ନୂଆଦିଲ୍ଲୀ/ଭୁବନେଶ୍ଵର: ମହାନଦୀ ଜଳ ବଣ୍ଟନ ଓ ପରିଚାଳନାକୁ ନେଇ ଦୀର୍ଘ ଦିନରୁ ଚାଲିଆସୁଥିବା ବିବାଦର ସ୍ଥାୟୀ ସମାଧାନ ପାଇଁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଆସନ୍ତା ଦୀପାବଳି ସୁଦ୍ଧା ଏହି ମହାନଦୀ ସମସ୍ୟାର ସନ୍ତୋଷଜନକ ସମାଧାନ ହେବା ନେଇ ଆଶା ସୃଷ୍ଟି ହୋଇଛି।

ନୂଆଦିଲ୍ଲୀଠାରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି. ଆର୍. ପାଟିଲଙ୍କ ଅଧ୍ୟକ୍ଷତା ଏବଂ କେନ୍ଦ୍ର ଜଳଶକ୍ତି ରାଜ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ପ୍ରଥମ ଥର ପାଇଁ ମୁହାଁମୁହିଁ ବସି ପ୍ରାୟ ୧ ଘଣ୍ଟା ଧରି ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିଛନ୍ତି।

ଓଡ଼ିଶାର ସ୍ବାର୍ଥ ଓ ଚାଷୀଙ୍କୁ ସର୍ବୋଚ୍ଚ ପ୍ରାଥମିକତା

ଏହି ଚର୍ଚ୍ଚା ବେଳେ ଓଡ଼ିଶାର ସ୍ବାର୍ଥ, ରାଜ୍ୟର ଜଳସମ୍ପଦ ସୁରକ୍ଷା ଏବଂ ଚାଷୀକୁଳଙ୍କ ଭବିଷ୍ୟତକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ପକ୍ଷ ଦୃଢ଼ତାର ସହ ଉପସ୍ଥାପନ କରିଥିଲେ। ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ପାରସ୍ପରିକ ସହଯୋଗ ଓ ଆପୋଷ ଆଲୋଚନା ଜରିଆରେ ଏହି ଜଟିଳ ସମସ୍ୟାର ସ୍ଥାୟୀ ସମାଧାନ ନେଇ ଦୁଇ ରାଜ୍ୟ ମଧ୍ୟରେ ସହମତି ପ୍ରକାଶ ପାଇଛି।

Also Read: ରେଙ୍ଗାଲି ଡ୍ୟାମରୁ ନିଷ୍କାସନ ହେଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ, ତଳିଆ ଅଞ୍ଚଳକୁ ଆଲର୍ଟ ଜାରି

ଆଗାମୀ ୩ ମାସ ଯାଏଁ ଚାଲିବ ଆଲୋଚନା

ଏହି ବିବାଦର ସମାଧାନ ପାଇଁ ଆଗାମୀ ୩ ମାସ ପର୍ଯ୍ୟନ୍ତ କେନ୍ଦ୍ର ଜଳଶକ୍ତି ବିଭାଗ, କେନ୍ଦ୍ରୀୟ ଜଳ ଆୟୋଗ (CWC) ଏବଂ ଉଭୟ ରାଜ୍ୟର ବରିଷ୍ଠ ଅଧିକାରୀମାନଙ୍କ ମଧ୍ୟରେ କ୍ରମାଗତ ଭାବେ ଆଲୋଚନା ଜାରି ରହିବ। ନଦୀଜଳର ସଠିକ୍ ବଣ୍ଟନ ଏବଂ ସୁରକ୍ଷା ଉପରେ ବୈଷୟିକ ସ୍ତରରେ ତଥ୍ୟ ଆଧାରିତ ସମାଧାନ ଖୋଜାଯିବ। ଦୀର୍ଘ ଦିନର ବିବାଦ ପରେ ଛତିଶଗଡ଼ ସରକାର ମଧ୍ୟ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ରାଜି ହୋଇଛନ୍ତି।

ଦୀପାବଳିରେ ମିଳିବ ଖୁସି ଖବର ?

ବୈଠକ ପରେ ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ଯେ, ଆସନ୍ତା ଦୀପାବଳି ପୂର୍ବରୁ ହିଁ ମହାନଦୀ ଜଳ ସଂକ୍ରାନ୍ତୀୟ ସମସ୍ତ ବିବାଦର ସମାଧାନ ହୋଇସାରିଥିବ। ଉଭୟ ରାଜ୍ୟ ମିଳିମିଶି ଏହି ସମସ୍ୟାର ଅନ୍ତ ଘଟାଇବା ସହ ଆନନ୍ଦର ସହ ଆଗାମୀ ଦୀପାବଳି ପାଳନ କରିବେ ବୋଲି ସେ ଦୃଢ଼ ବିଶ୍ୱାସ ବ୍ୟକ୍ତ କରିଛନ୍ତି। ଏପରି ହେଲେ ଦୀର୍ଘ ସମୟ ଧରି ମହାନଦୀ ଜଳ ବିବାଦର ସମାଧାନ ଘଟିବ।