ରାଉରକେଲା,୧୩/୧୧: ଶିକ୍ଷାଗତ ଯୋଗ୍ୟତା MBA। ପ୍ରତିଷ୍ଠିତ ବ୍ୟାଙ୍କରେ ଚାକିରି। ହେଲେ ମୁଣ୍ଡ ଖଟୁଥିଲା ସାଇବର ଅପରାଧରେ। ଟ୍ରାଫିକ୍ ନିୟମ ଉଲଂଘନ କରିଥିବା ଦର୍ଶାଇ ହ୍ବାଟ୍ସଆପରେ ନକଲି ଇ-ଚାଲାଣ ପଠାଇ ଖାଲି କରି ନେଉଥିଲା ବ୍ୟାଙ୍କ ଆକାଉଣ୍ଟ । ଓଡ଼ିଶା ସମେତ ୫ ରାଜ୍ୟର ବହୁ ଆକାଉଣ୍ଟଧାରୀଙ୍କଠାରୁ ସାଢ଼େ ୧୮ ଲକ୍ଷରୁ ଅଧିକ ଟଙ୍କା ଠକି ନେଇଥିବା ସାଇବର ଠକକୁ ମୁମ୍ବାଇରୁ ଗିରଫ କରିଛି ରାଉରକେଲା ସାଇବର ଥାନା ପୁଲିସ୍ ।

ଅଭିଯୁକ୍ତ ଚେତନ ସହରଦ୍ କୁରହାଡେ। ତା’ ପାଖରୁ ଦୁଇଟି ମୋବାଇଲ୍ ଫୋନ୍, ୧୫ରୁ ଅଧିକ ସିମ୍କାର୍ଡ, ୪ଟି କ୍ରେଡିଟ୍ କାର୍ଡ ଓ ଗୋଟିଏ ପାନ୍କାର୍ଡ ଜବତ କରାଯାଇଛି। ତା’ ନାଁରେ ବିଭିନ୍ନ ରାଜ୍ୟରେ ୭ଟି ମାମଲା ଅଛି। ସ୍ଥାନୀୟ ପୁଲିସ୍ ମୁଖ୍ୟଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଉରକେଲା ଏସପି ନିତେଶ ସ୍ୱାଧୱାନୀ ଏହି ସୂଚନା ଦେଇଛନ୍ତି।

ଏସ୍ପି କହିଛନ୍ତି, ଅଭିଯୋଗକାରୀଙ୍କ ମୋବାଇଲ୍ ହ୍ବାଟ୍ସଆପ ଗତ ମେ’୩୦ ରାତି ପ୍ରାୟ ସାଢ଼େ ୧୦ଟାରେ ମେସେଜ୍ ଆସିଥିଲା। ଏହା ପରିବହନ ବିଭାଗ ପକ୍ଷରୁ ଜାରି କରାଯାଉଥିବା ଗ୍ରୁପିକ୍ ଇ-ଚାଲାଣର ଅବିକଳ ଥିଲା।

also read-ହାତୀପଲରେ ଗୋଷ୍ଠୀ ସଙ୍ଘର୍ଷ ! ପରସ୍ପରକୁ ଆକ୍ରମଣ କଲେ ଗଜରାଜ, ଦୁଇ ହାତୀ ମୃତ

ଟ୍ରାଫିକ୍ ନିୟମ ଉଲଂଘନ ପାଇଁ ୫୦୦ ଟଙ୍କା ଇ-ଚାଲାଣ ଡିପୋଜିଟ୍ କରିବାକୁ ଏଥିରେ ଦର୍ଶାଯାଇଥିଲା। ଏହା ଉପରେ କ୍ଲିକ୍ କରିବା କ୍ଷଣି ମୋବାଇଲ୍ ଫୋନକୁ କ୍ରମାଗତ ଓଟିପି ଆସିବା ଆରମ୍ଭ ହୋଇଥିଲା। ବ୍ୟାଙ୍କ ଆକାଉଣ୍ଟର ବାଲାନ୍ସ ଯାଞ୍ଚ କରିବାରୁ ଆକାଉଣ୍ଟରୁ ୬ଟି ୟୁପିଆଇ ଗଞ୍ଜାକ୍ସନ୍ ମାଧ୍ୟମରେ ୫ ଲକ୍ଷ ୯୯ହଜାର ୫୮୮ଟଙ୍କା କଟି ଯାଇଥିଲା। ଏ ନେଇ ଅଭିଯୋଗକାରୀ ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲେ।