ନୂଆଦିଲ୍ଲୀ: ତାମିଲନାଡୁର ନାଗରକୋଇଲ୍ ନିକଟସ୍ଥ ଥାମାଥୁକୋଣମ୍‌ ଅଞ୍ଚଳରେ ଏକ ସାଂଘାତିକ ଚୋରି ଘଟଣା ସାମ୍ନାକୁ ଆସିଛି । ପୁଲିସ ଜଣେ ଜଣାଶୁଣା ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସରଙ୍କ ଇନଷ୍ଟାଗ୍ରାମ୍ ରିଲ୍ସ (Instagram Reels) କୁ ନେଇ ତଦନ୍ତ ଚଳାଇଛି। ୟୁଟ୍ୟୁବର୍ ଓ ଇନଷ୍ଟାଗ୍ରାମ୍ ଷ୍ଟାର୍ ମଧୁମିତା, ନିଜ ବ୍ୟବସାୟୀ ସ୍ୱାମୀ ବିନୋଦ କୁମାର ଏବଂ ସନ୍ତାନଙ୍କ ସହ ରୁହନ୍ତି। ସେ ନିୟମିତ ଭାବରେ ନିଜ ଘରର ଦାମୀ ଜିନିଷ ଓ ସୁନା ଗହଣା ସଂପର୍କରେ ସୋସିଆଲ ମିଡିଆରେ ପୋଷ୍ଟ କରନ୍ତି । କିଛି ଭିଡିଓରେ ଗଦା ହୋଇଥିବା ଟଙ୍କା ଉପରେ ପିଲାଙ୍କୁ ଶୁଆଇବା, ଟଙ୍କା ବର୍ଷା କରିବା ଏବଂ ପ୍ରତି ମାସରେ ସୁନା କିଣିବା ବିଷୟରେ ଦେଖାନ୍ତି। ଏହିସବୁ ରିଲ୍ସକୁ ଦେଖି ଦୁର୍ବୃତ୍ତମାନେ ଘରେ ଥିବା ସମ୍ପତ୍ତିର ଆକଳନ କରି ଚୋରି ଯୋଜନା କରିଥିବା ପୁଲିସ ସନ୍ଦେହ କରୁଛି।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମଧୁମିତା ନିଜ ଭ୍ରମଣ, ସୁନା କିଣିବା ସ୍ଥାନ ଏବଂ ପରିବାରର ଯାତାୟାତ ସମ୍ପର୍କରେ ନିୟମିତ ସୂଚନା ସୋସିଆଲ ମିଡିଆରେ ଅପଲୋଡ୍ କରୁଥିଲେ। ଗୁରୁବାର ସନ୍ଧ୍ୟାରେ ଯେତେବେଳେ ମଧୁମିତା ନିଜ ସ୍ୱାମୀ ଓ ପିଲାଙ୍କ ସହ ଲୁଗା କିଣିବା ପାଇଁ ବାହାରକୁ ଯାଇଥିଲେ, ସେହି ସମୟରେ ଅପରାଧୀମାନେ ଏହାର ସୁଯୋଗ ନେଇଥିଲେ। ପରିବାର ଲୋକେ ରାତିରେ ଘରକୁ ଫେରିବା ପରେ କାଠ ଆଲମାରୀ ଭଙ୍ଗାଯାଇଥିବା ଏବଂ ସେଥିରେ ଥିବା ୧୨୦ ଭରି ସୁନା, ହୀରା ଗହଣା ଓ ୫୦,୦୦୦ ଟଙ୍କା ନଗଦ ଚୋରି ହୋଇଥିବା ଦେଖିବାକୁ ପାଇଥିଲେ। ସ୍ଥାନୀୟ ପୁଲିସର ଆକଳନ ଅନୁଯାୟୀ, ଚୋରି ହୋଇଥିବା ସମ୍ପତ୍ତିର ମୋଟ ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା ହେବ।

ପୁଲିସର ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ, ଲୁଟେରାମାନେ ଘରର ପଛ ପଟ ଦ୍ୱାରର ତାଲାକୁ କଟିଂ ମେସିନ୍ ସାହାଯ୍ୟରେ କାଟି ଭିତରକୁ ପଶିଥିଲେ। ଏହି ଘଟଣାର ଗମ୍ଭୀରତାକୁ ଦେଖି କନ୍ୟାକୁମାରୀ ଏସପି ଅଂଶୁଲ ନାଗର ନିଜେ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବାକୁ ଏବଂ ଗିରଫ କରିବା ପାଇଁ ପୁଲିସ ପକ୍ଷରୁ ୫ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। ସୋସିଆଲ ମିଡିଆ ଗତିବିଧିକୁ ଅପରାଧୀମାନେ ନଜରରେ ରଖି ଏହି କାଣ୍ଡ ଭିଆଇଛନ୍ତି କି ନାହିଁ, ସେ ନେଇ ଫରେନସିକ୍ ଓ ସୋସିଆଲ ମିଡିଆ ତଥ୍ୟ ଆଧାରରେ ତଦନ୍ତ ଜାରି ରହିଛି।