ପୁରୀ ୧୮।୯: ପୁଣି ଜୋର୍ ଧରିଲା ପୁରୀବାସୀଙ୍କ ଶ୍ରୀମନ୍ଦିର ଭିତରକୁ ସ୍ୱତନ୍ତ୍ର ପ୍ରବେଶ ଓ ସ୍ୱତନ୍ତ୍ର ଦର୍ଶନ ଦାବି । ପୁରୀବାସୀଙ୍କ ଏହି ଦାବିକୁ ନେଇ ସଚେତନତା ପଦଯାତ୍ରା ୧୭୦ ଦିନରେ ପହଞ୍ଚିଥିବା ବେଳେ, ଏନେଇ ଆଜି ଜିଲ୍ଲାପାଳଙ୍କ ସହ ଆଲୋଚନା ହୋଇଛି । ଆଲୋଚନା ସଫଳ ହୋଇଥିବା ପୁରୀବାସୀ କହିଥିବା ବେଳେ, ଦାବି ପୂରଣ ନହେବା ପର୍ଯ୍ୟନ୍ତ ପଦଯାତ୍ରା ଜାରି ରହିବ ବୋଲି କୁହାଯାଇଛି । ସେପଟେ ଖୁବ୍ ଶୀଘ୍ର ପୁରୀବାସୀଙ୍କ ଦର୍ଶନକୁ ନେଇ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଉଥିବା ଜିଲ୍ଲାପାଳ କହିଥିବା ବେଳେ, ପୁରୀବାସୀ ଉତ୍ତର ଦୁଆର ଦେଇ ବାୟୋମେଟ୍ରିକ୍ ବ୍ୟବସ୍ଥା ମଧ୍ୟରେ ଶ୍ରୀମନ୍ଦିର ଯିବେ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।

ଖୁବ୍ଶୀଘ୍ର ପୁରୀବାସୀଙ୍କ ଦାବିକୁ ସମ୍ମାନ ଜଣାଇବାକୁ ଯାଉଛନ୍ତି ସରକାର । ପୁରୀବାସୀଙ୍କୁ ଶ୍ରୀମନ୍ଦିର ଭିତରେ ସ୍ୱତନ୍ତ୍ର ପ୍ରବେଶ ଓ ସ୍ୱତନ୍ତ୍ର ଦର୍ଶନ ପ୍ରସଙ୍ଗରେ ମିଳିବାକୁ ଯାଉଛି ବଡ ଭେଟି । ତେବେ ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଦାବିରେ ୧୭୦ ଦିନରେ ପହଞ୍ଚିଛି ସଚେତନତା ପଦଯାତ୍ରା । ଜଗା ଦର୍ଶନରୁ ବଞ୍ଚିତ ପୁରୀବାସୀ ଆଜି ପୁର୍ନବାର ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ଶ୍ରୀମନ୍ଦିରର ଯେକୌଣସି ଏକ ଦ୍ୱାରରେ ପୁରୀବାସୀଙ୍କୁ ପରିଚୟପତ୍ର ଦେଖାଇ ପ୍ରବେଶ ଅନୁମତି ସହ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା ପାଇଁ ଜିଲ୍ଲାପାଳଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଛନ୍ତି ପୁରୀବାସୀ ।

Also Read:- ପତ୍ନୀ ଘରକୁ ନ ଫେରିବାରୁ ରାଗିଗଲେ ସ୍ୱାମୀ, ଦେହରେ ପେଟ୍ରୋଲ ଢାଳି…

ସେପଟେ ଜିଲ୍ଲାପାଳଙ୍କ ସହ ଆଲୋଚନା ସଫଳ ହୋଇଛି । କିନ୍ତୁ ଦାବି ପୂରଣ ନହେବା ପର୍ଯ୍ୟନ୍ତ ସଚେତନତା ପଦଯାତ୍ରା ଜାରି ରହିବ ବୋଲି କୁହାଯାଇଛି । ଏ ସମ୍ପର୍କରେ ଜିଲ୍ଲାପାଳ କହିଛନ୍ତି ପୁରୀବାସୀ କିଭଳି ଶ୍ରୀମନ୍ଦିର ଯିବେ, ଜଣଙ୍କ ସହ କେତେଜଣ ଯାଇପାରିବେ, ଜଣେ କେତେଥର ଶ୍ରୀମନ୍ଦିର ଯାଇପାରିବ, ପରିଚୟପତ୍ର ଦେଖାଇ କିଭଳି ପ୍ରବେଶ କରିବେ ସେନେଇ ପୋଲିସ ପ୍ରଶାସନ ସହ ଆଲୋଚନା ପରେ ପରିଚାଳନା କମିଟିରେ ନିର୍ଯ୍ୟାସ୍ ବାହାରିବ। ଅନ୍ୟପଟେ ଆଇନମନ୍ତ୍ରୀ ମଧ୍ୟ ପୁରୀବାସୀଙ୍କ ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଉପରେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ବାୟୋମେଟ୍ରିକ୍ ବ୍ୟବସ୍ଥା ମଧ୍ୟରେ ପୁରୀବାସୀ ଉତ୍ତର ଦୁଆର ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବେ ।ଖୁବ୍ଶୀଘ୍ର ପୁରୀବାସୀଙ୍କ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ପ୍ରବେଶ ଓ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଏକ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଉଛି ।

Watch Video: