ନୂଆଦିଲ୍ଲୀ: ଗୁଜରାଟ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ସୁନିତା ଅଗ୍ରୱାଲ, ତେଲେଙ୍ଗାନା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ଅପରେଶ କୁମାର ସିଂହ ଓ ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତି ଦେବେନ୍ଦ୍ର କୁମାର ଉପାଧ୍ୟାୟଙ୍କୁ ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତ କରାଯାଇଛି। ଏ ସମ୍ପର୍କରେ କେନ୍ଦ୍ର ସରକାର ସୋମବାର ଅଧିକାରୀକ ନୋଟିଫିକେସନ ଜାରି କରିଛନ୍ତି। ଏହି ଅଧିସୂଚନା ଆଇନ ବିଭାଗ ପକ୍ଷରୁ ଜାରି ହୋଇଛି।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତର ସମ୍ବିଧାନରେ ମିଳିଥିବା ଶକ୍ତି ଅନୁସାରେ ଏହି ନିଯୁକ୍ତି କରିଛନ୍ତି। ଏହି ପଦକ୍ଷେପ ଯୋଗୁ ଶୀର୍ଷ ନ୍ୟାୟାଳୟ ଆହୁରି ମଜଭୁତ ହେବ, ଯାହାର ମଞ୍ଜୁର ବିଚାରପତିଙ୍କ ସଂଖ୍ୟା ୩୮। ଏମାନଙ୍କ ନିଯୁକ୍ତି ସୁପ୍ରିମକୋର୍ଟ କଲେଜିୟମ ଦ୍ୱାରା ସେପ୍ଟେମ୍ବର ୨୮ରେ ହୋଇଥିବା ବୈଠକରେ ପଦୋନ୍ନତୀ ସୁପାରିଶର କିଛି ଦିନ ପରେ ହୋଇଛି। ସୁପ୍ରିମକୋର୍ଟ କଲେଜିୟମ ମୁଖ୍ୟ ଭାରତର ପ୍ରଧାନ ନ୍ୟାୟାଧୀଶ (ସିଜେଆଇ) ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଅଟନ୍ତି। ସେ କଲେଜିୟମ ବୈଠକରେ ୩ ଜଣ ମୁଖ୍ୟବିଚାରପତିଙ୍କ ପଦୋନ୍ନତୀ ସୁପାରିଶ କରିଥିଲେ।

ଏବେ ସୁପ୍ରିମକୋର୍ଟର ୱାର୍କିଂ ଷ୍ଟ୍ରେନ୍ଥ ୩୪ ରହିଛି। ନୂଆ ଜଜ ପଦବୀ ଗ୍ରହଣ କଲେ ଏହି ସଂଖ୍ୟା ୩୭ ହୋଇଯିବ। ସୁପ୍ରିମକୋର୍ଟରେ ଚିଫ୍ ଜଷ୍ଟିସ୍ ଅଫ ଇଣ୍ଡିଆ ସମେତ ମଞ୍ଜୁର ଜଜ୍ ଙ୍କ ସଂଖ୍ୟା ୩୮। ସୁପ୍ରିମକୋର୍ଟ ଆମେଣ୍ଡମେଣ୍ଟ ଆକ୍ଟ ୨୦୨୬ ପରେ ନିକଟରେ ମଞ୍ଜୁର ଜଜଙ୍କ ସଂଖ୍ୟା ୩୪ କରାଯାଇଥିଲା। ତେବେ ଆସନ୍ତୁ ଜାଣିବା ସୁପ୍ରିମକୋର୍ଟଙ୍କ ନୂଆ ବିଚାରପତିଙ୍କ ସମ୍ପର୍କରେ।

ଜଷ୍ଟିସ୍ ଦେବେନ୍ଦ୍ର କୁମାର ଉପାଧ୍ୟାୟ
ଜଷ୍ଟିସ୍ ଦେବେନ୍ଦ୍ର କୁମାର ଉପାଧ୍ୟାୟ ଜାନୁୟାରୀ ୨୦୨୫ରୁ ଦିଲ୍ଲୀ ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ଅଛନ୍ତି। ଏହା ପୂର୍ବରୁ ସେ ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ଥିଲେ। ସେ ଜୁଲାଇ ୨୦୨୩ରେ ଏହି ପଦବୀରେ ଯୋଗଦାନ କରିଥିଲେ। ଜଷ୍ଟିସ୍ ଉପାଧ୍ୟାୟଙ୍କୁ ୨୦୧୧ ମସିହାରେ ଏଲହାବାଦ ହାଇକୋର୍ଟରେ ପଦୋନ୍ନତୀ ମିଳିଥିଲା ଓ ଅଗଷ୍ଟ ୨୦୧୩ରେ ପରମାନେଣ୍ଟ ଜଜ୍ ହୋଇଥିଲେ।

ଜଷ୍ଟିସ୍ ଅପରେସ କୁମାର ସିଂହ
ଜଷ୍ଟିସ୍ ଅପରେସ କୁମାର ସିଂହ ଝାଡଖଣ୍ଡ, ତ୍ରିପୁରା ଓ ତେଲେଙ୍ଗାନାରୁ ବିଚାରବିଭାଗୀୟ ଅଭିଜ୍ଞତା ରଖନ୍ତି। ତାଙ୍କୁ ୨୦୧୨ ମସିହାରେ ଝାଡଖଣ୍ଡ ହାଇକୋର୍ଟ ଜଜ୍ ଭାବେ ପଦୋନ୍ନତୀ ମିଳିଥିଲାଓ ଜାନୁୟାରୀ ୨୦୧୪ରେ ତାଙ୍କୁ ପର୍ମାନେଣ୍ଟ ଜଜ୍ ଭାବେ କନଫର୍ମ କରାଯାଇଥିଲା।

ଜଷ୍ଟିସ୍ ସୁନୀତା ଅଗ୍ରୱାଲ
ଜଷ୍ଟିସ୍ ସୁନୀତା ଅଗ୍ରୱାଲ ସୁପ୍ରିମକୋର୍ଟ ଜଜ୍ ଭାବେ କାମ କରିବାରେ ତୃତୀୟ ମହିଳା ବିଚାରପତି ହେବେ। ତାଙ୍କୁ ୨୦୧୧ ମସିହାରେ ଏଲହାବାଦ ହାଇକୋର୍ଟରେ ପଦୋନ୍ନତୀ ଦିଆଯାଇଥିଲା ଓ ସେ ୨୦୧୩ ମସିହାରେ ପର୍ମାନେଣ୍ଟ ଜଜ୍ ହୋଇଥିଲେ। ସେ ଜୁଲାଇ ୨୦୨୩ରେ ଗୁଜରାଟ ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ। ଜଷ୍ଟିସ୍ ଅଗ୍ରୱାଲ ବେଞ୍ଚକୁ ଆସିବା ପୂର୍ବରୁ ସିଭିଲ ସାଇଡରେ ପ୍ରାକ୍ଟିସ୍ କରିଥିଲେ ଓ ୧୯୯୦ ମସିହାରେ ଆଡଭୋକେଟ୍ ଭାବେ ଏନରୋଲ ହୋଇଥିଲେ।

Also Read:ଶୀର୍ଷ ୧,୨,୩ ଛାଡ଼ି SC ବିଚାରପତି ଲାଗି ୪,୫,୬ଙ୍କ ନାଁ କରାଗଲା ସୁପାରିଶ; ସୁପ୍ରିମକୋର୍ଟ କଲେଜିୟମ୍ ଉପରେ ଉଠିଲା ପ୍ରଶ୍ନ