ନୂଆଦିଲ୍ଲୀ: ଦିଲ୍ଲୀର ଶାସକ ଭାରତୀୟ ଜନତା ପାର୍ଟି (BJP) ସରକାରରେ ପୂର୍ତ୍ତ ମନ୍ତ୍ରୀ ପରଭେଶ ବର୍ମା ଜଣେ ଯୁବକଙ୍କୁ ଚାପୁଡ଼ା ମାରିବା ଘଟଣାକୁ ନେଇ ରାଜଧାନୀରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏକ ସଡ଼କ ପରିଦର୍ଶନ ଏବଂ ଯାଞ୍ଚ ଲାଗି ମନ୍ତ୍ରୀ ଯାଇଥିବା ବେଳେ ଏହି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଘଟଣାସ୍ଥଳରେ ଉପସ୍ଥିତ ଜଣେ ଯୁବକ ନିଜ ମୋବାଇଲ୍ ଫୋନ୍‌ରେ ମନ୍ତ୍ରୀଙ୍କର ଭିଡିଓ ରେକର୍ଡିଂ କରୁଥିବା ସମୟରେ ମନ୍ତ୍ରୀ ରାଗି ଯାଇଥିଲେ। ଭିଡିଓରେ ସ୍ପଷ୍ଟ ଦେଖାଯାଉଛି ଯେ, ମନ୍ତ୍ରୀ ପରଭେଶ ବର୍ମା ନିଜ ବାମ ହାତରେ ଯୁବକଙ୍କ ମୋବାଇଲକୁ ତଳକୁ ଟାଣିଆଣିବା ସହ ଡାହାଣ ହାତରେ ସିଧାସଳଖ ତାଙ୍କ ଗାଲରେ ଏକ ଶକ୍ତ ଚାପୁଡ଼ା ମାରିଥିଲେ।

ଚାପୁଡ଼ା ମାରିବା ପରେ ଯୁବକ ଜଣକ ମନ୍ତ୍ରୀଙ୍କ ସହ ଯୁକ୍ତିତର୍କ ଓ ଧସ୍ତାଧସ୍ତି କରିବାକୁ ଚେଷ୍ଟା କରିଥିଲେ, ମାତ୍ର ସେଠାରେ ଉପସ୍ଥିତ ଥିବା ସୁରକ୍ଷା କର୍ମୀ ଏବଂ ଅନ୍ୟ ଲୋକମାନେ ତୁରନ୍ତ ପରିସ୍ଥିତିକୁ ସମ୍ଭାଳି ନେଇଥିଲେ। ଏହି ସମୟରେ ଘଟଣାସ୍ଥଳରେ ଉପସ୍ଥିତ ଲୋକଙ୍କ ଗହଣରୁ ମନ୍ତ୍ରୀଙ୍କ ବ୍ୟବହାରକୁ ନେଇ କଡ଼ା ବିରୋଧ ପ୍ରକାଶ ପାଇଥିଲା। ଭିଡିଓରେ ଶୁଣାଯାଉଛି ଲୋକମାନେ କହୁଛନ୍ତି, ‘ସେ କିପରି ମାଡ଼ ମାରୁଛନ୍ତି ? ଭିଡିଓ କରୁଥିବା ବେଳେ ଜଣେ ସାଧାରଣ ନାଗରିକଙ୍କୁ କେହି ଚାପୁଡ଼ା ମାରିପାରିବେ ନାହିଁ।’

ଏହି  ଘଟଣାର ଭିଡିଓ ଭାଇରାଲ ହେବା ପରେ ଆମ୍ ଆଦ୍‌ମୀ ପାର୍ଟି (AAP) ଏହାକୁ ନେଇ ବିଜେପି ସରକାରକୁ କଡ଼ା ସମାଲୋଚନା କରିଛି। ତିଲକ ନଗରର ଆପ୍ ବିଧାୟକ ଜର୍ନୈଲ ସିଂହ ଏହି ଭିଡିଓକୁ ସୋସିଆଲ ମିଡିଆ 'X' (ପୂର୍ବରୁ ଟ୍ୱିଟର)ରେ ପୋଷ୍ଟ କରି ଅଭିଯୋଗ କରିଛନ୍ତି ଯେ, ସଡ଼କ ନିର୍ମାଣରେ ହୋଇଥିବା ବିଭିନ୍ନ ଦୁର୍ନୀତି ଓ କ୍ରମାଗତ ସ୍କାମ୍ ପଦାରେ ପଡ଼ିଯିବା ଭୟରେ ମନ୍ତ୍ରୀ ନିଜର ମାନସିକ ସନ୍ତୁଳନ ହରାଇ ବସିଥିଲେ। ସେ ନିଜର ଅସନ୍ତୋଷ ପ୍ରକାଶ କରିବାକୁ ଯାଇ ଭିଡିଓ ଶୁଟିଂ କରୁଥିବା ତାଙ୍କ ସହଯୋଗୀଙ୍କ ସହ ଗୁଣ୍ଡାଗର୍ଦ୍ଦି ଏବଂ ମାରପିଟ୍ କରିଛନ୍ତି।

ଅନ୍ୟପଟେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ଏହି ଭିଡିଓକୁ ସେୟାର କରି ମନ୍ତ୍ରୀ ପରଭେଶ ବର୍ମାଙ୍କ ବ୍ୟବହାରକୁ ଦୃଢ଼ ନିନ୍ଦା କରିଛନ୍ତି। ଜଣେ ସାଧାରଣ ନାଗରିକଙ୍କ ଉପରେ ହାତ ଉଠାଇବା ଏବଂ କ୍ଷମତାର ଅପବ୍ୟବହାର କରିବା ଅପରାଧ ବୋଲି ଦର୍ଶାଇ କେଜ୍ରିୱାଲ ତୁରନ୍ତ PWD ମନ୍ତ୍ରୀଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି। ଏହି ଘଟଣାକୁ ନେଇ ଦିଲ୍ଲୀ ରାଜନୀତିରେ ମନ୍ତ୍ରୀଙ୍କ ନୈତିକତା ଏବଂ ସାଧାରଣ ଲୋକଙ୍କ ସୁରକ୍ଷାକୁ ନେଇ ନୂଆ ବିବାଦ ସୃଷ୍ଟି ହୋଇଛି।