ପୁରୀ ୧୮।୯: ପୁଣି ଜୋର୍ ଧରିଲା ପୁରୀବାସୀଙ୍କ ଶ୍ରୀମନ୍ଦିର ଭିତରକୁ ସ୍ୱତନ୍ତ୍ର ପ୍ରବେଶ ଓ ସ୍ୱତନ୍ତ୍ର ଦର୍ଶନ ଦାବି । ପୁରୀବାସୀଙ୍କ ଏହି ଦାବିକୁ ନେଇ ସଚେତନତା ପଦଯାତ୍ରା ୧୭୦ ଦିନରେ ପହଞ୍ଚିଥିବା ବେଳେ, ଏନେଇ ଆଜି ଜିଲ୍ଲାପାଳଙ୍କ ସହ ଆଲୋଚନା ହୋଇଛି । ଆଲୋଚନା ସଫଳ ହୋଇଥିବା ପୁରୀବାସୀ କହିଥିବା ବେଳେ, ଦାବି ପୂରଣ ନହେବା ପର୍ଯ୍ୟନ୍ତ ପଦଯାତ୍ରା ଜାରି ରହିବ ବୋଲି କୁହାଯାଇଛି । ସେପଟେ ଖୁବ୍ ଶୀଘ୍ର ପୁରୀବାସୀଙ୍କ ଦର୍ଶନକୁ ନେଇ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଉଥିବା ଜିଲ୍ଲାପାଳ କହିଥିବା ବେଳେ, ପୁରୀବାସୀ ଉତ୍ତର ଦୁଆର ଦେଇ ବାୟୋମେଟ୍ରିକ୍ ବ୍ୟବସ୍ଥା ମଧ୍ୟରେ ଶ୍ରୀମନ୍ଦିର ଯିବେ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।

ଖୁବ୍ଶୀଘ୍ର ପୁରୀବାସୀଙ୍କ ଦାବିକୁ ସମ୍ମାନ ଜଣାଇବାକୁ ଯାଉଛନ୍ତି ସରକାର । ପୁରୀବାସୀଙ୍କୁ ଶ୍ରୀମନ୍ଦିର ଭିତରେ ସ୍ୱତନ୍ତ୍ର ପ୍ରବେଶ ଓ ସ୍ୱତନ୍ତ୍ର ଦର୍ଶନ ପ୍ରସଙ୍ଗରେ ମିଳିବାକୁ ଯାଉଛି ବଡ ଭେଟି । ତେବେ ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଦାବିରେ ୧୭୦ ଦିନରେ ପହଞ୍ଚିଛି ସଚେତନତା ପଦଯାତ୍ରା । ଜଗା ଦର୍ଶନରୁ ବଞ୍ଚିତ ପୁରୀବାସୀ ଆଜି ପୁର୍ନବାର ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ଶ୍ରୀମନ୍ଦିରର ଯେକୌଣସି ଏକ ଦ୍ୱାରରେ ପୁରୀବାସୀଙ୍କୁ ପରିଚୟପତ୍ର ଦେଖାଇ ପ୍ରବେଶ ଅନୁମତି ସହ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା ପାଇଁ ଜିଲ୍ଲାପାଳଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଛନ୍ତି ପୁରୀବାସୀ ।