ମୁମ୍ୱାଇ: ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାସ୍ଥିତ ଦିଭେଆଗର ସମୁଦ୍ର ତଟରେ ଗୁରୁବାର ଏକ ବଡ଼ ଅଘଟଣ ଘଟିଛି । ଗାଧୋଇବା ସମୟରେ ପୁଣେର ଆଳନ୍ଦୀରୁ ଆସିଥିବା ୮ ଜଣ ଛାତ୍ରଙ୍କ ସମୁଦ୍ରରେ ବୁଡ଼ି ମୃତ୍ୟୁ ଘଟିଛି । କୁହାଯାଉଛି ଯେ ସମସ୍ତ ଛାତ୍ର ପ୍ରାଇଭେଟ୍ ଟ୍ୟୁସନ୍ ବାବଦରେ ଦିଭେଆଗର ପହଞ୍ଚିଥିଲେ । ସମୁଦ୍ରରେ ଗାଧୋଇବା ବେଳେ ହଠାତ୍ ଲହଡ଼ିରେ ଭାସି ଯାଇ ଛାତ୍ର ବୁଡ଼ିଯାଇଥିଲେ ।

ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ସ୍ଥାନୀୟ ଲୋକ ଓ ଉଦ୍ଧାରକାରୀ ଦଳ ରେସ୍କ୍ୟୁ ଅପରେସନ୍ ଆରମ୍ଭ କରିଥିଲେ । ମହାକାଳୀ ୱାଟର ସ୍ପୋର୍ଟସର କର୍ମଚାରୀ ଏବଂ ସ୍ଥାନୀୟ ନାଗରିକଙ୍କ ସହାୟତାରେ ସମସ୍ତ ୮ ଜଣ ଛାତ୍ରଙ୍କ ମୃତଦେହକୁ ସମୁଦ୍ରରୁ ବାହାର କରାଯାଇଛି । ମୃତଦେହଗୁଡ଼ିକୁ ବୋର୍ଲି ପଞ୍ଚତନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଛି । ମୃତଙ୍କ ପରିଚୟ ତନ୍ମୟ ଦତ୍ତାତ୍ରୟ ବାହିଲେ, ସୁମିତ୍ ଭରତ ଅହିରେ, ପ୍ରଣବ ରାମଦାସ ବାନସୋଡ଼େ, କୈବଲ୍ୟ ସୀତଶ ବାଂସକର, ରାଜବୀର ଯୁବରାଜ ବାହିଲେ, ୟଶ କରଣ ୱାନଖେଡେ, ସୋହମ ତୁକାରମ ଭଣ୍ଡବଲକର, କୌସ୍ତୁଭ ସନ୍ଦୀପ ପାଣ୍ଡେ ବୋଲି ଜଣାପଡ଼ିଛି ।

ଦିଭେଆଗର ବିଚ୍ ବୁଲି ଆସିଥିଲେ ୪୨ ଜଣ ଛାତ୍ର

ରିପୋର୍ଟ ଅନୁଯାୟୀ, ଆଲନ୍ଦୀ ସ୍ଥିତ ୱିନର୍ସ ଏକାଡେମୀର ୪୨ ଜଣ ଛାତ୍ର ଦିଭେଆଗର ବୁଲିବାକୁ ଆସିଥିଲେ ।ଏହି ଛାତ୍ରମାନେ ୧୧ଶ ଏବଂ ଦ୍ୱାଦଶ ଶ୍ରେଣୀର ବୋଲି ଜଣାପଡିଛି । ଏମାନଙ୍କ ମଧ୍ୟରୁ ଆଠ ଜଣ ଛାତ୍ର ସମୁଦ୍ରରେ ପହଁରିବାକୁ ଯାଇଥିଲେ । ସମୁଦ୍ରରେ ଗାଧୋଇବାର କିଛି ସମୟ ପରେ, ସେମାନେ ପ୍ରବଳ ସ୍ରୋତରେ ଭାସି ଯାଇଥିଲେ । କିଛି ସେକେଣ୍ଡ ମଧ୍ୟରେ ସମସ୍ତେ ପାଣିରେ ବୁଡ଼ି ଯାଇଥିଲେ । ହଠାତ୍ ଆସିଥିବା ବଡ଼ ଢେଉ ଯୋଗୁଁ ଏହି ଅଘଟଣ ଘଟିଥିବା କୁହାଯାଉଛି । ସ୍ଥାନୀୟ ଲୋକଙ୍କ ମତରେ, ବାହାରୁ ଆସୁଥିବା ପର୍ଯ୍ୟଟକ ଏବଂ ଛାତ୍ରମାନେ ପ୍ରାୟତଃ ଗଭୀରତା ଏବଂ ସମୁଦ୍ର ଜୁଆର ବିଷୟରେ ନ ଜାଣି ଗାଧୋଇବା ପାଇଁ ପସି ଯାଆନ୍ତି ।

ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ସ୍ଥାନୀୟ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ । ମହାକାଳୀ ସ୍ପୋର୍ଟ୍ସର କର୍ମଚାରୀ, ସ୍ଥାନୀୟ ନାଗରିକ ଏବଂ ଉପସ୍ଥିତ ପର୍ଯ୍ୟଟକମାନେ ଉଦ୍ଧାର କାର୍ଯ୍ୟରେ ସହାୟତା କରିଥିଲେ । ବହୁ ଚେଷ୍ଟା ପରେ ସମସ୍ତ ଆଠ ଜଣ ଛାତ୍ରଙ୍କୁ ସମୁଦ୍ରରୁ ବାହାର କରାଯାଇଥିଲା। ଏହାପରେ ମୃତଦେହଗୁଡ଼ିକୁ ବୋର୍ଲି ପଞ୍ଚତନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିଲା ।