ମୁମ୍ୱାଇ: ବ୍ରିଟେନ୍ର ପ୍ରସିଦ୍ଧ ନିଲାମକାରୀ ସଂସ୍ଥା ସୋଥବୀ’ଜ୍ ପକ୍ଷରୁ ଆସନ୍ତା ୨୯ ତାରିଖରେ ଏକ ଐତିହାସିକ ନିଲାମୀ ଅନୁଷ୍ଠିତ ହେବାକୁ ଯାଉଛି । ‘ଆର୍ଟସ ଅଫ୍ ଦ ଇସଲାମିକ ୱାର୍ଲଡ ଇନ୍ ଇଣ୍ଡିଆ’ ନାମକ ଏହି ନିଲାମୀରେ ଭାରତର ସପ୍ତଦଶ ଶତାଦ୍ଦୀର ଏକ ବିଶାଳ ଆଷ୍ଟ୍ରୋଲାବ୍ (ଖଗୋଳୀୟ ଗଣନା ଯନ୍ତ୍ର) ବିକ୍ରି ଲାଗି ଉପଲବ୍ଧ ହେବ ।

ବହୁମୁଖୀ କ୍ଷମତା କାରଣରୁ ବିଶେଷଜ୍ଞମାନେ ପିତଳରେ ତିଆରି ହୋଇଥିବା ଏହି ଅଦ୍ଭୁତ ଯନ୍ତ୍ରକୁ ସେହି ସମୟର ‘ସୁପରକମ୍ପ୍ୟୁଟର’ ଏବଂ ‘ପ୍ରାଚୀନ ସ୍ମାର୍ଟଫୋନ୍’ ଭାବେ ସମ୍ବୋଧନ କରୁଛନ୍ତି । ବିବିସିର ରିପୋର୍ଟ ଅନୁସାରେ, ଏହି ଆଷ୍ଟ୍ରୋଲାବ୍କୁ ସମୟ, ତାରାର ଉପସ୍ଥିତି ସଂପର୍କରେ ଜାଣିବା, ଗ୍ରହ ନକ୍ଷତ୍ରଙ୍କ ଗତିବିଧିକୁ ବୁଝିବା ଲାଗି ବ୍ୟବହାର କରାଯାଇଥାଏ । ଏହାର ଓଜନ ୮.୨ କିଲୋ । ବ୍ୟାସ ପ୍ରାୟ ୩୦ ସେମି, ଉଚ୍ଚତା ୪୬ ସେମି ।

ତତ୍କାଳୀନ ସମୟରେ ଭାରତରେ ମିଳୁଥିବା ଆଷ୍ଟ୍ରୋଲାବଠାରୁ ଏହା ଆକାରରେ ୪ ଗୁଣ ବଡ଼ । ଆଷ୍ଟ୍ରୋଲାବ୍ଟି ଜୟପୁରର ରାଜ ପରିବାରର ମୂଲ୍ୟବାନ ସଂଗ୍ରହର ଅଂଶବିଶେଷ ଥିଲା । ଜୟପୁରର ମହାରାଜା ସୱାଇ ମାନ ସିଂହ ଦ୍ୱିତୀୟଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ମହାରାଣୀ ଗାୟତ୍ରୀ ଦେବୀ ତାକୁ ରଖିଥିଲେ । ତେବେ ଗାୟତ୍ରୀ ଦେବୀଙ୍କ ଜୀବିତାବସ୍ଥାରେ ତାହା ଏକ ଘରୋଇ ସଂଗ୍ରହକାରୀଙ୍କ ହାତକୁ ଯାଇଥିଲା ।

ଅକ୍ସଫୋର୍ଡ ସେଣ୍ଟର ଫର ହିଷ୍ଟ୍ରି ଅଫ୍ ସାଇନ୍ସ, ମେଡିସିନ୍ ଆଣ୍ଡ ଟେକ୍ନୋଲୋଜିର ଡ. ଫ୍ରେଡରିକା ଗିଙ୍ଗାଟେଙ୍କ ଅନୁସାରେ, ଏହି ଆଷ୍ଟ୍ରୋଲାବର ତୁଳନା ଆଜିର ସ୍ମାର୍ଟଫୋନ୍ ସହ କରିହେବ । କାରଣ ଏହାଦ୍ୱାରା ଆପଣ ଅନେକଗୁଡ଼ିଏ କାମ କରିପାରିବେ । ଏହା ଦ୍ୱାରା ସୂର୍ଯ୍ୟାସ୍ତ, ସୂର୍ଯ୍ୟୋଦୟ ସମୟ, କୌଣସି କୋଠାର ଉଚ୍ଚତା, କୂଅର ଗଭୀରତା ସଂପର୍କରେ ଜାଣି ହେବ ।

ଏପରିକି ତତ୍କାଳୀନ ସମୟରେ ଜାତକ ପ୍ରସ୍ତୁତି ଲାଗି ମଧ୍ୟ ଏହାକୁ ବ୍ୟବହାର କରାଯାଉଥିଲା । ସପ୍ତଦଶ ଶତାଦ୍ଦୀର ଆରମ୍ଭରେ ଲାହୋର (ବର୍ତ୍ତମାନ ପାକିସ୍ତାନ)ରେ ଏହାକୁ ପ୍ରସ୍ତୁତ କରାଯାଇଥିଲା । ସେତେବେଳେ ଏହି ସହର ଆଷ୍ଟ୍ରୋଲାବ ନିର୍ମାଣର ପ୍ରମୁଖ କେନ୍ଦ୍ର ପାଲଟିଥିଲା । କାୟମ ମହମ୍ମଦ ଏବଂ ମହମ୍ମଦ ମୁକିମ ନାମକ ଦୁଇ ଭାଇ ମିଶି ଜଣେ ଧନୀ ମୋଗଲ ଆକା ଅଫଜଲଙ୍କ ଲାଗି ଯନ୍ତ୍ରଟି ତିଆରି କରିଥିଲେ । ସମୟକ୍ରମେ ତାହା ମହାରାଜା ସୱାଇ ମାନସିଂହଙ୍କ ସଂଗ୍ରହ ମଧ୍ୟକୁ ଆସିଥିଲା ।

ସେହିପରି ସୋଥବୀର ‘ଇସଲାମିକ ଆଣ୍ଡ ଇଣ୍ଡିଆନ ଆର୍ଟ’ ବିଭାଗର ମୁଖ୍ୟ ବେନେଡିକ୍ଟ କାର୍ଟର ଏହି ଯନ୍ତ୍ରକୁ ଆଜିଯାଏ ଦେଖିବାକୁ ମିଳିଥିବା ସବୁଠୁ ବିଶାଳ ଏବଂ ଦୁର୍ଲଭ ଖଗୋଳୀୟ ଉପକରଣ ଭାବେ ଦର୍ଶାଇଛନ୍ତି । ପ୍ରଥମ ଥର ପାଇଁ ଏହାକୁ ସାର୍ବଜନୀନ ମଞ୍ଚରେ ପ୍ରଦର୍ଶନ ଏବଂ ନିଲାମ କରାଯିବାକୁ ଥିବାରୁ ସାରା ବିଶ୍ୱର ଅନେକ ସଂଗ୍ରହକର୍ତ୍ତା ଏହାକୁ କିଣିବାକୁ ଆଗ୍ରହ ପ୍ରକାଶ କରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ଏହି ଐତିହାସିକ ଉପକରଣଟି ଭାରତୀୟ ମୁଦ୍ରାରେ ପ୍ରାୟ ୧୫-୨୦ କୋଟି ଟଙ୍କାରେ ବିକ୍ରି ହୋଇପାରେ ବୋଲି କାର୍ଟର କହିଛନ୍ତି ।