ଅନୁଗୋଳ: ରାଜ୍ୟରେ ଲଗାଣ ବର୍ଷା ଜନିତ ବନ୍ୟା ପରିସ୍ଥିତି ଲାଗିରହିଛି। ଅନେକ ସ୍ଥାନରେ ସ୍ଥିତି ଗମ୍ଭୀର ଥିଲେ ବି ପ୍ରଶାସନିକ ସ୍ତରରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏହାରି ମଧ୍ୟରେ ଅନୁଗୋଳ ରେଙ୍ଗାଲି ଜଳଭଣ୍ଡାରରୁ ଛଡ଼ାଯାଇଛି ଚଳିତ ବର୍ଷର ପ୍ରଥମ ବନ୍ୟାଜଳ। ଉପର ମୁଣ୍ଡରେ ବର୍ଷା ଯୋଗୁ ଡ୍ୟାମରେ ଜଳ ସ୍ତର ବଢ଼ିଥିବାରୁ ଜଳ ଭଣ୍ଡାରର ଗୋଟିଏ ଗେଟ ଖୋଲାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଡ୍ୟାମରେ ଜଳଧାରଣର କ୍ଷମତା ୧୨୩.୫୦ ମିଟର ରହିଥିବା ବେଳେ ବର୍ତ୍ତମାନ ଜଳ ସ୍ତର ୧୨୨. ୨୪ ମିଟର ରହିଛି। ସେହିଭଳି ଜଳ ଭଣ୍ଡାରକୁ ପ୍ରତି ସେକେଣ୍ଡରେ ୨୭୩୫ ଘନମିଟର ଜଳ ପ୍ରବେଶ କରୁଛି ଏବଂ ଗୋଟିଏ ଗେଟ ଦେଇ ୧୩୯୪. ୨୪ ଘନ ମିଟର ଏବଂ ପାୱାର ଟନେଲ ଦେଇ ୫୦୧ ଘନମିଟର ଜଳ ନିଷ୍କାସନ ହେଉଛି।

Also Read: ଭାଙ୍ଗିଲା କପର୍ ଡ୍ୟାମ୍: ଖୋଲିଲା ୮ଟି ଗେଟ୍, ବୈତରଣୀ ତଳମୁଣ୍ଡରେ ଆସିବ ବନ୍ୟା

ତେଣୁ ତଳ ମୁଣ୍ଡରେ ଅନୁଗୋଳ, ଢେଙ୍କାନାଳ, ଯାଜପୁର ଏବଂ କେନ୍ଦ୍ରାପଡ଼ା ଜିଲ୍ଲାକୁ ସମ୍ଭାବ୍ୟ ବନ୍ୟା ନେଇ ସତର୍କ କରାଯାଇଛି। ସେହିଭଳି ବ୍ରାହ୍ମଣୀ ନଦୀ କୂଳିଆ ଲୋକଙ୍କୁ ଏବଂ ଗୃହପାଳିତ ପଶୁଙ୍କୁ ନଦୀ କୂଳକୁ ନନେବା ପାଇଁ ସତର୍କ କରାଯାଇଛି। ଆବଶ୍ୟକ ପଡ଼ିଲେ ଅଧିକ ଗେଟ ଖୋଲାଯିବ ବୋଲି ମଧ୍ୟ ସୂଚନା ଦେଇଛନ୍ତି ଡ୍ୟାମ କର୍ତ୍ତୃପକ୍ଷ।