ନୂଆଦିଲ୍ଲୀ: ଲାଇକ୍ସ ଏବଂ କମେଣ୍ଟ ପାଇଁ ଦେଶର ଗରିମାକୁ ତଳେ ପକାଇବାକୁ ବି କୁଣ୍ଠାବୋଧ କରୁନାହାନ୍ତି ତଥାକଥିତ କଣ୍ଟେଣ୍ଟ କ୍ରିଏଟର । ଏପରିକି ମହାପୁରୁଷଙ୍କୁ ଅସମ୍ମାନ କରିବାକୁ ବି ସେମାନେ ପଛାଉ ନାହାନ୍ତି । ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ନେଇ ଆପତ୍ତିଜନକ କଣ୍ଟେଣ୍ଟ କରିଥିବା ଜଣେ ୪୭ ବର୍ଷୀୟ ମହିଳାଙ୍କୁ ଗିରଫ କରାଯାଇଛି । ଇନଷ୍ଟାରେ ତାଙ୍କର ୧୦ ଲକ୍ଷ ଫଲୋୟର୍ସ ଅଛନ୍ତି । ସୋସିଆଲ ମିଡିଆରେ ଭିଉ ପାଇ ଟଙ୍କା ରୋଜଗାର କରିବାରେ ଅସୁବିଧା ନାହିଁ, ହେଲେ ନିଜର ସୀମା ଭୁଲିଯିବା ଉଚିତ ନୁହେଁ । 

ଗୁଜରାଟର ସୁରଟ ସହରରୁ ଜଣେ ଜଣାଶୁଣା ସୋସିଆଲ ମିଡିଆ କଣ୍ଟେଣ୍ଟ କ୍ରିଏଟର ସିମରନ୍‌ ପଟେଲଙ୍କୁ ପୁଲିସ ଗିରଫ କରିଛି । ସେ ମହାତ୍ମା ଗାନ୍ଧୀଙ୍କ ଛବି ଥିବା ୫୦୦ ଟଙ୍କିଆ ନୋଟ୍‌କୁ ନେଇ ଆପତ୍ତିଜନକ ରିଲ୍ ପ୍ରସ୍ତୁତ କରି ଗିରଫ ହୋଇଛନ୍ତି। ଗାନ୍ଧୀ ଜୟନ୍ତୀର ପୂର୍ବ ସନ୍ଧ୍ୟା ଅର୍ଥାତ୍ ଅକ୍ଟୋବର ୧ ତାରିଖରେ ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ଭିଡିଓଟି ପୋଷ୍ଟ କରିଥିଲେ । ସେଥିରେ ସେ ମହାତ୍ମା ଗାନ୍ଧୀଙ୍କ ଫଟୋ ଥିବା ନୋଟ୍ ଧରି ଅଶୋଭନୀୟ ଇଙ୍ଗିତ କରିଥିବା ଦେଖାଯାଇଥିଲା।

ଏନେଇ ଧର୍ମେଶ ଗାମୀ ନାମକ ଜଣେ ସାମାଜିକ କର୍ମୀ ସୁରଟ କ୍ରାଇମ୍ ବ୍ରାଞ୍ଚରେ ଅଭିଯୋଗ କରିଥିଲେ ।  ପରେ ପୁଲିସ ମାମଲା ରୁଜୁ କରି ସୂଚନା ପ୍ରଯୁକ୍ତିବିଦ୍ୟା ଆଇନର ଧାରା ୬୭ ଅଧୀନରେ ସିମରନଙ୍କୁ ଗିରଫ କରିଛି। ସୁରଟ ପୁଲିସ ନିଜର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରି ଏହି ଗିରଫଦାରୀ ବିଷୟରେ ସୂଚନା ଦେଇଛି । ସିମରନଙ୍କ ହାତରେ ହାତକଡ଼ି ଲାଗିଥିବା ବେଳେ ସେ ନିଜ ଭୁଲ୍ ପାଇଁ କ୍ଷମା ପ୍ରାର୍ଥନା କରୁଥିବା ଦେଖିବାକୁ ମିଳିଛି ।

ପୁଲିସର ସୂଚନା ଅନୁସାରେ, ଦ୍ୱାଦଶ ଶ୍ରେଣୀ ଯାଏଁ ପଢ଼ିଥିବା ସିମରନ ୧୭ ବର୍ଷ ପୂର୍ବରୁ ବିବାହ ପରେ ସୁରଟରେ ରହିଆସୁଛନ୍ତି । ସେ ନିୟମିତ  ସୋସିଆଲ ମିଡିଆରେ ରିଲ୍‌ ପୋଷ୍ଟ କରୁଛନ୍ତି। ଏହି ସମ୍ବେଦନଶୀଳ ଘଟଣା ପରେ ପୁଲିସ ସାଧାରଣ ନାଗରିକଙ୍କୁ ବିଶେଷ ଅପିଲ୍‌ କରିଛି । ସାମାଜିକ ଶାନ୍ତି ଓ ସୌହାର୍ଦ୍ଦ୍ୟ ଭଙ୍ଗ କରୁଥିବା କୌଣସି ପ୍ରକାରର ଆପତ୍ତିଜନକ ବିଷୟବସ୍ତୁ ସୋସିଆଲ ମିଡିଆରେ ପୋଷ୍ଟ ନକରିବାକୁ ନିବେଦନ କରିଛି ପୁଲିସ ।