ଜାକାର୍ତ୍ତା: ଇଣ୍ଡୋନେସିଆରେ ଜଙ୍ଗଲରେ ବ୍ୟାପୁଥିବା ନିଆଁ ଲିଭାଇବା ଲାଗି ପାଣି ପକାଉଥିବା ହେଲିକପ୍ଟର ରବିବାର ନଦୀ ଉପରେ ଦୁର୍ଘଟଣାର ଶିକାର ହୋଇଯାଇଛି। ଫଳରେ ହେଲିକପ୍ଟର ଉଡାଉଥିବା ୨ ଅଷ୍ଟ୍ରେଲିୟ ଚାଳକଦଳ ସଦସ୍ୟଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଛି। ହେଲେ ସେମାନଙ୍କ ସହ ଥିବା ଜଣେ ଇଣ୍ଡୋନେସୀୟ ନାଗରିକ ନିଖୋଜ ହୋଇଯାଇଛନ୍ତି। ଏହି ଦୁର୍ଘଟା ସେତେବେଳେ ଘଟିଛି ଯେତେବେଳେ ହେଲିକପ୍ଟର ନଦୀରୁ ପାଣି ଉଠାଉଥିଲା। ଏହା ପୂର୍ବରୁ ବୁଧବାର ବୋର୍ଣ୍ଣିଓ ନିକଟରେ ଏକ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଥିବା ୩ ଜଣଙ୍କ ମୃତ୍ୟୁ ହୋଇଥିଲା।

ଜାତୀୟ ବିପର୍ଯୟ ପ୍ରସମନ ଏଜେନ୍ସୀ ମୁଖପାତ୍ର ବର୍ଟନ ପଞ୍ଜୈତାନ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଏହି ଦୁର୍ଘଟଣା ରବିବାର ସେତେବେଳେ ହୋଇଥିଲା ଯେତେବେଳେ ୱାଟର ବମ୍ବିଙ୍ଗ ଅପରେସନ ପାଇଁ ନଦୀରୁ ଜଳଉଠାଉଥିଲା। ସୋସିଆଲ ମିଡିଆରେ ସାମ୍ନାକୁ ଆସୁଥିବା ଭିଡିଓରେ ହେଲିକପ୍ଟର ବାରିତୋ ନଦୀରୁ ବ୍ୟମ୍ବି ବକେଟ (ପାଣି କାଢିବାକୁ ବିଶେଷ ବାଲଟି) ପୁରାଇବା ପରେ ସନ୍ତୁଳନ ହରାଇଥିଲା ଓ ଏହା ଧିରେ ଧିରେ ତଳ ଆଡକୁ ଟାଣି ହୋଇ ନଦୀକୁ ଖସି ପଡିଥିଲା।

ମୁଖପାତ୍ରଙ୍କ ଅନୁସାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ହେଲିକପ୍ଟର ଏକ ଘରୋଇ କମ୍ପାନୀର ସୁପର ପୁମା ହେଲିକପ୍ଟର ଥିଲା। ଏହାକୁ ବିପର୍ଯୟ ପ୍ରସମନ ଏଜେନ୍ସୀ ଜଙ୍ଗଲ ନିଆଁ ଆୟତ୍ତ କରିବାକୁ ଅନୁବନ୍ଧିତ କରିଥିଲା। ଏହି ଦୁର୍ଘଟଣାରେ ଉଦ୍ଧାର ହୋଇଥିବା ଚାଳକ ଦଳ ସଦସ୍ୟ ଅଷ୍ଟ୍ରେଲିୟ ନାଗରିକ ଓ ସେମାନଙ୍କୁ ନଦୀରୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ତେବେ ଏଥିରେ ଥିବା ତୃତୀୟ ସଦସ୍ୟର ସନ୍ଧାନ ଜାରି ରହିଛି, ଯିଏ ଜଣେ ଇଣ୍ଡୋନେସିୟ ନାଗରିକ। ଉଲ୍ଲେଖଯୋଗ୍ୟ ଯେ ଇଣ୍ଡୋନେସିୟାର ତଂଜୁଙ୍ଗ ନ୍ୟାସନାଲ ପାର୍କରେ ଏହି ନିଆଁ ଲାଗିଛି। ଏହା ଏକ ସଂରକ୍ଷିତ ଜଙ୍ଗଲ, ଏହା ବିଲୁପ୍ତ ପ୍ରାୟ ବୋର୍ଣ୍ଣିୟୋ ଓରଂଗଉଟାନଙ୍କ ସମେତ ଅନ୍ୟ ବିରଳ ପ୍ରାଣୀ ପ୍ରଜାତୀଙ୍କ ଆଶ୍ରୟ ସ୍ଥଳ।