ସାଲେପୁର ୨୭।୯: କଟକ ଜିଲ୍ଲା କିଶନନଗର ତହସିଲ ଅନ୍ତର୍ଗତ ବାଙ୍କଳ ନିକଟରେ ଲଗାଣ ବର୍ଷାରେ ମହାନଦୀ ବନ୍ଧ ଧସିଲା । ନଦୀବନ୍ଧ ଧସିବା ଯୋଗୁଁ ବନ୍ଧରେ ଫାଟ ସୃଷ୍ଟି ହୋଇଛି । ମହାନଦୀରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

କିଶନନଗର ତହସିଲ ଅଧିନ ବାଙ୍କଳ ନିକଟରେ ଶୁକ ପାଇକା ନଦୀ ମହାନଦୀରେ ମିଶିଛି । ମହାନଦୀ ବନ୍ଧ ଉପରେ ନିର୍ମିତ ସ୍ଲୁଇସ୍ ଗେଟ୍ ମାଧ୍ୟମରେ ଶୁକ ପାଇକା ପାଣି ମହାନଦୀକୁ ନିଷ୍କାସିତ ହୋଇଥାଏ । ସ୍ଲୁଇସ୍ ଗେଟ୍ ନିର୍ମିତ ସ୍ଥାନରେ ବନ୍ଧର ସୁରକ୍ଷା ପାଇଁ ଉଭୟ ପାର୍ଶ୍ବରେ ସିମେଣ୍ଟ କଂକ୍ରିଟ ସୁରକ୍ଷା କାନ୍ଥ ନିର୍ମାଣ ହୋଇଛି । ଲଗାଣ ବର୍ଷାରେ ଉକ୍ତ ସୁରକ୍ଷା କାନ୍ଥ ଭାଙ୍ଗି ଭୁଶୁଡ଼ି ଯାଇଛି । ଫଳରେ ନଦୀବନ୍ଧରୁ ମାଟି ଅତଡା ଖସି ବନ୍ଧରେ ଫାଟ ସୃଷ୍ଟି ହୋଇଛି ।

Also Read:- ସୁବର୍ଣ୍ଣରେଖା ବନ୍ୟାରେ ବେହାଲ ଜଳେଶ୍ୱର-ବାଲିଆପାଳ : ୩୦ରୁ ଅଧିକ ଗାଁ ଜଳମଗ୍ନ, ରାସ୍ତାରେ ୩ରୁ ୪ ଫୁଟ୍ ପାଣି

ଉକ୍ତ ନଦୀବନ୍ଧ ରାସ୍ତା ଉପରେ ଯାନବାହାନ ଯିବା ଆସିବା ନ କରିବା ପାଇଁ ରାସ୍ତା ଉପରେ ବାଲି ବସ୍ତା ଓ ପଥରଖଣ୍ଡ ମାନ ରଖାଯାଇଛି । ଯାନବାହାନ ଆଦି ଭୟଭୀତ ଅବସ୍ଥାରେ ଯାତାୟାତ କରୁଛନ୍ତି । ଏଯାବତ୍ ମରାମତି ନ ହେବାରୁ ବିପଦପୂର୍ଣ୍ଣ ଅବସ୍ଥାରେ ଲୋକେ ଯାତାୟାତ କରୁଛନ୍ତି । ମହାନଦୀରେ ବନ୍ୟାଜଳ ପ୍ରବାହିତ ହେଉଛି । ନଦୀବନ୍ଧ ଦବିଯିବାରୁ ଉକ୍ତ ସ୍ଥାନରେ ବନ୍ଧ ଭାଙ୍ଗି ଘାଇ ସୃଷ୍ଟି ହେବାର ଆଶଙ୍କା ଅଧିକ ରହିଛି । ଯାହା ଫଳରେ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହୋଇଛି ।