଧିକାର ନାହିଁ ବୋଲି କହି ପାରିବନି’।