ଭୁବନେଶ୍ୱର, ୨୫/୧୦ : ଆସୁଛି ବାତ୍ୟା ‘ଅର୍ଣ୍ଣବ’। ଅବପାତ ହୋଇ ସାରିଲାଣି। ରବିବାର ଗଭୀର ଅବପାତ, ସୋମବାରକୁ ନେବ ବାତ୍ୟା ରୂପ। ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି) ଆକଳନ- ସମୁଦ୍ର ଭିତରେ ବଳ ଜୁଟାଇ ଏହା ଅତି ଭୀଷଣ ବାତ୍ୟା (ଭେରି ସିଭିୟର ସାଇକୋନ) ହୋଇପାରେ।

୨୮ ତାରିଖ ସକାଳେ ପହଞ୍ଚିବ ଆନ୍ଧ୍ର ଉପକୂଳରେ । ୨୮ ତାରିଖ ଦିନ ପ୍ରାୟ ସାଢ଼େ ୧୧ଟା ପାଖାପାଖି ଏହା ଆନ୍ଧ୍ର ପ୍ରଦେଶର କାକିନାଡ଼ା ଦକ୍ଷିଣ ଦେଇ ସ୍ଥଳଭାଗରେ ମାଡ଼ ହେବ। ସେତେବେଳେ ଥିବ ଅତି ଭୀଷଣ ବାତ୍ୟା ଅବସ୍ଥାରେ I ପବନ ମାଡ଼ କରୁଥିବ ଘଣ୍ଟା ପ୍ରତି ୧୧୫ରୁ ୧୨୫ କିଲୋମିଟର ବେଗରେ। ଝଟକା ପବନ ବେଗ ୧୪୦ କିମି ଛୁଇଁପାରେ।

Also Read :- ୨୮ ତାରିଖ ପୂର୍ବାହ୍ନରେ ଆନ୍ଧ୍ର ଉପକୂଳ ଅତିକ୍ରମ କରିପାରେ ସମ୍ଭାବ୍ୟ ବାତ୍ୟା, ପବନର ବେଗ ରହିପାରେ ଘଣ୍ଟାପ୍ରତି ୧୨୫ କିମି

ସୋଆ ପାଣିପାଗ କେନ୍ଦ୍ରର ମୁଖ୍ୟ ଶରତ ସାହୁଙ୍କ ଆକଳନ କହୁଛି, ବିଶାଖପାଟଣା ଦକ୍ଷିଣରେ (କାକିନାଡ଼ା ଉତ୍ତର) ବାତ୍ୟା ସ୍ଥଳଭାଗରେ ପ୍ରବେଶ କରିବ। କିନ୍ତୁ ପରେ ଗତିପଥ ବଦଳାଇ ଉତ୍ତର ଦିଗକୁ ଅର୍ଥାତ୍ କୋରାପୁଟ ଆଡ଼କୁ ମୁହାଁଇବ । ଦକ୍ଷିଣ ଓଡ଼ିଶାଠାରୁ ଆରମ୍ଭ କରି ଉପକୂଳ ଓ ପଶ୍ଚିମ ଓଡ଼ିଶା ପର୍ଯ୍ୟନ୍ତ ଭୀଷଣ ପ୍ରଭାବ ପକାଇବ। ୭୫ରୁ ୧୦୦ କିଲୋମିଟର ବେଗର ପବନ ସାଙ୍ଗକୁ ଅତି ପ୍ରବଳ ବର୍ଷା ହେବ। ତେବେ ଲ୍ୟାଣ୍ଡଫଲ ଦିନ (୨୮ ତାରିଖ) କୁ ଆହୁରି ତିନି ଦିନ ରହିଛି। ଏହି ସମୟରେ ସମ୍ଭାବ୍ୟ ବାତ୍ୟାର ଗତିପଥ ଏବଂ ତୀବ୍ରତା ବଦଳିବାର ସମ୍ଭାବନା ଏଡ଼ାଇ ହେବ ନାହିଁ ବୋଲିପାଣିପାଗ ବିଶେଷଜ୍ଞ କହିଛନ୍ତି।

ଆଇଏମଡି ଆକଳନ ଅନୁସାରେ ଓଡ଼ିଶାରେ ବାତ୍ୟାର ସିଧା ପ୍ରକୋପ ପଡ଼ିନପାରେ। କିନ୍ତୁ, ବାତ୍ୟାର ବାହ୍ୟ ମଣ୍ଡଳର ପ୍ରଭାବରେ ୨୭ ତାରିଖ ସନ୍ଧ୍ୟାରୁ ୨୮ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ପବନ ହୋଇପାରେ। ପବନ ବେଗ ଦକ୍ଷିଣ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ଘଣ୍ଟା ପ୍ରତି ୪୦-୫୦ କିମି ରହିପାରେ। ପବନ ଝଟକା ୬୦ କିମି ପର୍ଯ୍ୟନ୍ତ ଯାଇପାରେ। ୨୯ ତାରିଖରେ ବି ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଅଛି ଓଡ଼ିଶାରେ। ୨୬ରୁ ଓଡ଼ିଶାରେ ପାଗ ବଦଳିପାରେ।

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଥିବା ସ୍ପଷ୍ଟ ଚିହ୍ନଟ (ୱେଲ ମାର୍କଡ) ଲଘୁଚାପ ଶନିବାର ସନ୍ଧ୍ୟା ସୁଦ୍ଧା ଅବପାତ ରୂପ ନେଇଛି। ବିଶାଖାପାଟନମଠାରୁ ପୂର୍ବ-ଦକ୍ଷିଣ ପୂର୍ବରେ ୮୨୦ କିମି ଓ ମଛଲିପଟ୍ଟନମଠାରୁ ପୂର୍ବରେ ୧୦୨୦ କିମି ଏବଂ ବାପତଲାଠାରୁ ପୂର୍ବରେ ୧୧୦୦ କିମି ଦୂରରେ ଏହା ଥିଲା। ପ୍ରଥମେ ଦକ୍ଷିଣ ଦିଗକୁ ମୁହାଁଇ ରବିବାର ଗଭୀର ଅବପାତ ହେବ। ତା'ପରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୬ ସକାଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାରେ ପରିଣତ ହେବ। ୨୭ରେ ଏହା ଭାଷଣ (ସିଭିୟର) ବାତ୍ୟା ରୂପ ନେବ। ବାତ୍ୟା ହେବା ପରେ ଏହାର ନାଁ ରହିବ ‘ଅର୍ଣ୍ଣବ’।

୨୮ ତାରିଖ ସକାଳ ସାଢ଼େ ୫ଟାବେଳକୁ କାକିନାଡ଼ାର ଦକ୍ଷିଣରେ ୟାନମ ଉପକୂଳରୁ କିଛି ଦୂରରେ ସମୁଦ୍ର ଭିତରେ ଅତି ଭୀଷଣ ବାତ୍ୟା ଥିବ। ସେ ସମୟରେ ବାତ୍ୟାର କେନ୍ଦ୍ରୀୟ ବଳୟରେ ୧୧୫-୧୨୫ କିମି ପବନ ବହୁଥିବ। ଝଟକା ପବନ ୧୪୦ କିମି ଛୁଇଁପାରେ। ଏହି ତୀବ୍ରତାରେ ହିଁ ବାତ୍ୟା ସ୍ଥଳଭାଗକୁ ପ୍ରବେଶ କରିବା ସମ୍ଭାବନା ଅଛି। ଲ୍ୟାଣ୍ଡଫଲ୍ ପରେ ଏହାର ବଳ କ୍ରମଶଃ କମିବ। ତଥାପି ସନ୍ଧ୍ୟା ସାଢ଼େ ୫ଟାବେଳକୁ କାଲିମେଳାର ଦକ୍ଷିଣରେ ଆନ୍ଧ୍ରରେ ୮୫-୯୫ କିମି ପବନ ବହୁଥିବ। ପବନ ଝଟକା ୧୦୫ କିମି ଛୁଇଁପାରେ। ସେତେବେଳେ ଭୀଷଣ ବାତ୍ୟା ଅବସ୍ଥାରେ ଥିବ।

ସୋଆ ପାଣିପାଗ କେନ୍ଦ୍ର ମୁଖ୍ୟ ଶରତ ସାହୁଙ୍କ ଆକଳନ କହୁଛି ୨୭ ତାରିଖ ବିଳମ୍ବିତ ରାତିରେ ବାତ୍ୟା ଆନ୍ଧ୍ର ଦେଇ ପ୍ରବେଶ କଲା ପରେ କେରାପୁଟ ମୁହାଁ ହେବ। କିନ୍ତୁ ତା ପୂର୍ବରୁ ୨୬ ତାରିଖ ରାତିରୁ ଓଡ଼ିଶାରେ ପ୍ରବଳ ବର୍ଷା ଆରମ୍ଭ ହୋଇ ଯାଇଥିବ। ଗଜପତି, ଗଞ୍ଜାମ, ରାୟଗଡ଼ା, ମାଲକାନଗିରି, କେରାପୁଟ, ନବରରଙ୍ଗପୁର କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର, ସୋନପୁର, ଖୋର୍ଧା, ନୟାଗଡ଼, କଟକ ଓ ବୌଦ୍ଧ ଜିଲ୍ଲାରେ ୨୮ ତାରିଖ ସକାଳୁ ପ୍ରବଳ ବର୍ଷା ସାଙ୍ଗକୁ ୭୫ରୁ ୧୦୦ କିଲୋମିଟର ବେଗରେ ପବନ ବହିବ। ୨୯ ତାରିଖ ବେଳକୁ ପଶ୍ଚିମ ଓଡ଼ିଶାକୁ ବ୍ୟାପିବ। କେନ୍ଦ୍ରାପଡ଼ା, ଯାଜପୁର, ବାଲେଶ୍ଵର, ଭଦ୍ରକ, ଢେଙ୍କାନାଳରେ ବି ୬୦ରୁ ୮୦ କିମି ବେଗରେ ପବନ ଚାଲିବା ଆଶଙ୍କା ରହିଛି ବୋଲି ସେ ଅନୁମାନ କରିଛନ୍ତି ।

ଇସିଏମ୍ଡବ୍ଲ୍ୟୁଏଫ ଅନୁସାରେ ଆସନ୍ତା ୨୭ତାରିଖ ବିଳମ୍ବିତ ରାତି କିମ୍ବା ୨୮ ସକାଳ ଭିତରେ ବାତ୍ୟା ମଛଲିପଟ୍ଟନମ- କାକିନାଡ଼ା ମଧ୍ୟରେ ସ୍ଥଳଭାଗ ଛୁଇଁପାରେ। ଜିଏଫଏସ୍ ଆକଳନ କରିଛି, ୨୮ ତାରିଖ ବିଳମ୍ବିତ ରାତିରେ ଶ୍ରୀକାକୁଲମ ପାଖରେ ବାତ୍ୟା ମାଡ଼ ହୋଇପାରେ। ଜିଏଫଏସ୍ ଓ ଇସିଏମଡବଲୁଏଫ ମଡେଲ କହୁଛି ସ୍ଥଳଭାଗ ଛୁଇଁଲା ବେଳକୁ ବାତ୍ୟାର କେନ୍ଦ୍ରସ୍ଥଳରେ ଚାପ (ପ୍ରେସର୍) ୯୭୨ରୁ ୯୭୫ ଥିବ । ଏହା ସୂଚାଉଛି ଯେ ସେତେବେଳେ ପବନର ବେଗ ୧୪୦ରୁ ୧୫୦ କିଲୋମିଟର ଏବଂ ଧକ୍କା ୧୬୫ ହେବାର ଆଶଙ୍କା ରହିଛି।

ଓଡ଼ିଶାରେ ୨୬ରେ କାଁ ଭାଁ ବର୍ଷା ସମ୍ଭାବନା ରହିଛି। ଆଇଏମଡି ସତର୍କ କରାଇଛି, ୨୭ ତାରିଖ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହୋଇପାରେ। ଦକ୍ଷିଣ ଓ ଉପକୂଳର କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଅଛି। ୪୦-୫୦ କିମି ବେଗରେ ପବନ ବି ହୋଇପାରେ। ୨୮ରେ ସର୍ବାଧିକ ପ୍ରକୋପ ପଡ଼ିବ। ଅଧିକାଂଶ ସ୍ଥାନରେ ବର୍ଷା ଆଶଙ୍କା ଅଛି। ରାୟଗଡ଼ା, କୋରାପୁଟ, ଗଞ୍ଜାମ, ଗଜପତି, ମାଲକାନଗିରିରେ ପ୍ରବଳରୁ ଅତି ଭୀଷଣ (ଏକ୍ସଟ୍ରିମ୍ ସିଭିୟର) ବର୍ଷା ସହ ୬୦-୭୦ କିମି ପବନ ମାଡ଼ ହୋଇପାରେ। ଏସବୁ ଜିଲ୍ଲାକୁ ରେଡ୍ ୱାଣ୍ଠି ଜାରି କରାଯାଇଛି। ୨୯ ତାରିଖ ମଧ୍ୟ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହୋଇପାରେ। ପଶ୍ଚିମ ଏବଂ ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ପବନ ଆଶଙ୍କା ଅଛି।