ନୂଆଦିଲ୍ଲୀ: ଜମ୍ମୁକାଶ୍ମୀରରେ ବେଆଇନ୍‌ ଭାବରେ ରହୁଥିବା ୧୫୦ ବାଂଲାଦେଶୀଙ୍କୁ ପଶ୍ଚିମବଙ୍ଗ ପଠାଯାଇଛି । ସେଠାରୁ ବିଏସଏଫ ସହାୟତାରେ ସେମାନଙ୍କୁ ବାଂଲାଦେଶ ଫେରାଇ ଦିଆଯିବ । ଶ୍ରୀନଗରରୁ ସୋମବାର  ଭାରତୀୟ ବାୟୁସେନାର ଏକ ସ୍ୱତନ୍ତ୍ର ବିମାନ ଯୋଗେ ସେମାନଙ୍କୁ ପଶ୍ଚିମବଙ୍ଗର ବାଗଡୋଗ୍ରା ବିମାନବନ୍ଦରକୁ ନିଆଯାଇଛି । ସେମାନଙ୍କୁ ବିଏସଏଫକୁ ହସ୍ତାନ୍ତର କରାଯାଇଥିବା ବେଳେ ନିର୍ଦ୍ଧାରିତ ସୀମା ଦେଇ ସେମାନଙ୍କୁ ବାଂଲାଦେଶ ପଠାଇବାର ବ୍ୟବସ୍ଥା କରାଯିବ ।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଯାଞ୍ଚ ସମୟରେ ଏହି ଲୋକମାନେ ବେଆଇନ ଭାବରେ ଭାରତରେ ରହୁଥିବା ଜଣାପଡ଼ିଥିଲା । ସେମାନଙ୍କୁ ଅଟକ ରଖାଯାଇଥିଲା। ଜମ୍ମୁକାଶ୍ମୀର ପ୍ରଶାସନ ପକ୍ଷରୁ ଚାଲିଥିବା ଏକ ଅଭିଯାନର ଅଂଶବିଶେଷ ଭାବରେ ଏହି ପଦକ୍ଷେପ ନିଆଯାଇଛି। ପୂର୍ବରୁ ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି ହୋଇଥିବା 'ଡିପୋର୍ଟେସନ୍ ମାନୁଆଲ୍ ୨୦୨୫' ଅନୁଯାୟୀ ଚିହ୍ନଟ ହୋଇଥିବା ବେଆଇନ ପ୍ରବାସୀମାନଙ୍କୁ ହୋଲ୍ଡିଂ ସେଣ୍ଟରଗୁଡ଼ିକରେ ରଖାଯାଉଥିଲା । ଏହା ପରେ ବୈଦେଶିକ ଆଞ୍ଚଳିକ ପଞ୍ଜୀକରଣ ଅଧିକାରୀ ସେମାନଙ୍କ ପ୍ରତ୍ୟର୍ପଣ ପ୍ରକ୍ରିୟା ପରିଚାଳନା କରୁଛନ୍ତି। ବାଗଡୋଗ୍ରା ପୂର୍ବରୁ ମଧ୍ୟ ଭାରତର ବିଭିନ୍ନ ସ୍ଥାନରୁ ଧରାପଡ଼ୁଥିବା ବେଆଇନ୍‌ ପ୍ରବାସୀଙ୍କ ପ୍ରମୁଖ ଟ୍ରାଞ୍ଜିଟ୍ ପଏଣ୍ଟ ଭାବରେ ବ୍ୟବହୃତ ହୋଇଆସୁଛି।

ଚଳିତ ବର୍ଷ ଆରମ୍ଭରେ ପ୍ରଶାସନ ଦ୍ୱାରା ଦିଆଯାଇଥିବା ତଥ୍ୟ ଅନୁଯାୟୀ, ଜମ୍ମୁକାଶ୍ମୀରର ୨୦ଟି ଜିଲ୍ଲାରେ ମୋଟ ୫୦୪ ଜଣ ବାଂଲାଦେଶୀ ନାଗରିକଙ୍କୁ ଚିହ୍ନଟ କରାଯାଇଥିଲା । ସେଥିମଧ୍ୟରୁ ୪୫୮ ଜଣ କାଶ୍ମୀର  ଏବଂ ୪୬ ଜଣ ଜାମ୍ମୁରେ ରହୁଥିଲେ। ଏହା ବ୍ୟତୀତ ପ୍ରାୟ ୭,୬୫୬ ଜଣ ରୋହିଙ୍ଗ୍ୟା ମଧ୍ୟ ଏହି ଅଞ୍ଚଳରେ ଚିହ୍ନଟ ହୋଇଛନ୍ତି। ସ୍ଥାନୀୟ ପୁଲିସ, ଭାରତୀୟ ବାୟୁସେନା ଏବଂ ବିଏସଏଫର ମିଳିତ ସହଯୋଗରେ ଏହି ଅପରେସନ୍ ସଫଳତାର ସହ ଜାରି ରହିଛି ।