ମୁମ୍ୱାଇ: ଭାରି ଫଳ ପ୍ରିୟ ଶୂଆ । ବୁଦ୍ଧିମାନ ପକ୍ଷୀ, ଅନେକ ସମୟରେ ଚାଷ ଜମିରେ ନଜର ଆସନ୍ତି । ଏଣେ ତେଣେ ବୁଲୁଥିବା ଚଢେଇ ସବୁ ପ୍ରକାର ଫଳମୂଳ ଖାଇଥାନ୍ତି । ଯେଉଁଠି ଫଳ ମିଳିଲେ ଖାଇଦିଅନ୍ତି । ସେ ଚାଷ ଜମି ହେଉ ବା ଗଛରେ ଫଳିଥିବା ଫଳ । ଏହା ବୋଧେ ଉଣା ଅଧିକେ ସମସ୍ତଙ୍କୁ ଜଣା । ହେଲେ କେବେ ଶୁଣିଛନ୍ତି କି ମାମଲା କୋର୍ଟରେ ପହଞ୍ଚିବା କଥା । ଏଭଳି ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରରେ ।

ଖାଲି ସେତିକି ନୁହେଁ ଶୂଆ ନଷ୍ଟ କରିଥିବା ଚାଷର କ୍ଷତିପୂରଣ ବି ଦେବେ ସରକାର । ବମ୍ବେ ହାଇକୋର୍ଟ ଏହି ନିର୍ଦ୍ଦେଶ ଜାରି କରିଛନ୍ତି। କୋର୍ଟ ରାୟ ଦେଇଛନ୍ତି ଯେ ବନ୍ୟପ୍ରାଣୀ (ସୁରକ୍ଷା) ଆଇନ ଅନୁଯାୟୀ ଏହି ପକ୍ଷୀଗୁଡ଼ିକ "ବନ୍ୟପ୍ରାଣୀ" ଏବଂ ରାଜ୍ୟ ନାଗରିକମାନଙ୍କୁ ସମ୍ପତ୍ତି କ୍ଷତି ପାଇଁ କ୍ଷତିପୂରଣ ଦେବାକୁ ପଡିବ । ଏହାର କାରଣ ହେଉଛି ମହାରାଷ୍ଟ୍ରରେ ଶୂଆମାନେ ଡାଳିମ୍ୱ ସବୁ ଖାଇବା ସହ ଏଣେ ତେଣେ ଫିଙ୍ଗିଦେଇଥିଲେ । ଯାହା ଫଳରେ ଜଣେ ଚାଷୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ।

Also Read...ନିଲାମ ହେବ ଭାରତର ଶତାବ୍ଦୀର 'ସୁପର କମ୍ପ୍ୟୁଟର', ମହାରାଣୀ ଗାୟତ୍ରୀ ଦେବୀଙ୍କ ସହ ଖାସ୍ କନେକସନ

ବିଚାରପତି ଉର୍ମିଳା ଜୋଶୀ-ଫାଲକେ ଓ ନିବେଦିତା ମେହେଟ୍ଟାଙ୍କ ନାଗପୁର ଖଣ୍ଡପୀଠ କହିଛନ୍ତି ଯେ ଯଦି ଚାଷୀମାନଙ୍କୁ ସଂରକ୍ଷିତ ପ୍ରଜାତି ଦ୍ୱାରା ହେଉଥିବା କ୍ଷତି ପାଇଁ କ୍ଷତିପୂରଣ ଦିଆଯାଏ ନାହିଁ । ତେବେ ସେମାନେ ବନ୍ୟପ୍ରାଣୀଙ୍କୁ କ୍ଷତି ପହଞ୍ଚାଇବା ଭଳି ପଦକ୍ଷେପ ନେଇପାରିବେ । ଏହା ଆଇନର ଉଦ୍ଦେଶ୍ୟକୁ ପରାସ୍ତ କରେ, ଯେଉଁଥିରେ ସ୍ପଷ୍ଟ ଭାବରେ ଶୁକପକ୍ଷୀ ଅନ୍ତର୍ଭୁକ୍ତ । ଏହି ନିର୍ଦ୍ଦେଶ ଏପ୍ରିଲ ୨୪ ରେ ଦିଆଯାଇଥିଲା । ଯାହାର ଏକ କପି ରବିବାର ଉପଲବ୍ଧ ହୋଇଥିଲା।

୨୦୦ ଗଛ ନଷ୍ଟ କରିଥିଲେ ଶୂଆ:

ୱାର୍ଦ୍ଧା ଜିଲ୍ଲାର ହିଙ୍ଗି ଗ୍ରାମର ଜଣେ ଚାଷୀ ମହାଦେବ ଡେକାଟେ (୭୦)ଙ୍କ ଦ୍ୱାରା ଦାୟର ଏକ ଆବେଦନ ଉପରେ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ଯିଏ ଦାବି କରିଛନ୍ତି ଯେ ନିକଟବର୍ତ୍ତୀ ବନ୍ୟପ୍ରାଣୀ ଅଭୟାରଣ୍ୟରୁ ଆସିଥିବା ଜଙ୍ଗଲୀ ଶୂଆମାନେ ମେ ୨୦୧୬ରେ ତାଙ୍କ ଡାଳିମ୍ବ ଗଛକୁ କ୍ଷତି ପହଞ୍ଚାଇଥିଲେ । ଚାଷୀ ଏଥିପାଇଁ କ୍ଷତିପୂରଣ ଦାବି କରିଥିଲେ। କୋର୍ଟ ୨୦୦ ଗଛର କ୍ଷତି ପାଇଁ ପ୍ରତି ଗଛ ପାଇଁ ୨୦୦ ଟଙ୍କା ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ରାଜ୍ୟ ସରକାରଙ୍କ ଯୁକ୍ତି ପ୍ରତ୍ୟାଖ୍ୟାନ:

ରାଜ୍ୟ ସରକାର ଆବେଦନକୁ ବିରୋଧ କରି ଦାବି କରିଥିଲେ ଯେ ପୂର୍ବ ସରକାରୀ ପ୍ରସ୍ତାବରେ ଉଲ୍ଲେଖ ଥିଲା ଯେ ବନ୍ୟ ହାତୀ ଏବଂ ବନ୍ୟ ମହିଷ ଫଳ ଗଛକୁ କ୍ଷତି ପହଞ୍ଚାଇଲେ କେବଳ କ୍ଷତିପୂରଣ ଦିଆଯାଇପାରିବ । ତଥାପି, କୋର୍ଟ ଏହି ଯୁକ୍ତି ଗ୍ରହଣ କରିବାକୁ ମନା କରି କହିଥିଲେ ଯେ ଏପରି ପ୍ରସ୍ତାବ ଜାରି କରିବାର ଉଦ୍ଦେଶ୍ୟ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ସେମାନଙ୍କର କ୍ଷତି ପାଇଁ କ୍ଷତିପୂରଣ ଦେବା।