ଭୁବନେଶ୍ୱର: ମହାନଦୀ ଜଳ ବିବାଦର ସ୍ଥାୟୀ ସମାଧାନ ପାଇଁ ପ୍ରୟାସ ଜୋରଦାର ହୋଇଛି। ନୂଆଦିଲ୍ଲୀ କର୍ତ୍ତବ୍ୟ ଭବନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି.ଆର. ପାଟିଲଙ୍କ ସମେତ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଯୋଗଦେଇଥିଲେ।

ବୈଠକ ଶେଷରେ ପ୍ରତିକ୍ରିୟା ରଖି ଓଡ଼ିଶା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ ଆଲୋଚନା ଅତ୍ୟନ୍ତ ସୌହର୍ଦ୍ଧ୍ୟପୂର୍ଣ୍ଣ ଓ ସକାରାତ୍ମକ ପରିବେଶରେ ହୋଇଛି। ଉଭୟ ରାଜ୍ୟର ସ୍ୱାର୍ଥକୁ ସୁରକ୍ଷିତ ରଖି ଆମେ ସମାଧାନର ଅତି ନିକଟତର ହୋଇପାରିଛୁ ଏବଂ ଖୁବ୍ ଶୀଘ୍ର ଏହାର ଏକ ଚୂଡ଼ାନ୍ତ ରୂପରେଖ ସାମ୍ନାକୁ ଆସିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଏହା ସହିତ ଏହି ସମାଧାନ ପ୍ରକ୍ରିୟା ଦେଶର ଅନ୍ୟାନ୍ୟ ଆନ୍ତଃରାଜ୍ୟ ଜଳ ବିବାଦ ପାଇଁ ଏକ ‘ମଡେଲ ଡିସପୁଟ ରିଜୋଲ୍ୟୁସନ୍’ ହୋଇ ରହିବ ବୋଲି ସେ ମତ ଦେଇଛନ୍ତି।

ମହାନଦୀ ଓଡ଼ିଶାର ଜୀବନରେଖା

ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ମହାନଦୀ ହେଉଛି ଓଡ଼ିଶାର ଜୀବନରେଖା ଏବଂ ଏହା କୋଟି କୋଟି ଲୋକଙ୍କ ଜୀବନଜୀବିକା ସହ ଜଡ଼ିତ। ବୈଠକରେ ଜଳସେଚନ, ବନ୍ୟା ନିୟନ୍ତ୍ରଣ, ଜଳ ବିଦ୍ୟୁତ୍ ଉତ୍ପାଦନ, ପାନୀୟ ଜଳ ଯୋଗାଣ ଏବଂ ପର୍ଯ୍ୟାବରଣ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକୁ ଦୃଢ଼ ଭାବରେ ଉପସ୍ଥାପନ କରାଯାଇଛି। ବିଶେଷକରି ଓଡ଼ିଶାକୁ କିପରି ପର୍ଯ୍ୟାପ୍ତ ପରିମାଣରେ ଜଳ ମିଳିବ, ସେଥିପାଇଁ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଇଥିବା ସେ କହିଛନ୍ତି।

ତ୍ୱରାନ୍ୱିତ ହେଉଛି ସମାଧାନ ପ୍ରକ୍ରିୟା

ଡବଲ ଇଞ୍ଜିନ ସରକାର ଆସିବା ପରେ ଉଭୟ ରାଜ୍ୟ ମଧ୍ୟରେ ବିବାଦ ସମାଧାନର ବାଟ ଫିଟିଛି। କେବଳ ଆଇନଗତ ଲଢ଼େଇ ନୁହେଁ, ବରଂ ପ୍ରଶାସନିକ ଓ ରାଜନୈତିକ ସ୍ତରରେ ମଧ୍ୟ ଆଲୋଚନାକୁ ବ୍ୟାପକ କରାଯାଇଛି। ଗତ ଜୁଲାଇ ମାସରେ ହୋଇଥିବା ବୈଠକର ନିଷ୍ପତ୍ତି ଅନୁଯାୟୀ ସେଣ୍ଟ୍ରାଲ୍ ୱାଟର୍ କମିଶନ୍ଙ୍କୁ ଆବଶ୍ୟକୀୟ ତଥ୍ୟ ଓ ରିପୋର୍ଟ ପ୍ରଦାନ କରାଯାଉଛି। ନିର୍ଦ୍ଧାରିତ ତିନି ମାସ ମଧ୍ୟରୁ ଦୁଇ ମାସ ବିତିସାରିଥିବାବେଳେ କାର୍ଯ୍ୟ ଆଶାନୁରୂପକ ଭାବେ ଆଗେଇ ଚାଲିଛି।

ଏହି ଜଟିଳ ସମସ୍ୟାର ସମାଧାନ ପାଇଁ ନିଜେ ଆଗ୍ରହ ପ୍ରକାଶ କରି ପଦକ୍ଷେପ ନେଇଥିବାରୁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ କେନ୍ଦ୍ରୀୟ ମନ୍ତ୍ରୀମାନଙ୍କ ବ୍ୟତୀତ ଉଭୟ ରାଜ୍ୟର ମୁଖ୍ୟ ଶାସନ ସଚିବ ଏବଂ କେନ୍ଦ୍ରୀୟ ଜଳ ଆୟୋଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।