• ଇରାନ ବିଦେଶ ମନ୍ତ୍ରୀ ଅବ୍ବାସ ଅରାଘଚୀ ହର୍ମୁଜ ଖୋଲିବାକୁ ସହମତ ଥିବା ବେଳେ ଏବେ ଆଇଆରଜିସି ଏଥିରେ ବାଧା ହୋଇଛି
  • ଇରାନରେ ଏହି ପରିବର୍ତ୍ତନ ଯୋଗୁ ଏବେ ଆମେରିକା ସହିତ କୌଣସି ସାର୍ଥକ କଥାବାର୍ତ୍ତାର ସମ୍ଭାବନା ସମାପ୍ତ ହୋଇଯାଇଛି
  • ଆଶଙ୍କା କରାଯାଉଛି ଆମେରିକା ଓ ଇରାନ ମଧ୍ୟରେ ପୁଣି ଯୁଦ୍ଧ ଆରମ୍ଭ ହୋଇପାରେ

ନୂଆଦିଲ୍ଲୀ: ଇରାନରୁ ଏବେ ଏପରି ଖବର ସାମ୍ନାକୁ ଆସୁଛି ଯାହା ବିଶ୍ୱ ଲାଗି ନୂଆ ଚିନ୍ତାର କାରଣ ହୋଇପାରେ। ଦେଶରେ ପର୍ଦ୍ଦା ଆଢୁଆଳରେ ଚାଲିଥିବା କ୍ଷମତା ଯୁଦ୍ଧ ଖୋଲାଖୋଲି ସାମ୍ନାକୁ ଆସିଛି। ‘ନ୍ୟୁୟର୍କ ପୋଷ୍ଟ’ ଓ ଆମେରିକା ଥିଙ୍କ ଟ୍ୟାଙ୍କ ‘ଇନିଷ୍ଟିଟ୍ୟୁଟ ଫର ଦି ଷ୍ଟଡି ଅଫ ୱାର’ର ରିପୋର୍ଟ ଅନୁସାରେ ଇରାନର କୂଟନୀତି ଓ ସାମରିକ କଳ ଇସ୍ଲାମିକ ରିଭଲ୍ୟୁସନାରୀ ଗାର୍ଡ କର୍ପସ (ଆଇଆରଜିସି) ଆୟତ୍ତରେ। ରିପୋର୍ଟରେ କୁହାଯାଇଛି ଯେ ଆଇଆରଜିସି କମାଣ୍ଡର ମେଜର ଜେନେରାଲ ଅହମଦ ୱାହିଦୀ ଏବେ ଇରାନର ସର୍ବେସର୍ବା। ସେ ନା କେବଳ ଦେଶର ସାମରିକ ବାହିନୀକୁ ନିଜ ହାତକୁ ନେଇଛନ୍ତି ବରଂ ଆମେରିକା ସହିତ ହେବାକୁ ଥିବା ଶାନ୍ତି ବାର୍ତ୍ତାର ଡୋର ବି ତାଙ୍କ ହାତକୁ ଚାଲି ଯାଇଛି। ଏହି ପୁରା ଘଟଣାକ୍ରମ ପଛରେ ଇରାନ ସର୍ବୋଚ୍ଚ ନେତା ମଜତବା ଖାମେନୀଙ୍କ ମୌନ ସମ୍ମତି ଥିବା ଜଣାପଡିଛି।

ରଣନୀତିର କେନ୍ଦ୍ର ପାଲଟିଛି ହର୍ମୁଜ
ଏହି ପାୱାର ସିଫ୍ଟର ସବୁଠୁ ବିପଦଜନକ ପ୍ରଭାବ ଏବେ ହର୍ମୁଜ ପ୍ରଣାଳୀ ଉପରେ ପଡିଛି। ଇରାନ ବିଦେଶ ମନ୍ତ୍ରୀ ଅବ୍ବାସ ଅରାଘଚୀ ହର୍ମୁଜ ଖୋଲିବାକୁ ସହମତ ଥିବା ବେଳେ ଏବେ ଆଇଆରଜିସି ଏଥିରେ ବାଧା ହୋଇଛି। ମେଜର ଜେନେରାଲ ୱାହିଦୀଙ୍କ ଆଦେଶରେ ଇରାନ ‘ଫାଷ୍ଟ ଆଟାକ୍ ସିପସ୍’ଏହି ରଣନୈତିକ ଜଳମାର୍ଗକୁ ସମ୍ପୂର୍ଣ୍ଣ ଅବରୋଧ କରିଛନ୍ତି। ଏହି ମାର୍ଗରେ ଗତ ୪୮ ଘଣ୍ଟାରେ ୩ଟି ଜାହାଜକୁ ଆକ୍ରମଣ କରାଯାଇଛି। ଫଳରେ ପାରସ୍ୟ ଉପସାଗରରେ ଶହଶହ ଜାହାଜ ଫଶି ଯାଇଛନ୍ତି। ତେବେ ଏଥିରେ ସବୁଠୁ ଆଶ୍ଚର୍ଯ୍ୟଜନକ କଥା ଯାହା ତାହା ହେଉଛି ଇରାନ ଡେଲିଗେସନରେ ସାମିଲ ଚରମପନ୍ଥୀ ନେତା ମହମଦ ବାଗେର ଜୋଲଘାଦ୍ର ବୈଦେଶିକ ମନ୍ତ୍ରୀ ଅରାଗଚୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଅରାଗଚୀ କୂଟନୀତିରେ କୋହଳ କରୁଛନ୍ତି। ଏଣୁ ଡେଲିଗେସନକୁ ଇରାନ ଡକାଇ ନିଆଯାଇଥିଲା। ଏବେ ଇରାନରେ ନରମପନ୍ଥୀଙ୍କ ସ୍ୱରକୁ ଦବାଇ ଦିଆଯାଇଛି।

ମଉଳିଲା ଆମେରିକାର ଆଶା
ୱାସିଂଟନ ଥିଙ୍କ ଟ୍ୟାଙ୍କ ‘ଇନିଷ୍ଟେଟ୍ୟୁଟ ଫର ଦି ଷ୍ଟଡି ଅଫ ୱାର’ ଅନୁସାରେ ଇରାନରେ ଏହି ପରିବର୍ତ୍ତନ ଯୋଗୁ ଏବେ ଆମେରିକା ସହିତ କୌଣସି ସାର୍ଥକ କଥାବାର୍ତ୍ତାର ସମ୍ଭାବନା ସମାପ୍ତ ହୋଇଯାଇଛି। ଯୁଦ୍ଧବିରାମ ମଙ୍ଗଳବାର ସମାପ୍ତ ହେଉଛି ଏଣୁ ଆଶଙ୍କା କରାଯାଉଛି ଆମେରିକା ଓ ଇରାନ ମଧ୍ୟରେ ପୁଣି ଯୁଦ୍ଧ ଆରମ୍ଭ ହୋଇପାରେ। ସମୁଦ୍ର ଟ୍ରାକିଂ ଡାଟା ଅନୁସାରେ ହର୍ମୁଜରେ ଜାହାଜ ଯାତାୟାତ ଏବେ ସମ୍ପୂର୍ଣ୍ଣ ବନ୍ଦ ହୋଇ ଯାଇଛି। କେବଳ ଇରାନୀ ଜାହାଜ ଏ ପର୍ଯ୍ୟନ୍ତ ଜଳ ମାର୍ଗକୁ ଉପଯୋଗ କରୁଥିଲେ, ହେଲେ ସେମାନେ ମଧ୍ୟ ଏବେ ଆମେରିକା ନାକାବନ୍ଦୀ ନିକଟକୁ ପହଞ୍ଚି ପାରୁ ନାହାନ୍ତି।

ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନାକୁ ଆସିବନି ଇରାନ
ଆଇଆରଜିସି ସମ୍ପର୍କିତ ମିଡିଆରୁ ମିଳୁଥିବା ସୂଚନାରେ ଆମେରିକା ସହିତ ପରବର୍ତ୍ତି ପର୍ଯ୍ୟାୟ ଆଲୋଚନାରୁ ଇରାନ ଓହରି ଯାଇଛି। କାରଣ ଆମେରିକା ଯୁଦ୍ଧରେ ଯାହା ହାସଲ କରିପାରିନି ଟେବୁଲରେ ତାଠୁ ଅଧିକ ଚାହୁଁଛି। ଏଣୁ ଆଇଆରଜିସି କୂଟନୀତିରେ ହସ୍ତକ୍ଷେପ କରିଛି। ରିପୋର୍ଟ ମୁତାବକ ଇସ୍ଲାମାବାଦରେ ଅନୁଷ୍ଠିତ ଆମେରିକା-ଇରାନ ଆଲୋଚନାରେ ଆଇଆରଜିସିର ଦଖଲ ମଧ୍ୟ ଦେଖା ଯାଇଥିଲା। ମେଜର ଜେନେରାଲ ୱାହିଦୀ ଆଲୋଚନା ଲାଗି ଯାଉଥିବା ଡେଲିଗେସନରେ ଜୋଲଘାଦ୍ରୋଙ୍କୁ ସାମିଲ କରିଥିଲେ। ହେଲେ ପ୍ରତିନିଧି ମଣ୍ଡର ନେତାମାନେ ଜୋଲଘାଦ୍ରଙ୍କୁ ବିରୋଧ କରିଥିଲେ। କହିଥିଲେ ତାଙ୍କର କୂଟନୀତି ଅଭିଜ୍ଞତା ନାହିଁ।

ଆଲୋଚନା ଉପରେ ଥିଲା ଆଇଆରଜିସିର ନଜର
ଏବେ ଅନୁମାନ କରାଯାଉଛି ତାଙ୍କୁ ଆଲୋଚନା ଉପରେ ନଜର ରଖିବାକୁ ଓ ତେହେରାନକୁ ରିପୋର୍ଟ କରିବା ଉଦ୍ଦେଶ୍ୟରେ ପଠା ଯାଇଥିଲା। ଜୋଲଘାଦ୍ର ପରେ ଆଇଆରଜିସି ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ ଯେ ଆଲୋଚନା କାଳରେ ଅରାଘଚୀ ତାଙ୍କ ସୀମା ଉଲ୍ଲଂଘନ କରିଥିଲେ ଓ ‘ଏକ୍ସିସ ଅଫ ରେଜିଷ୍ଟାନ୍ସ’ କୁ ନେଇ କୋହଳ ଆଭିମୁଖ୍ୟ ଗ୍ରହଣ କରିଥିଲେ। ଏହା ପରେ ତେହେରାନ ଶୀର୍ଷ ନେତୃତ୍ୱ ଆଲୋଚନା ଲାଗି ଯାଇଥିବା ଡେଲିଗେସନକୁ ଫେରସ୍ତ ଡକାଇ ନେଇଥିଲେ।

Also Read..IRAN-US ବାର୍ତ୍ତାରେ ପାକିସ୍ତାନର ଭୂମିକାକୁ ନେଇ ଉଠିଲା ପ୍ରଶ୍ନ, ସତର୍କ କଲେ ଆମେରିକୀୟ ବିଶ୍ଲେଷକ